
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି | ମଧ୍ୟାହ୍ନ ଧୂପ ପରେ ଦତ୍ତ ମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତି ସମ୍ପନ୍ନ କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ମୁଖମଣ୍ଡଳ ଚମକିବ ।
ଏହା ଏକ ଗୁପ୍ତ ସେବା ଏବଂ ଏକ ସ୍ୱତନ୍ତ୍ର ନୀତି | ଏନେଇ ଆଜି ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ୩ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ | ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ। ପ୍ରଥା ଓ ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବୁଧବାର କିମ୍ବା ଗୁରୁବାର ଶ୍ରୀମନ୍ଦିରରେ ବନକ ଲାଗି ନୀତି ପାଳନ ହେବାର ବିଧି ରହିଛି | ଦ୍ବିପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖ ଶୃଙ୍ଗାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ |