ଓଡ଼ିଶାରେ ଏଥର ବିଜେପି ସରକାର

ଓଡିଶାରେ ପରିବର୍ତନ ହେବା ଦରକାର

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ଜୟପୁରର ବାଙ୍କବିଜା ପଡିଆରେ ଜନତାଙ୍କୁ ଉଦବୋଧନ ଦେଇ ଆଗାମୀ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେବ ବୋଲି କହିଛନ୍ତି । ଏହି ସଭାରେ ସେ କହିଥିଲେ ଯେ ୨୦୧୪ରେ ଯେଉଁ କଥା ଦେଇଥିଲେ ତାକୁ ପୂରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ଏବଂ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବାକୁ ଆସିଛନ୍ତି ବୋଲି କହିଛନ୍ତି । ଯଦି ଗତ ୫ ବର୍ଷର କେନ୍ଦ୍ର ସରକାରଙ୍କ ସଫଳତାର ଶ୍ରେୟ ସେ ଦେଶବାସୀ ଏବଂ ଓଡ଼ିଶାବାସୀଙ୍କୁ ଦେଇଛନ୍ତି ।

ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ କାର୍ଯ୍ୟ କରାଯାଇଛି । ରେଳବାଇ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ କାର୍ଯ୍ୟ କରାଯାଇଛି ବୋଲି ମୋଦୀ କହିଛନ୍ତି । ମୋଦୀ ମଧ୍ୟ ଡବଲ ଇଞ୍ଜିନ କଥାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ କ୍ଷମତାରେ ଥିବା ଦଳକୁ ଗାଦିଚ୍ୟୁତ କରାଯିବା ଉଚିତ । ଆଗାମୀ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶା ସରକାର ଲାଗୁ କରୁନଥିବା ହେତୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିବା ମୋଦୀ ଓଡିଶାବାସୀଙ୍କୁ ଆପଣ କେମିତି ଅଛନ୍ତି ବୋଲି ଓଡିଆରେ ପଚାରିଥିଲେ । ଏହାପରେ ସେ ଗୁପ୍ତେଶ୍ୱର, ତାରିଣୀଙ୍କ ଆଶୀର୍ବାଦ ମାଗିଥିଲେ । ଏହାସହ ପଦ୍ମଶ୍ରୀ କମଳା ପୂଜାରୀ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । ତାଙ୍କୁ ମୋଦୀ ପ୍ରଶଂସା କରିବା ସହିତ ସହିଦ ଲକ୍ଷ୍ମଣ ନାୟକଙ୍କୁ ମଧ୍ୟ ମନେ ପକାଇଥିଲେ ମୋଦୀ ।

ଏହାପରେ ମୋଦୀ କହିଥିଲେ ଯେ ୨୦୧୪ରେ ଯେତେବେଳେ ଓଡିଶା ଆସିଥିଲେ ନିଷ୍ଠାର ସହ ଆପଣଙ୍କ ସେବା କରିବି ବୋଲି କହିଥିଲି । ଆପଣଙ୍କ ପ୍ରଧାନସେବକ ଭଳି ଏକ ଚେଷ୍ଟା ରହିଛି କି କୌଣସୀ ନାଗରିକଙ୍କର କିଛି ଅଭାବ ରହିବନି । ଜନତା ଯେଭଳି ଭାବେ ମୋତେ ସମର୍ଥନ କରିଛନ୍ତି, ଦିଗ ଦେଖାଇଛନ୍ତି, ବିରୋଧୀଙ୍କ ମୁକାବିଲା କରିଛନ୍ତି ଏଥିପାଇଁ ଆପଣଙ୍କ ନିକଟରେ କୃତଜ୍ଞ । ଓଡିଶାର ଭାଇଭଉଣୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ।

