
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଖରସ୍ରୋତା ମେଗାପାନୀୟ ଜଳପ୍ରକଳ୍ପ ନିର୍ମାଣ ସ୍ଥଳୀ ପାଲଟିଲା ରଣକ୍ଷେତ୍ର। ପୁଲିସ କର୍ଡନ, ବ୍ୟାରିକେଡ୍ ଓ ୧୪୪ ଧାରା ଭଙ୍ଗି ଆନ୍ଦୋଳନକାରୀ ମାନେ ତୁମୁଳକାଣ୍ଡ ଭିଆଇଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣ, ଢେଲାମାଡରେ ପୁଲିସ ବାହିନୀ ଛତ୍ରଭଙ୍ଗ ଦେଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ର ଭାରୀଗଦାଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଗୁରୁବାର ଉଗ୍ର ରୂପ ଧାରଣ କରିଛି। ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନରେ ସାମିଲ୍ ହୋଇ ପୁଲିସ୍ ବ୍ୟାରେକେଡକୁ ଭାଙ୍ଗି ପ୍ରକଳ୍ପ ନିର୍ମାଣ ସ୍ଥଳକୁ ଧସେଇ ପଶିବା ସଙ୍ଗେ ସଙ୍ଗେ ଅନେକ ଭଙ୍ଗାରୁଜା କରିଥିଲେ। ପାନୀୟ ଜଳ ପ୍ରକଳ୍ପ ନିର୍ମାଣକ୍ଷେତ୍ରରେ ଥିବା କମ୍ପାନୀର ଗାଡି, ଆମ୍ବୁଲାନ୍ସ, ପାଣି ଟ୍ୟାଙ୍କର, ଡିଜେଲ ଟ୍ୟାଙ୍କର ଗୁଡିକୁ ଭାଙ୍ଗି ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲେ। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶ ଗୁଡିକୁ ଫିଙ୍ଗି ଦେଇଥିଲେ ନଦୀଗର୍ଭକୁ। ଆନ୍ଦୋଳନକାରୀଙ୍କ ଆକ୍ରୋଶ ଦେଖି କମ୍ପାନି କର୍ମଚାରୀ ମାନେ ଛତ୍ରଭଙ୍ଗ ଦେଇଥିଲେ। ଆନ୍ଦୋଳନକାରୀମାନେ ତହସିଲ୍ଦାରଙ୍କୁ ଠେଲାପେଲା କରିବା ପରେ ପୁଲିସ୍ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ମାରପିଟ୍ ଗଣ୍ଡଗୋଳରେ ଉଭୟ ଜନତା ଏବଂ ପୋଲିସ ଆହତ ହୋଇଛନ୍ତି । ପରିସ୍ଥିତି ଭୟାବହ ରୂପ ଧାରଣ କରିବାରୁ ପ୍ରକଳ୍ପ ସ୍ଥଳ ସମେତ ନିକଟସ୍ଥ ତିନି ପଞ୍ଚାୟତରେ ୧୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଆଇଜି ନରସିଂହ ଭୋଳ , ଏ ମଦକର ସନ୍ଦୀପ ସଂପଦଙ୍କ ସମେତ ଅନ୍ୟ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ମାନେ ଘଟଣା ଉପରେ ନଜର ରଖିଛନ୍ତି ।

ଆନ୍ଦୋଳନ କଣ ପାଇଁ ?
