ହୃଦଘାତରେ ଆଖି ବୁଜିଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି । ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା।
ସୂଚନା ଅନୁସାରେ କିଶୋର ମହାନ୍ତି ଆଜି ସକାଳୁ ନିଜ ନିର୍ବାଚନ ମଣ୍ଡଳିରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ତାଙ୍କର ହୃଦ୍ଘାତ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିଧାୟକ ଶ୍ରୀ ମହାନ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, କିଶୋର ମହାନ୍ତି ଥିଲେ ପଶ୍ଚିମ ଓଡ଼ିଶାରେ ଜଣେ ଟାଣୁଆ ଓ ଅଭିଜ୍ଞ ରାଜନୀତିଜ୍ଞ। ସେ ଝାରସୁଗୁଡ଼ାରୁ ୩ ଥର ବିଧାୟକ ହୋଇଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟରେ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିରୁ ଲଢ଼ିଥିଲେ। ଏଥି ସହିତ କିଶୋର ମହାନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ମଧ୍ୟ ହୋଇଥିଲେ। ସେହିପରି ସ୍ବର୍ଗତଃ କିଶୋର ମହାନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସିର)ର ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ତାଙ୍କର ମୃତ୍ୟୁ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ।