ଆମାଜନକୁ ଭାରତୀୟ ପ୍ରତିଯୋଗିତା ଆୟୋଗ ପକ୍ଷରୁ ଶକ୍ତ ଧକ୍କା

ଆମେରିକୀୟ ରିଟେଲ କମ୍ପାନି ଆମାଜନ ସହ ୨୦୧୯ରେ ଭାରତୀୟ ପ୍ରତିଯୋଗିତା ଆୟୋଗ ବା ସିସିଆଇ କରିଥିବା ଚୁକ୍ତି କୁ ରଦ୍ଧ କରିଛି । ଏହା ସହିତ ତଥ୍ୟ ଲୁଚାଇଥିବା କାରଣରୁ ଆମାଜନ ଉପରେ ୨୦୦ କୋଟି ଟଙ୍କାର ଜୋରିମାନା ଲଗାଇଥିବା ସୁଚନା ମିଳିଛି ।

ଗତ ନଭେମ୍ବର ମାସରେ ଦିଲ୍ଲୀ ହାଇକୋର୍ଟ ସିସିଆଇକୁ ଏକ ନିର୍ଦ୍ଦେଶ ଜାରି କରି କହିଥିଲେ ଯେ ସିସିଆଇ ଆମାଜନ-ଫ୍ୟୁଚର କୁପନ ଡିଲକୁ ଦେଇଥିବା ଅନୁମତିକୁ ଦୁଇ ସପ୍ତାହ ମଧ୍ୟରେ ପ୍ରତ୍ୟାହାର କରୁ । ଏହି ପ୍ରସଙ୍ଗରେ ସର୍ବଭାରତୀୟ ବଣିକ ମହାସଂଘ ପକ୍ଷରୁ ମଧ୍ୟ ସିସିଆଇ ବିରୋଧରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା । ସିସିଆଇ ଗତ ଜୁନ ମାସରେ ଆମାଜନକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ବି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନଥିବାରୁ ଏହି ମାମଲା ଦାୟର କରାଯାଇଥିଲା ।

ଅନ୍ୟପକ୍ଷରେ ଆମାଜନ ବିରୋଧରେ ଫ୍ୟୁଚର ଗ୍ରୁପ ପକ୍ଷରୁ ମଧ୍ୟ ସିସିଆଇ ନିକଟରେ ଅଭିଯୋଗ କରାଯାଇଥିଲା । ତଥ୍ୟ ଲୁଚାଇ ଆମାଜନ ପକ୍ଷରୁ ଫ୍ୟୁଚର କୁପନ୍ସରେ ନିବେଶ ପାଇଁ ଚୁକ୍ତି କରାଯାଇଥିଲା ବୋଲି ଫ୍ୟୁଚର ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏଣୁ ଏହି ଚୁକ୍ତିକୁ ରଦ୍ଦ କରାଯାଉ ବୋଲି ଫ୍ୟୁଚର ଗ୍ରୁପ ସିସିଆଇ ନିକଟରେ ଦାବି କରିଥିଲା ।

ସୂଚନାଯୋଗ୍ୟ ଗତ ନଭେମ୍ବର ୨୦୧୯ରେ ଆମାଜନ ଦ୍ବାରା ଫ୍ୟୁଚର କୁପନର ୪୯ ପ୍ରତିଶତ ଅଂଶଧନ ଖରିଦକୁ ଅନୁମତି ଦିଆଯାଇଥିଲା ।

Related Posts