ଓଡିଶାରେ ସରକାର ବଦଳିବ

ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏହାସହ ସେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଆହୁରି ମଧ୍ୟ ବିଜେପିକୁ ବହୁମାତ୍ରାରେ ଭୋଟ ଦେଇ ବିଜୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ସବୁଠାରୁ ରୋଚକ କଥା ହେଉଛି କି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡାଙ୍କ ପରେ ମୋଦୀ ହିଁ ଜଣେ ମାତ୍ର ପ୍ରଧାନମନ୍ତ୍ରୀ ଯିଏ କଳାହାଣ୍ଡି ଗସ୍ତ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ସେ ଶାସକ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି । ୧୯ ବର୍ଷର ଶାସନରେ ଥିବା ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ପାଇଁ କିଛି କରିନଥିବା ମୋଦୀ କହିଛନ୍ତି । ଭାଷଣ ଆରମ୍ଭରୁ ସେ ମାଣିକଶ୍ୱରୀ ଦେବୀଙ୍କୁ ସ୍ମରଣ କରିଥିଲେ । ମାଟିର ବରପୁତ୍ର ଚକରା ବିଶୋୟୀ, ମଧୁସୁଦନ ଦାସ, ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିଥିଲେ । ଏହାପରେ ସେ କହିଥିଲେ ଯେ ଦେଶ ଏହି ପ୍ରଧାନସେବକଙ୍କୁ ୫ବର୍ଷ ପୂର୍ବରୁ ଦିଲ୍ଲୀର ଦାୟିତ୍ୱ ଦେଇଥିଲେ । ଗତ ୫ ବର୍ଷରେ ଗୋଟିଏ ହେଲେ ଛୁଟି ନନେଇ ଅବିରତ ଭାବେ କାମ କରାଯାଇଛି । ଦେଶର ସେବା କରାଯାଇଛି । ସମସ୍ୟାର ସମାଧାନ ହୋଇଛି । ସଫଳତା ପୂର୍ବକ ଆଗକୁ ବଢିଛି ଦେଶ । ଏଥିପାଇଁ ଓଡିଶା, ଭାରତ ସମର୍ଥନ କରିଛନ୍ତି । ଜନତାଙ୍କ ଆଶୀର୍ବାଦ ନଥିଲେ ଏହା ସମ୍ଭବ ହୋଇନଥାନ୍ତା । ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଭଲ ସମର୍ଥନ ମିଳିଛି । ଓଡିଶାବାସୀ ଏହି ଚୌକିଦାର ସହ ରହିଛନ୍ତି ।

ଏହାପରେ ମୋଦୀ ଏନଡିଏ ସରକାରର ସଫଳତା ବଖାଣି କହିଥିଲେ ଯେ ଗତ ୫ ବର୍ଷରେ ଓଡିଶାର ପ୍ରାୟ ୮ଲକ୍ଷ ଗରିବଙ୍କ ପରିବାରକୁ ଘର ମିଳିଛି । ୩ ହଜାର ଗ୍ରାମକୁ ବିଜୁଳି ପହଞ୍ଚିଛି । ୨୪ଲକ୍ଷ ଘରୁ ଅନ୍ଧାର ଦୂର ହୋଇଛି । ରାଜ୍ୟର ୪୦ଲକ୍ଷ ଗରିବ ଭଉଣୀଙ୍କୁ ମାଗଣା ଗ୍ୟାସ ମିଳିଛି । ଧୂଆଁରୁ ମୁକ୍ତି ମିଳିଛି । ଏକ କୋଟି ୪୦ଲକ୍ଷ ଲୋକଙ୍କ ବ୍ୟାଙ୍କରେ ଖାତା ଖୋଲାଯାଇଛି । ୫୦ଲକ୍ଷ ଶୌଚାଳୟ ନିର୍ମାଣ ହୋଇଛି । ଏହା ମା ଏବଂ ଭଉଣୀଙ୍କ ସମ୍ମାନ ଉଦ୍ଦେଶ୍ୟରେ ହୋଇଛି । ଏହା ସବୁ ଜନତାଙ୍କ ଭୋଟ କାରଣରୁ ହୋଇଛି । ଯାହା ଭାରତର ଭାଗ୍ୟ ବଦଳାଇଛି । ଗରିବଙ୍କ ଜୀବନରେ ଆଲୋକ ଆଣିଛି । ନୂଆ ବିଶ୍ୱାସ ସୃଷ୍ଟି କରିଛି ।

