ଇସ୍ତଫା ଦେଲେ ରଘୁ

ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ବରିଷ୍ଠ ବିଜେଡି ନେତା ରଘୁନାଥ ମହାନ୍ତି ଆଜି ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ତେବେ ଇସ୍ତଫା ପରେ ସେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଶ୍ରୀ ମହାନ୍ତି ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ ସେ ନିଜର ବ୍ୟକ୍ତିଗତ କାରଣରୁ ଏହି ପଦରୁ ଇସ୍ତଫା ଦେଉଛନ୍ତି । ତେବେ ସେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ବସ୍ତା ନିର୍ବାଚନ ମଣ୍ଡଳୀରୁ ସେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଚାହୁଁଥିବା ସୂଚନା ମିଳିଛି । ଏହାକୁ ନେଇ ରଘୁନାଥ କହିଛନ୍ତି ଯେ ସେ ବିଜେଡିରେ ଅଛନ୍ତି । ଦଳର ଉପସଭାପତି ରହିଛନ୍ତି । ଟିକେଟ ଦେବା ନ ଦେବା କାମ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ବୋଲି ସେ କହିଛନ୍ତି ।

ଅନ୍ୟପଟେ ଚଳିତଥର ରାଜ୍ୟ ରାଜନୀତିି ମୋଡ଼ ନେଉଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନେକ ବିଧାନସଭା କ୍ଷେତ୍ରରେ ପୁରୁଣା ମୁହଁକୁ ଲୋଡୁଥିବା ଦେଖିବାକୁ ମିଳିଛି । ତେଣୁ ବିରୋଧୀଙ୍କୁ ଶକ୍ତ ଝଟକା ଦେବା ପାଇଁ ହୁଏତ ରଘୁନାଥଙ୍କୁ ପୁଣି ଦଳ ବସ୍ତା ଆସନରୁ ପ୍ରାର୍ଥୀ କରିପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଆସନ୍ତା ଏପ୍ରିଲ ୨୯ ତାରିଖ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ହେବାକୁ ଥିବାବେଳେ ବସ୍ତା ଆସନକୁ ବିଜେଡି ସୁପ୍ରିମୋ ଝୁଲାଇ ରଖିଛନ୍ତି । ତେବେ କ’ଣ ପୁଣି ରଘୁନାଥଙ୍କ ଏଠାରୁ ଟିକେଟ ମିଳିବା ପାଇଁ ପଦବୀରୁ ଇସ୍ତଫା ଦେଇଛନ୍ତି କି ରଘୁନାଥ? ଏଭଳି କିଛି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିବାରେ ଲାଗିଛି । ଅନ୍ୟପଟେ ବଳକାଥିବା ୩ ଲୋକସଭା ଏବଂ ୨୮ଟି ବିଧାସଭା ପ୍ରାର୍ଥୀ ତାଲିକା ଆଜି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.