ଅଙ୍ଗନବାଡି କର୍ମୀଙ୍କ ଦରମା ୧୫ ହଜାର ହେବ

ଦିଲ୍ଲୀ ଓ ଓଡିଶାରେ ନରେନ୍ଦ୍ର ମୋଦୀଙ୍କ ସରକାର ହେଲେ ଆଗାମୀ ୫ ବର୍ଷ ମଧ୍ୟରେ ସବୁ ଗରିବଙ୍କୁ ସ୍ଥାୟୀ ପଟ୍ଟା, ପକ୍କା ଘର ଦିଆଯିବ । ସେହିପରି ନବୀନ ପଟ୍ଟନାୟକଙ୍କ ସରକାରରେ ଅଙ୍ଗନବାଡି କର୍ମୀଙ୍କୁ ଅବହେଳିତ କରାଯାଇଥିବା ବେଳେ ବିଜେପିର ସରକାର କେନ୍ଦ୍ର ଓ ଓଡିଶାରେ ହେଲେ ଅଙ୍ଗନବାଡି କର୍ମୀଙ୍କୁ ମାସିକ ୧୫ହଜାର ଟଙ୍କା ଦରମା ଦିଆଯିବା ସହ ଅଙ୍ଗନବାଡି ସହାୟିକାଙ୍କ ଦରମା ୯ ହଜାର କରାଯିବ ।

ଏହାବ୍ୟତିତ ଜଳସେଚନ ପାଇଁ ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ଫଣ୍ଡର ବ୍ୟବସ୍ଥା କରାଯିବ ତଥା ନବରଙ୍ଗପୁରକୁ ଇନ୍ଦ୍ରାବତୀ ନଦୀର ଜଳ ପହଞ୍ଚେଇବାର ବ୍ୟବସ୍ଥା କରାଯିବ । ପଛୁଆ ଅଞ୍ଚଳକୁ ବିକଶିତ କରିବା ପାଇଁ ପାଣ୍ଠି ତିଆରି କରାଯିବ ଏବଂ ନବରଙ୍ଗପୁର ଅଞ୍ଚଳରେ ଅତ୍ୟାଧୁନିକ ମେଡିକାଲ ଗରିବଙ୍କ ସେବା ପାଇଁ ସ୍ଥାପନା କରାଯିବ ବୋଲି ନବରଙ୍ଗପୁର ଜିଲ୍ଲା ପୂଜାରିଗୁଡାରେ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ପ୍ରମୁଖ ନଦୀ ହୋଇଥିଲେ ମଧ୍ୟ ଇନ୍ଦ୍ରାବତୀର ଜଳ ଜିଲ୍ଲରେ ପହଞ୍ଚିପାରିନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଇନ୍ଦ୍ରାବତୀ ଜଳସେଚନ ପାଇଁ ଶୁଭ ଦେଇଥିଲେ ମଧ୍ୟ ବସ୍ତାଏ ସିମେଣ୍ଟର କାମ ଆରମ୍ଭ ହୋଇନାହିଁ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନବରଙ୍ଗପୁର ଜିଲ୍ଲାକୁ ରେଳଲାଇନକୁ ଅନୁମତି ମୋଦୀ ସରକାର ଦେଲେ ।

ମାତ୍ର ନବୀନ ସରକାର ରେଳଲାଇନ ପାଇଁ ଜମି ଅଧିଗ୍ରହଣ ଦେଉନାହାନ୍ତି । ନରେନ୍ଦ୍ର ମୋଦୀଙ୍କ ଲୋକ ପ୍ରିୟତା କାରଣରୁ ନବୀନ ବାବୁ ରେଳଲାଇନର କାମ କରେଇ ଦେଉନାହାନ୍ତି । ଏଥିରେ ନବୀନ ପଟ୍ଟନାୟକ ନକଲି ଓଡିଆଙ୍କ ଘେରରେ ରହି ସାଙ୍କେତିକ ନିର୍ବାଚନୀ ପ୍ରଚାରରେ ଓଡିଶା ପାଇଁ ନରେନ୍ଦ୍ର ମୋଦୀ କିଛି କରିନଥିବା କହୁଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ୧୯ ବର୍ଷ ଶାସନରେ ନବରଙ୍ଗପୁର ଜିଲ୍ଲାରେ ବିଶୁଦ୍ଧ ପିଇବା ପାଣି ନାହିଁ, ବିଜୁଳି ନାହିଁ, ଡାକ୍ତର ନାହାନ୍ତି, ଶିକ୍ଷକଙ୍କୁ ଦରମା ଦେବାକୁ ପଇସା ନାହିଁ, ଚାଷର ସୁବ୍ୟବସ୍ଥା ନାହିଁ, ଶୀତଳ ଭଣ୍ଡାର ନାହିଁ, ସଡ଼କ ନାହିଁ, ଜିଲ୍ଲାରେ କୁପୋଷଣ ଗମ୍ଭୀର ଅବସ୍ଥାରେ ଅଛି, ଲୋକମାନେ କାମ କରିବାକୁ ବାହାର ରାଜ୍ୟକୁ ଦାଦନ ଯାଉଛନ୍ତି ।

ରାଜ୍ୟ ସରକାରଙ୍କ ପାଖରେ କାଳିଆ ଯୋଜନାର ତାଲିକା ନାହିଁ, ବଜେଟରେ ଟଙ୍କାର ବ୍ୟବସ୍ଥା ନାହିଁ । ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାପା, ବିକ୍ରମ ଆରୁଖ ଓ ସୁଶାନ୍ତ ସିଂହଙ୍କ ଭାଇ କାଳିଆର ଲାଭ ପାଇଲେ । ଓଡିଶାର ଗରିବ ଚାଷୀଙ୍କୁ କାଳିଆ ମିଳିନାହିଁ । ଶାସକ ଦଳର ଲୋକମାନଙ୍କ ନାମ ସରକାରୀ ସୁବିଧାରେ ରହୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତବର୍ଷରେ ମହିଳା ମାମଲାରେ ସବୁଠୁ ଅତ୍ୟାଚାରିତ ଓଡିଶା । ଏଠାରେ ସରକାରୀ ସ୍କୁଲରେ ୧୨ଟି ଝିଅ ଗର୍ଭବତୀ ହୋଇଛନ୍ତି, ୪ଟି ଝିଅ ପ୍ରସବ କରିଛନ୍ତି । କୁନ୍ଦୁଲି ଓ ବେବିନା ଆଜିର ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ବେବିନାର ହତ୍ୟାକାରୀଙ୍କୁ ନବୀନ ବାବୁ ଟିକେଟ ଦେଇଛନ୍ତି । ରାଜ୍ୟ ସରକାର ଓଡିଶା ତଥା ଆଦିବାସୀ ବିରୋଧୀ । ସରକାର ସବୁ ଆଦିବାସୀ ଓ ଗରିବ ଲୋକଙ୍କୁ ପଟ୍ଟା ଓ ଘରଡିହ ଦେଇନାହିଁ । ଏ ଅଞ୍ଚଳରେ ସରକାରର ବଡ ଉପଲବ୍ଧି ଦୁର୍ନୀତି ହୋଇଛି । ବିନା ପିସିରେ କିଛି କାମ ହେଉନାହିଁ । ଚିଟ୍ଫଣ୍ଡରେ ଲିପ୍ତ ସମସ୍ତଙ୍କୁ ଦଣ୍ଡ ଦେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.