ମୋଦୀ କେବଳ ଜଣେ ସେବକ । କିନ୍ତୁ ପ୍ରକୃତ ଶ୍ରେୟ ସମସ୍ତ ଭାରତୀୟ ଅଟନ୍ତି । ଜନତା ହିଁ ନିଜର ଭାଗ୍ୟ ବିଧାତା । ଏହି କାମ ଆହୁରି ଅଧିକ ଗତିରେ ହେବ । କିନ୍ତୁ ରାଜ୍ୟ ସରକାର ଅଚଳ ହୋଇଯାଇଛନ୍ତି । କେନ୍ଦ୍ରକୁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । କେନ୍ଦ୍ର ଯୋଜନାର ଲାଭରେ ପିଲାଙ୍କୁ ପାଠ, କୃଷକଙ୍କୁ ଜଳସେଚନ, ଯୁବକଙ୍କୁ ନିଯୁକ୍ତି ସବୁ ସୁବିଧା ସୁଯୋଗ ମିଳିଛି । କଂଗ୍ରେସ ସରକାରରେ ମଧ୍ୟ ଆଦିବାସୀ ସମାଜ ଥିଲେ କିନ୍ତୁ ସେମାନେ କିଛି ଚିନ୍ତା କରୁନଥିଲେ । ଆଦିବାସୀ ମନ୍ତ୍ରାଳୟ ଗଠନ ହୋଇନଥିଲା । କିନ୍ତୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏହାକୁ ଗଠନ କରିଥିଲେ । ସ୍ୱତନ୍ତ୍ର ବଜେଟ ଉପସ୍ଥାପନ ହେଲା । ଓଡିଶା ଏବଂ ଭାରତରେ ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ ଗଠିତ ହୋଇଛି । ଏହାର ଅନେକ ମହତ୍ୱ ରହଛି । ଜଙ୍ଗଲ ଉତ୍ପାଦର ବିକ୍ରି ମୂଲ୍ୟ ଗଠନ କରାଯାଇଛି ।

ଓଡିଶାରେ ସରକାର ବଦଳିବ
୫ ବର୍ଷ ପୂର୍ବରୁ ୧୦ଟି ବନଜାତ ଦ୍ରବ୍ୟରେ ଏମଏସପି ମିଳୁଥିଲା ଯାହା ଏବେ ୫୦ ଛୁଇଁଚି । ବାଉଁଶ ନିୟମରେ ମଧ୍ୟ ପରିବର୍ତନ ହୋଇଛି । ୧ଲକ୍ଷ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ ହୋଇଛି । ବିକାଶ ପାଇଁ ସମସ୍ତ କାର୍ଯ୍ୟ କରାଯାଉଛି । ଫଳରେ ଅନେକ ନକ୍ସଲ ଯୁବକ ସମାଜର ମୁଖ୍ୟଧାରାରେ ସାମିଲ ହେଉଛନ୍ତି । ଚଳିତ ଥର ଓଡିଶା ନୂଆ ଇତିହାସ ରଚିବାକୁ ଯାଉଛି । ଓଡିଶାରେ ସରକାର ବଦଳିବ । ଦିଲ୍ଲୀରେ ସରକାର ଆହୁରି ମଜବୁତ ହେବ । ଏହି ବିଶ୍ୱାସ ଦିଲ୍ଲୀରେ ପହଞ୍ଚିଛି । କେନ୍ଦ୍ର ସରକାରଙ୍କ ଯୋଜନା ପାଇଁ ଦେଶରେ ଗରିବ କମ ହୋଇଛି । ଓଡିଶାରେ ବିଜେପି ସରକାର ଆସିଲେ ଗରିବଙ୍କ ସ୍ଥିତିରେ ପରିବର୍ତନ ହେବ ।

ମୋଦୀ ଆହୁରି କହିଛନ୍ତି ଯେ କଂଗ୍ରେସ ଏବଂ ବିଜେଡି ଗରିବଙ୍କୁ ଗରିବ ରଖିବାକୁ ଷଡଯନ୍ତ୍ର ରଚିଛନ୍ତି । ଗରିବଙ୍କୁ ସେମାନେ ଭୋଟବ୍ୟାଙ୍କ ଭାବନ୍ତି । ଗରିବଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ଫଳରେ ଅନେକ ଦାନା ମାଝୀଙ୍କୁ ଆମ୍ବୁଲାନ୍ସ ମିଳିନାହିଁ । ଅନେକ ଲୋକଙ୍କୁ ଘର ପରିବାର ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡୁଛି । ଓଡିଶାର ବିକାଶରେ ବାଧା ପହଞ୍ଚିଛି । କଳାହାଣ୍ଡି ସହ କଂଗ୍ରେସର ପରିଚୟ ଯୋଡି ହୋଇଛି । ଏହା ହେଉଛି କଂଗ୍ରେସ ଦ୍ୱାରା ନିଜର ବିଫଳତାକୁ ବଖାଣିବାର ଉଦାହରଣ । ପୂର୍ବରୁ କଂଗ୍ରେସର ରିମୋର୍ଟ କଣ୍ଟ୍ରୋଲ ସରକାରରେ ସୁଧାର ଆସିଥିଲା ରାଜୀବଙ୍କ ସମୟରେ ୧୫ ପଇସା ଆସିଥିଲା କିନ୍ତୁ ମନମୋହନ ସରକାରରେ ୧୬ ପଇସା ଆସିଲା । ଗରିବଙ୍କ ଟଙ୍କା ସେମାନେ ଲୁଟିଛନ୍ତି । ଏମାନଙ୍କୁ ଭରସା କରିବା ଅନୁଚିତ । ଏମାନଙ୍କୁ କ୍ଷମା ଦିଆଯାଇ ପାରିବ ନାହିଁ । ସେମାନେ ଗରିବ କହି ଗରିବଙ୍କ ହକ ଲୁଟିଥାନ୍ତି । କିନ୍ତୁ ବିଜେପି ଏହା ୫ ବର୍ଷରେ କରି ଦେଖାଇଲେ ।