ଦୀର୍ଘ ଦୁଇ ବର୍ଷ ହେବ ଖରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ପାଣି ଦେବାକୁ ବିରୋଧ କରି ସ୍ଥାନୀୟ ଲୋକେ ଆନ୍ଦୋଳନ କରି ଆସୁଛନ୍ତି । ଆନ୍ଦୋଳନକାରୀଙ୍କ ଯୁକ୍ତି ହେଉଛି ଯେ , ଯଦି ଖରସ୍ରୋତା ନଦୀର ମଧୁର ଜଳ ଭଦ୍ରକ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଦିଆଯାଏ ତେବେ ସ୍ଥାନୀୟ କନିକା ଓ ଆଳି ଅଂଚଳରେ ଭୂତଳ ଜଳସଙ୍କଟ ଦେଖାଦେବା । ଏଥିସହିତ ଲୁଣି ପାଣି ଚାଷ ଜମିକୁ ନଷ୍ଟ କରିଦେବା । ୨୦୧୯ ଅକ୍ଟୋବର ୮ ଠାରୁ ମେଗାପାନୀୟ ଜଳ ପ୍ରକଳ୍ପକୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଏହାକୁ ବିରୋଧ କରି ଆନ୍ଦୋଳନ କରି ଆସୁଛି। ଗତ ମଙ୍ଗଳବାର ଦିନ ଠିକା କମ୍ପାନି ଭାରୀଗଦାସ୍ଥିତ ଖରସ୍ରୋତା ନଦୀରେ ପ୍ରକଳ୍ପ କାମ ଆରମ୍ଭ କରିବାରୁ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା ।

ମଙ୍ଗଳବାର ଦିନ ଦୁଇ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ଦୋଳଗୋବିନ୍ଦ ନାୟକଙ୍କ ସମେତ ଦୁଇ ଶହରୁ ଅଧିକ ଲୋକଙ୍କୁ ପୁଲିସ ଗିରଫ କରି ପରେ ଛାଡ଼ି ଦେଇଥିଲା । ଏହାପରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ବୁଧବାର ଆନ୍ଦୋଳନ ସ୍ଥଗିତ ରଖି ସଂଗ୍ରାମ ସମିତି ମଜବୁତ୍ ରଣନୀତି ପ୍ରସ୍ତୁତ କରିଥିଲା। ଏବଂ ଗୁରୁବାର ଦିନ ସମିତି ପକ୍ଷରୁ ମହାସଂଗ୍ରାମର ଡାକରା ଦିଆଯାଇଥିଲା। ପ୍ରଶାସନ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧକୁ ନଜରରେ ରଖି ପ୍ରକଳ୍ପ ସ୍ଥଳ ସମେତ ଏହାକୁ ଲାଗି ରହିଥିବା ତିନିଟି ପଞ୍ଚାୟତ ବରୁଣଡିହ , ଭାରୀଗଦା ଓ ବାଳକାଟିରେ ୧୪୪ ଧାରା ଲଗାଇଥିଲା । ଗୁରୁବାର ସକାଳୁସକାଳୁ ଆନ୍ଦୋଳନକାରୀ ମାନେ ଅଚ୍ୟୁତପୁର ଅନ୍ଧାରଘରଣୀ ଠାକୁରାଣୀ ପୀଠରେ ପହଞ୍ଚି ଯାଇଥିଲେ।

ପୁଲିସ ଏହାକୁ ଦୃଷ୍ଟିରେ ରଖି ଚନ୍ଦନ ପୋଖରୀ ଛକ , ଅଚ୍ୟୁତପୁର ଛକ , ଭାରୀଗଦା , ବରୁଣଡିହା ଛକ ଓ ବାଳକାଟି ଛକରେ ବ୍ୟାରିକେଟ ଲଗାଇ ଯାଞ୍ଚ କରୁଥିଲା । କିନ୍ତୁ ସମିତି ଡାକରାରେ ହଜାର ହଜାର ମହିଳା ଓ ପୁରୁଷ ଏକାଠି ହୋଇ ‘ ଖରସ୍ରୋତାରେ ପାଣି ନାହିଁ , ଭଦ୍ରକ ଯିବ କ’ଣ ପାଇଁ ” ଏଭଳି ସ୍ଲୋଗାନ ଦେଇ ପ୍ରକଳ୍ପ ସ୍ଥଳ ଅଭିମୁଖେ ବାହାରିଥିଲେ । ଜିଲ୍ଲାର ସବୁ ତହସିଲଦାର, ବିଡିଓ, ଉପଜିଲ୍ଲାପାଳ, ପୁଲିସ ଅଧିକାରୀ ଆନ୍ଦୋଳନ ନିୟନ୍ତ୍ରଣ ପାଇଁ ବରୁଣାଡିହା-ଭାରିଗଦା ଛକରେ ସସସ୍ତ୍ର ପୁଲିସ ଫଉଜ ସହ ଡେରା ପକାଇଥିଲେ। ଅଚ୍ୟୁତପୁର ପଟୁ ହଠାତ ମାଡି ଆସିଲେ ଶହଶହ ମହିଳା, ପୁରୁଷ ଆନ୍ଦୋଳନକାରୀ। ପୁଲିସ ସେମାନଙ୍କୁ ପ୍ରଥମେ ବରୁଣାଡ଼ିହା , ପରେ ଅଚ୍ୟୁତପୁର ଛକରେ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆନ୍ଦୋଳନକାରୀ ମାନେ ବ୍ୟାରିକେଟ୍ ଭାଙ୍ଗି ପ୍ରକଳ୍ପ ସ୍ଥଳକୁ ଧସେଇ ପଶିଥିଲେ ୧୪୪ ଧାରା ଜାରି ହୋଇଥିବା ସତ୍ତ୍ୱେ ଲୋକେ ତାହାକୁ ବି ମାନି ନଥିଲେ । ଆନ୍ଦୋଳନକାରୀ ମାନେ କମ୍ପାନିର ଅସ୍ଥାୟୀ କ୍ୟାମ୍ପ , ପାଣିଟାଙ୍କି , ମେସିନ୍ , ହାଇୱା , ଟ୍ରଲର୍ , କାର୍ , ଆମ୍ବୁଲାନ୍ସ , ଚେୟାର ଇତ୍ୟାଦି ଭଙ୍ଗାରୁଜା କରିଥିଲେ । ଏମିତିକି ଟେକା ପଥର ମାଡ଼ ହୋଇଥିଲା । ମାତ୍ର ଘଣ୍ଟାକ ଭିତରେ ପ୍ରକଳ୍ପ ସ୍ଥଳ ରଣକ୍ଷେତ୍ର ପାଲଟିଗଲା । ପୁଲିସ ସାଙ୍ଗରେ ଧସ୍ତାଧସ୍ତି ହେବା କାରଣରୁ ସଂଗ୍ରାମ ସମିତିର ସଭାପତି ଦୁର୍ଯ୍ୟୋଧନ ମହାନ୍ତି , ସଂପାଦକ ବିଧାନ ଦାସ , ଶରତ ରାଉତ , ଲିପ୍ତା ନାୟକ ଆହତ ହୋଇଥିବା ବେଳେ ସେମାନଙ୍କୁ ଅଟକାଇବାକୁ ଯାଇ ପଟ୍ଟାମୁଣ୍ଡାଇ ଏସ୍ଡିପିଓ ସଂଧ୍ୟାରାଣୀ ବେହୁରିଆ ମଧ୍ୟ ଆହତ ହୋଇଥିଲେ ।

ଅପରପକ୍ଷରେ ସଂଗ୍ରାମ ସମିତି ଘୋଷଣା କରିଛି ଯେ ପ୍ରକଳ୍ପ ପୂର୍ବରୁ ସେଠାରେ ବ୍ୟାରେଜ୍ ନିର୍ମାଣ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ । ତେବେ କେନ୍ଦ୍ରପଡା ଜିଲ୍ଲାପାଳ ଅପ୍ରିତ ଋତୁରାଜ ଏ ବାବଦରେ କହିଛନ୍ତି ଯେ ପ୍ରକଳ୍ପ କାମ ବନ୍ଦ ହେବ ନାହିଁ । ପୂର୍ବଭଳି ଚାଲୁ ରହିବ । ଗୁରୁବାର ହୋଇଥିବା ହିଂସାକାଣ୍ଡରେ ଯାହା ସବୁ କ୍ଷୟକ୍ଷତି ହୋଇଛି , ତାହାକୁ ତୁରନ୍ତ ମରାମତି କରି ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ ଅଦାନିକୁ ପ୍ରକଳ୍ପକୁ ପାଣି ଯିବ ବୋଲି ଯେଉଁ ପ୍ରଚାର ହେଉଛି , ତାହା ସଂପୂର୍ଣ୍ଣ ମିଛ । ଉଭୟ ଭଦ୍ରକ ଏବଂ ଆଳି – କନିକା ପାଇଁ ହୋଇଥିବା ପାନୀୟ ଜଳପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ମାତ୍ର ୪ରୁ ୫ପ୍ରତିଶତ ପାଣି ଖରସ୍ରୋତାରୁ ଯିବା ତେଣୁ ଭୂତଳ ଜଳ ସଂକଟ ଏବଂ ଲୁଣି ପାଣି ଚରିଯିବ ବୋଲି ଯେଉଁ ବାର୍ତ୍ତା ଦିଆଯାଉଛି ତାହା ସମ୍ପୂର୍ଣ୍ଣ ମିଛ।
