ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ପଡୁଛି ଉଠୁଛି ରାଜ୍ୟ ରାଜନୀତି | ଦଳ ପକ୍ଷରୁ ପ୍ରାଥୀ ଚୟନ, ଦଳ ପକ୍ଷରୁ ପ୍ରାଥୀ ପତ୍ର ଦାଖଲ , ଦଳ ପକ୍ଷରୁ ନିର୍ବାଚନୀ ରାଲି ଜାରି ରହିଛି | ତେବେ ଏହାରି ମଧ୍ୟରେ ଦଳମାନେ ଲୋକମାନଙ୍କୁ ଆକର୍ଶଣୀୟ ପ୍ରତିଶ୍ରୁତିମାନ ଦେବାରେ ଲାଗିଛନ୍ତି । କିଏ ମାଗଣା ପାଣି ଓ ବିଜୁଳିର କଥା କହୁଛି ତ କିଏ ଚାଷୀଙ୍କୁ ଋଣ ଛାଡର କଥା କହୁଛି । ଏହାସହ କିଛି ରାଜନୈତିକ ଦଳମାନେ ଏଭଳି ପ୍ରତିଶ୍ରୁତି ଦେଉଛନ୍ତି କି ସେମାନେ କ୍ଷମତାକୁ ଆସିଲେ ଆଉ ବେକାରୀ ସମସ୍ୟା ରହିବ ନାହିଁ ।
ଏହି କ୍ରମରେ ଆଜି ଉତ୍ତରଖଣ୍ଡରେ କଂଗ୍ରେସ ନିର୍ବାଚନୀ ଘୋଷଣା ପତ୍ର ଜାରି କରିଛି । ଏହି କ୍ରମରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହି ଘୋଷଣା ପତ୍ରକୁ ଭର୍ଚୁଆଲୀ ଉନ୍ମୋଚନ କରିଛନ୍ତି । ପ୍ରିୟଙ୍କା କହିଛନ୍ତି କି ଉତ୍ତରାଖଣ୍ଡରେ କଂଗ୍ରେସ କ୍ଷମତାକୁ ଫେରିଲେ ରାଜ୍ୟର ୫ ଲକ୍ଷ ପରିବାରକୁ ବାର୍ଷିକ ୪୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ ଯଦି କଂଗ୍ରେସ ସରକାରକୁ ଫେରେ ତେବେ ରାଜ୍ୟର ୪ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଚାକିରୀ ଦିଆଯିବ ବୋଲି କଂଗ୍ରେସ ତା’ର ଘୋଷଣା ପତ୍ରରେ ଉଲ୍ଲେଖ କରିଛି ।
ଅନ୍ୟପଟେ ସ୍ୱାସ୍ଥ୍ୟସେବାକୁ ନେଇ ପ୍ରିୟଙ୍କା କହିଛନ୍ତି କି କଂଗ୍ରେସ ସରକାର ଗଠନ ହେଲେ ପ୍ରତି ଦ୍ୱାରରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଯିବ । ଏହାସହ ରାଜ୍ୟରେ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି କଂଗ୍ରେସ ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଇଛି ।
କହିରଖୁ କି ପ୍ରିୟଙ୍କା ଗାନ୍ଧୀ ଡେରାଡୁନ ଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା ବେଳେ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି ସାରା ଦେଶରେ ଆଖୁଚାଷୀମାନେ ୧୪ ହଜାର କୋଟି ଟଙ୍କାର ବକେୟା ରାଶି ପାଇ ନଥିବା ବେଳେ ପ୍ରଧାନମନ୍ତ୍ରୀ ନିଜପାଇଁ ୧୪ ହଜାର କୋଟି ଟଙ୍କାର ୨ ଟି ହେଲିକପ୍ଟର କିଣୁଛନ୍ତି ।