ବର୍ତମାନ କେନ୍ଦ୍ର ଦିଲ୍ଲୀରୁ ୧୦୦ ପଇସା ପଠାଇଲେ ସବୁ ପଇସା ଗରିବଙ୍କ ପକେଟରେ ପହଞ୍ଚୁଛି । ୮କୋଟି ଏପରି ଫର୍ଜି ଲୋକଙ୍କୁ ସନ୍ଧାନ କରାଯାଇଛି ଯେଉଁମାନେ ଗରିବଙ୍କୁ ଲୁଟ କରିଛନ୍ତି । କେନ୍ଦ୍ର ସରକାର ୨୪ ଟଙ୍କାରେ ଗହମ କିଣିଥାନ୍ତି ଯାହା ଗରିବଙ୍କୁ ୨ଟଙ୍କାରେ ମିଳେ । ଚାଉଳ ମଧ୍ୟ ୩୦ ଟଙ୍କାରେ କିଣିଥାନ୍ତି କେବଳ ୩ଟଙ୍କାରେ ଗରିବଙ୍କୁ ମିଳିଥାଏ । କିନ୍ତୁ ଏହାର ସୁଫଳ ଗରିବଙ୍କୁ ମିଳୁ ନଥିଲା । ଯାହା ଏବେ ଦୂର ହୋଇଛି । କଳାଧନ ଉପରେ ରୋକ ଲାଗିଛି । ଗରିବଙ୍କୁ ସେମାନଙ୍କ ହକ ମିଳିଛି । ଜାଲ ହିତାଧିକାରୀଙ୍କୁ ସରକାର ଧରିଛନ୍ତି । କିନ୍ତୁ ଗରିବଙ୍କୁ ଲୁଟିଥିବା ବିରୋଧୀ ଚୌକିଦାର ହଟାଅ ଏବଂ ମୋଦୀ ହଟାଅ କହୁଛନ୍ତି । ଗରିବଙ୍କ ହକକୁ ରକ୍ଷା କରିବା ପାଇଁ ଏହି ଗାଳି ମୋ ପାଇଁ ଗହଣା ସଦୃଶ ।

ବିଜେଡିର ୨୦ ବର୍ଷରେ ଖଣିମାଫିଆ, ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଲାଭ ମିଳିଛି । ରାଜ୍ୟ ସରକାର ଏମଏସପି ବୃଦ୍ଧି କରୁନାହାନ୍ତି । ଠିକ ଭାବେ ଧାନ କିଣିପାରୁ ନାହାନ୍ତି । ବିଜେଡି ସରକାର ଗରିବଙ୍କ ସହ କୃଷକଙ୍କ ଶ୍ରତୁ ମଧ୍ୟ ଅଟନ୍ତି । ପିଏମକିଷାନ ନିଧୀ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି । ତାଲିକା ପ୍ରଦାନ କରୁନାହାନ୍ତି । ବିଜେଡି ଏହା ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି । ଆୟୁଷ୍ମାନ ଯୋଜନା ସହ ବି ବିଜେଡି ସରକାର ଏହା କରିଛି । ଏହାସହ ମୋଦୀ କହିଛନ୍ତି ଯେ, ୧୯ ବର୍ଷର ସମୟ କମ ନୁହେଁ । କିନ୍ତୁ ଓଡିଶାର ବିକାଶ ହୋଇନାହିଁ । ଏବେ ପରିବର୍ତନର ସମୟ ଆସିଯାଇଛି । ବିକାଶର ଡବଲ ଇଞ୍ଜିନ ପାଇଁ ଭୋଟ ଦେବାକୁ ହେବ । ବହୁ ବର୍ଷ ତଳେ ଦେଶ ପାଇଁ ମୁରଲି ମନୋହର ଯୋଶୀ ଏକ ଯାତ୍ରା ଆରମ୍ଭ କରିଥିଲେ । କାଶ୍ମୀରର ଲାଲଚୌକରେ ତ୍ରିରଙ୍ଗା ପାଇଁ ଏହି ଯାତ୍ରାକୁ କଳାହାଣ୍ଡିବାସୀ ବହୁତ ଭଲପାଇବା ଦେଇଥିଲେ । ଏହା ପରେ ମୋଦୀ ଜୟ ଜଗନ୍ନାଥଙ୍କୁ ସ୍ମରଣ କରି ବକ୍ତବ୍ୟ ଶେଷ କରିଥିଲେ ।

Leave A Reply

Your email address will not be published.