ଓମିକ୍ରନକୁ ନେଇ ବଢିଲା ଚିନ୍ତା, ଆସନ୍ତାକାଲି ଅଧିକାରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ

ଦେଶ ବାସୀଙ୍କୁ ଏବେ ଘରୁଚି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ଚିନ୍ତା । ଦ୍ରୁତଗତିରେ ବୃଦ୍ଧିପାଇବାରେ ଲାଗିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ମୋଟ ୨୨୦ ଜଣ ଲୋକ ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇସାରିଲେଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ମହାରାଷ୍ଟ୍ରରେ ସର୍ବାଧିକ ୬୫ ଜଣ ଲୋକ ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହାସହ ଦିଲ୍ଲୀରେ ବି ୫୪ ଜଣ ଲୋକଙ୍କ ଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛି । ସେହିଭଳି ଓଡିଶାରେ ୨ ଜଣ ଓ ଜମ୍ମୁ-କାଶ୍ମୀରରେ ୩ ଜଣଙ୍କ ସହ ଏବେ ଦେଶର ୧୪ ଟି ରାଜ୍ୟରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟ ରାଜ୍ୟମାନଙ୍କର କଥା କୁହାଗଲେ ତେଲେଙ୍ଗାନା ୨୦, କର୍ଣ୍ଣାନଟ ୧୯,ରାଜସ୍ଥାନ ୧୮, କେରଳ ୧୫, ଗୁଜୁରାଟ ୧୪ ଓ ଉତ୍ତର ପ୍ରଦେଶରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଚଣ୍ଡିଗଡରେ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟ ମାନଙ୍କରେ ସଂକ୍ରମିତ ସଂଖ୍ୟା ବଢ଼ୁଥିବା ବେଳେ, ସରକାର ଏବେ ଚିନ୍ତାରେ ପଡିଛନ୍ତି । ଏହାର ମୁକାବିଲା ନେଇ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ଓ ଲୋକଙ୍କୁ କିଭଳି ଏହି ମହାମାରୀରୁ ରକ୍ଷା କରାଯାଇ ପାରିବ ସେନେଇ ଅଧିକାରୀମାନେ ସେମାନଙ୍କ ମତ ରଖିବେ ।

Related Posts