
ପଦ୍ମଶ୍ରୀ ତଥା ସମାଜସେବୀ ସିନ୍ଧୁତାଇ ସପକାଲଙ୍କ ପରଲୋକ । ମଙ୍ଗଳବାର ୭୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ହେବ ଅସୁସ୍ଥ ଥିବା ସିନ୍ଧୁତାଇଙ୍କର ହୃଦଘାତ ଯୋଗୁଁ ପରଲୋକ ହୋଇଛି ।
ମହାରାଷ୍ଟ୍ରର ‘ମଦର ଟେରେସା’ ଭାବେ ଜଣାଶୁଣା ଥିଲେ ସିନ୍ଧୁତାଇ । ସେ ନିଜର ସମ୍ପୂର୍ଣ୍ଣ ଜୀବନ ଅନାଥ ପିଲାଙ୍କ ସେବାରେ ବିତାଇଦେଲେ । ସିନ୍ଧୁତାଇ ପାଖାପାଖି ୨୦୦୦ ଅନାଥ ଶିଶୁଙ୍କୁ ଆପଣାଇନେଇ ସେମାନଙ୍କର ଲାଳନ ପାଳନ କରୁଥିଲେ । ତାଙ୍କର ଏହି ଅନବଦ୍ୟ କାର୍ଯ୍ୟ ପାଇଁ ତାଙ୍କୁ ୨୦୨୦ରେ ଦେଶର ସର୍ବୋଚ୍ଚ ପଦ୍ମ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ତାଙ୍କର ବ୍ୟକ୍ତିଗତ ଜୀବନ ଥିଲା ଭିନ୍ନ ଧରଣର ସଂଘର୍ଷରେ ଭରା । ଖୁବ କମ ବୟସରୁ ବିବାହ କରିଥିବା ସିନ୍ଧୁତାଇଙ୍କୁ ନିଜ ସ୍ୱାମୀଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ରହିବାକୁ ଚେନାଏ ଜାଗା ପାଇନଥିଲେ ସିନ୍ଧୁତାଇ । ରେଳ ଷ୍ଟେସନରୁ ବି ତାଙ୍କୁ ତଡା ଖାଇବାକୁ ପଡିଥିଲା । ଶେଷରେ କୋଳରେ ନବଜାତ ଶିଶୁକୁ ଧରି ମଶାଣିରେ ଆଶ୍ରା ନେବାକୁ ବାଧ୍ୟ ହେଲେ । ପରିସ୍ଥିତି ଏପରି ମଧ୍ୟ ହେଲା ଯେ, ସେ ଜଳୁଥିବା ଜୁଇର ନିଆଁରେ ରୁଟି ସେକି ଖାଇଥିଲେ । ନିଜ କଅଁଳା ଶିଶୁର ମୁହଁକୁ ଚାହିଁ ସେ ପାଇଥିଲେ ବଞ୍ଚିବାର ରାହା । ଆଉ ଅନାଥ ପିଲାଙ୍କୁ ଆପଣାଇ ସେମାନଙ୍କୁ ମମତାର ସଂଜିବନୀ ସିଞ୍ଚି ମଣିଷ କରିବାକୁ ପଣ କରିଥିଲେ । ତାଙ୍କର ଏହି ପଣ ତାଙ୍କୁ ପ୍ରତିଷ୍ଠା ଦେଇଥିଲା, ଯାହା ସେ କେବେବି ଆଶା କରିନଥିଲେ । ତାଙ୍କର ସମାଜ ସେବା ପାଇଁ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ । କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପ୍ରଶଂସା।