
ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବହନ କରୁଥିବା ଉତ୍ତର ପ୍ରଦେଶରେ ଆଜି ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ ପକ୍ରିୟା | ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ | ଯାହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ | ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୯ଟି ଜିଲ୍ଲାରେ ୫୯ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ମୋଟ୍ ୬୨୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ୨୦୧୭ ନିର୍ବାଚନରେ ବିଜେପି ଏହି ୫୯ଟି ଆସନରୁ ୫୧ଟିରେ ଜିତିଥିଲା ।
୪ଟି ଆସନ ସମାଜବାଦୀ ପାର୍ଟି ବିଜୟୀ ହୋଇଥିଲା । ବିଏସପି ୩ଟି ଆସନ ଓ ବିଜେପି ସହଯୋଗୀ ଆପନା ଦଳ ଗୋଟିଏ ଆସନ ଜିତିଥିଲା । ଚତୁର୍ଥ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି, ଉତ୍ତରପ୍ରଦେଶ ଆଇନମନ୍ତ୍ରୀ ବ୍ରିଜେଶ ପାଠକ । ଅନ୍ୟ ଜଣେ ମନ୍ତ୍ରୀ ଆଶୁତୋଷ ଟାଣ୍ଡନ ଲକ୍ଷ୍ନୌ ପୂର୍ବ ଆସନରୁ ଲଢୁଛନ୍ତି । କଂଗ୍ରେସ ଦଖଲରେ ଥିବା ରାଏବରେଲି ବି ଚଳିତ ପର୍ଯ୍ୟାୟରେ ଭୋଟ୍ ହେଉଛି ।
ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ୯ଟି ବିଧାନସଭା ଆସନ ପାଇଁ ଭୋଟ ଚାଲିଛି। ତେବେ ସରୋଜିନି ନଗର ଆସନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଏଠାରେ ଇଡିର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ରାଜେଶ୍ୱର ସିଂହ ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ଟକ୍କର ଦେବାକୁ ସପା ଆଇଆଇଏମର ପୂର୍ବତନ ପ୍ରଫେସର ଅଭିଷେକ ମିଶ୍ରାଙ୍କୁ ପ୍ରାର୍ଥୀ କରିଛି।
ରାଏବରେଲୀରେ ସମସ୍ତଙ୍କ ଫୋକସ ଅଦିତି ସିଂହ ଉପରେ ରହିଛି। ସେ ୨୦୧୭ରେ ରାଏବରେଲୀ ସଦର ଆସନରୁ କଂଗ୍ରେସ ଟିକେଟରେ ଜିତିଥିଲେ। କିନ୍ତୁ ଏଥର ସେ ବିଜେପିରୁ ନିର୍ବାଚନ ଲଢ଼ୁଛନ୍ତି। କଂଗ୍ରେସ ତାଙ୍କ ବିରୋଧରେ ମନୀଷ ଚୌହ୍ୱାନ ପ୍ରାର୍ଥୀ କରିଛି।
ଅନ୍ୟପକ୍ଷରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ବାଚନ କମିଶନ ୧୩୭ଟି ପିଙ୍କ ବୁଥର ବ୍ୟବସ୍ଥା କରିଛନ୍ତି। ଲକ୍ଷ୍ନୌ ଖ୍ରୀଷ୍ଟ ଚର୍ଚ୍ଚ କଲେଜ କର୍ତ୍ତୃପକ୍ଷ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି। ଯେଉଁ ପିଲାମାନଙ୍କ ବାପା ମା’ ଭୋଟ ଦେବେ, ସେମାନଙ୍କୁ ୧୦ ମାର୍କ ମିଳିବ।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଆହୁରି ୩ଟି ପର୍ଯ୍ୟାୟରେ ଭୋଟିଂ ହେବ। ଫେବୃଆରୀ ୨୭, ମାର୍ଚ୍ଚ ୩ ଓ ମାର୍ଚ୍ଚ ୭ରେ ଲୋକମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହାପରେ ମାର୍ଚ୍ଚ ୧୦ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ |