ଅମୃତମଣୋହୀ ଜମିଲୁଟ୍ ପ୍ରସଙ୍ଗରେ ଗର୍ଜିଲେ ସତ୍ୟ : କାନ ଧରି ବଡଦାଣ୍ଡରେ ଭୁଲ ମାଗ , ନହେଲେ ମହାପ୍ରଭୁ କ୍ଷମା କରିବେନି

ଟିକିଏ ପଛୁଆ ହେଲେ ବି ପୁରୀ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ସାଂସଦ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ। ପ୍ରଥମ ଦିନରେ ହିଁ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ତୀର ମାରିଛନ୍ତି ସତ୍ୟ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅମୃତମଣୋହୀ ଜମି ବିକ୍ରି ପ୍ରସଙ୍ଗ ଉଠାଇ ସିଧା ନିଶାନା ଫିଙ୍ଗିଛନ୍ତି ମିଳିତ ପ୍ରତିଦ୍ବନ୍ଦୀଙ୍କୁ। ଖାଲି ସେତିକି ନୁହେଁ ବିକାଶ ଓ ବିଚାରର ମୁଦ୍ଦା ନେଇ ଲୋକଙ୍କ ପାଖରେ ପହଂଚିବାକୁ ଭିଜନ ପ୍ରସ୍ତୁତ କରିଥିବା ସେ କହିଛନ୍ତି। ସେହିଭଳି ମହାପ୍ରଭୁଙ୍କ ଜମିଲୁଟରେ ଭାଗିଦାର ଥିବା ଦଳର କୁହାଳିଆ ପ୍ରାର୍ଥୀ କାନ ଧରି ବଡଦାଣ୍ଡରେ ଭୁଲ ମାଗନ୍ତୁ କହି ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନିଶାନା ଫିଙ୍ଗିଛନ୍ତି ସତ୍ୟ। ପ୍ରଥମ ଦିନରୁ ପୁରୀ ରାଜନୀତିକୁ ଗରମ କରି ରଖିଥିବା ସମ୍ବିତ ପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ସତ୍ୟପ୍ରକାଶଙ୍କ ଜବରଦସ୍ତ ତେରେଛା ବାଣ ବଢ଼ାଇ ଦେଇଛି ପୁରୀର ପାରଦ।

ଆଜି ସତ୍ୟବାଦୀ ବିଧାନସଭା ଆସନ ପାଇଁ ନାମାଙ୍କନ କରିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଏନେଇ ପ୍ରସାଦଙ୍କ ଏକ ବିରାଟ ଶୋଭାଯାତ୍ରା ସତ୍ୟବାଦୀ ଠାରୁ ବାହାରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ନାମାଙ୍କନ ଭରିଥିଲେ ପ୍ରସାଦ। ଏହି ରାଲିରେ ସାମିଲ ହୋଇଥିଲେ ପୁରୀ ସାଂସଦ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସତ୍ୟପ୍ରକାଶ କହିଛନ୍ତି, ପୁରୀରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ମୋର ସଂକଳ୍ପ ପୁରୀ ହେବ ଏକ ନମ୍ବର। ଲୋକଙ୍କ ସ୍ନେହ , ଶ୍ରଦ୍ଧା ଓ ଆଶୀର୍ବାଦ ତାଙ୍କ ସପକ୍ଷରେ ରହିଥିବା କହିଛନ୍ତି ସତ୍ୟପ୍ରକାଶ। ଜଣେ ଡ୍ରାମେବାଜ୍ ଓ ଆଉ ଜଣେ ସର୍ବାଧିକ ଅନୁପସ୍ଥିତ ବ୍ୟକ୍ତିଙ୍କୁ ଭୁଲି ଲୋକେ ସତ୍ୟପ୍ରକାଶ ନାୟକୁ ଭଲପାଇ ଭୋଟ ଦେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.