
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମେରିକାର ମଧ୍ୟସ୍ଥତା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି । ଏହି ସୂଚନା ଦେଇ ବିଦେଶ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ ଅପରାହ୍ଣ ୩.୩୫ରେ ଦୁଇ ଦେଶର DGMO ମଧ୍ୟରେ ଆଲୋଚନା ହୋଇଥିଲା । ଶନିବାର ସଂଧ୍ୟା ୫ଟାରୁ ଆକାଶ, ଜଳ ଓ ସ୍ଥଳରେ ତତ୍କାଳ ପ୍ରଭାବରୁ ଆକ୍ରମଣ ରୋକାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ବିକ୍ରମ ମିଶ୍ରି କହିଛନ୍ତି, ‘ପାକିସ୍ତାନର ସୈନ୍ୟ ସଂଚାଳନ ମହାନିର୍ଦ୍ଦେଶକ (DGMO) ଆଜି ଅପରାହ୍ଣ ୩.୩୫ରେ ଭାରତର ଡିଜିଏମଓଙ୍କୁ ଫୋନ କରିଥିଲେ । ଉଭୟଙ୍କ ମଧ୍ୟରେ ସହମତି ହୋଇଛି । ଦୁଇ ପକ୍ଷ ଭାରତୀୟ ସମୟ ଅନୁସାରେ ସଂଧ୍ୟା ୫ଟାରୁ ସ୍ଥଳ, ଆକାଶ ଓ ସମୁଦ୍ରରେ ସମସ୍ତ ପ୍ରାକର ଆକ୍ରମଣ ଓ ସୈନ୍ୟ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବେ ।ଆଜି ଦୁଇ ପକ୍ଷକୁ ଏହି ସହମତି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୈନ୍ୟ ସଂଚାଳନା ମହାନିର୍ଦ୍ଦେଶକ ମେ ୧୨ରେ ମଧ୍ୟାହ୍ମ ୧୨ଟାରେ ପୁଣି ଥରେ ଆଲୋଚନା କରିବେ ।ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ଆମେରିକାର ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ସଂଘର୍ଷ ବିରତି ଉପରେ ସହମତି ହୋଇଛନ୍ତି । ଟ୍ରୁଥ୍ ସୋସିଆଲ ପୋଷ୍ଟରେ ଘୋଷଣା କହିଥିଲେ, ଆମେରିକାର ମଧ୍ୟସ୍ଥତାରେ ପୂରା ରାତି ଆଲୋଚନା ପରେ, ମୁଁ ଏହା ଘୋଷଣା କରି ଖୁସି ଯେ ଭାରତ ଓ ପାକିସ୍ତାନ ପୂର୍ଣ୍ଣ ଅସ୍ତ୍ରବିରତି ଉପରେ ସହମତ ହୋଇଛନ୍ତି ।
ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ ଭାରତର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର, ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ ଡାର ଓ ପାକିସ୍ତାନ ସେନା ମୁଖ୍ୟ ଅସୀମ ମନୀରଙ୍କ ସହ ଆଲୋଚନା ପରେ ଟ୍ରମ୍ପ ଏହି ଘୋଷଣା କରିଥିଲେ ।