ଆଜିଠୁ ଦେଶରେ ବୁଷ୍ଟର ଡୋଜ ଟୀକାକରଣ ଆରମ୍ଭ

ଆଜିଠୁ ଦେଶରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ ଟୀକାକରଣ । ପ୍ରଥମେ ସମ୍ମୁଖ କୋଭିଡ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ପ୍ରାଥମିକତା ଭିତ୍ତିରେ ଏହି ବୁଷ୍ଟର ଡୋଜ ଟିକା ଦିଆଯିବ । କୋ-ୱିନ୍ ଆପରେ ଅନଲାଇନ ପଞ୍ଜୀକରଣ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିନଥିବେ ସେମାନେ ସିଧାସଳଖ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ଦ୍ବିତୀୟ ଡୋଜ ନେବାର ୯ ମାସ ବା ୩୯ ସପ୍ତାହ ପରେ ତୃତୀୟ ଡୋଜ ନେଇହେବ । ଯେଉଁମାନେ ପ୍ରଥମ ଓ ଦ୍ବିତୀୟ ଡୋଜ ଭାବେ କୋଭାକ୍ସିନ ନେଇଥିଲେ ତୃତୀୟ ଡୋଜ ଭାବେ ସେହି କୋଭାକ୍ସିନ ହିଁ ନେବେ ଏବଂ ଯେଉଁମାନେ କୋଭିସିଲ୍ଡ ନେଇଥିବେ ସେମାନେ କୋଭିସିଲ୍ଡ ନେବେ । ସମସ୍ତ ବରିଷ୍ଠ ନାଗରିକ ନୁହନ୍ତି ଏକାଧିକ ଜଟିଳ ରୋଗ ଥିବା ୬୦ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ହିଁ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ ।

ଡିସେମ୍ବର 25 ରେ ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ ସ୍ବାସ୍ଥ୍ୟକର୍ମୀ, ଆଗଧାଡିର କର୍ମଚାରୀ ଏବଂ 60 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଜାନୁଆରୀ ୧୦ରୁ ବୁଷ୍ଟର ଡୋଜ ଟିକା ପ୍ରଦାନ କରାଯିବ । ଘୋଷଣା ଅନୁଯାୟୀ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ପ୍ରକାଶ ଥାଉ କି, ଗତ ୨୪ ଘଣ୍ଟା ଭିତରେ 89 ଲକ୍ଷରୁ ଅଧିକ ଡୋଜ ଟୀକାକରଣ ହେବା ସହିତ ଆଜି ସକାଳ 7 ଟା ପର୍ଯ୍ୟନ୍ତ ଅସ୍ଥାୟୀ ରିପୋର୍ଟ ଅନୁଯାୟୀ 151.57 କୋଟି (1,51,57,60,645) ଅତିକ୍ରମ କରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

Related Posts