ମୋର ପ୍ରଥମ କାମ ହେଉଛି ଓଡିଶାବାସୀଙ୍କ ଧନ୍ୟବାଦ କରିବା । ୮ଲକ୍ଷ ଗରିବଙ୍କୁ ଓଡିଶାରେ ଘର ମିଳିଛି । ଉଜ୍ଜ୍ୱଳା ଯୋଜନାରେ ୪୦ ଲକ୍ଷ ଘରେ ଗ୍ୟାସ ପହଞ୍ଚିଛି । ୩୦୦୦ ଗ୍ରାମରେ ଅନ୍ଧାର ହଟିଛି, ଆପଣଙ୍କ ଜୀବନରେ ସମୃଦ୍ଧି ହୋଇଛି । ୨୪ଲକ୍ଷ ଘରରେ ବିଜୁଳି ମାଗଣାରେ ପହଞ୍ଚଛି । ଏଥିପାଇଁ ଓଡିଶାବାସୀଙ୍କ ପ୍ରେରଣା ରହିଛି । ଯଦି ବିଜେପି ସରକାରର ୫ ବର୍ଷର ସଫଳତାର କେହି ହକଦାର ରହେ ତେବେ ସେ ହେଉଛନ୍ତି ଭାରତୀୟ ଜନତା, ମତଦାତା, ଓଡିଶାବାସୀ ମଧ୍ୟ ଅଟନ୍ତି ।

ମୋଦୀ ଆହୁରି କହିଛନ୍ତି ଯେ ସମସ୍ତେ ବିକାଶର ରାସ୍ତାରେ ଅଛନ୍ତି । ପିଲାଙ୍କୁ ପାଠ ପଢାଇଛନ୍ତି, ଯୁବକଙ୍କୁ ରୋଜଗାର, ବୃଦ୍ଧଙ୍କୁ ପେନସନ ମିଳିଛି । ଏଥିପାଇଁ ପ୍ରୟାସ ହୋଇଛି । ଗତ ୫ବର୍ଷରେ ବନ ଉତ୍ପାଦରେ ସମର୍ଥକ ମୂଲ୍ୟ ତିନିଥର ବୃଦ୍ଧି ପାଇଛି । ପୂର୍ବରୁ ମାତ୍ର ୧୦ଟି ବନଜାତ ଉପରେ ଏମଏସପି ମିଳୁଥିଲା । ଏବେ ଏହା ଶହେରେ ପହଞ୍ଚିଛି ।

ଓଡିଶାର ବିକାଶ ପାଇଁ ରାସ୍ତା, ରେଳ, ଗ୍ୟାସ ସମସ୍ତ ଉଦ୍ୟୋଗ ସହ ଜଡିତ କାମ ହୋଇଛି । ରେଳବାଇରେ ଏଠାରେ ଅଦ୍ଭୁତପୂର୍ବ କାମ ହୋଇଛି, ରାୟଗଡାରେ ରେଳ ଡିଭିଜନ ହୋଇଛି, ନବରଙ୍ଗପୁର- ମାଲକାନଗିରି ରେଳଲାଇନରେ ବିସ୍ତାର ହୋଇଛି । ଟଙ୍କାର କିଛି ଅଭାବ ନାହିଁ । ମହିଳା, ଯୁବକଙ୍କୁ ରୋଜଗାର ମିଳିଛି । ମୁଦ୍ରା ଯୋଜନାରେ ସଶକ୍ତ କରାଯାଇଛି । ଓଡିଶା ମାଟିରୁ ଦେଶର ବୈଜ୍ଞାନିକଙ୍କୁ ସଫଳତା ମିଳିଛି ।

ଯେତେବେଳେ ବିରୋଧୀ ସେନା, ବୈଜ୍ଞାନିକଙ୍କୁ ନିଚା ଦେଖାଉଛନ୍ତି ଜନତା ସେମାନଙ୍କ ମୁହଁ ବନ୍ଦ କରିଛନ୍ତି । ପୂର୍ବରୁ ଓଡିଶା ଏପରି ଏକ ଐତିହାସିକ ଉପଲବ୍ଧିର ସାକ୍ଷୀ ରହିଛି ଯେ ସାରା ବିଶ୍ୱକୁ ଭାରତର ସାମର୍ଥ୍ୟ ସହ ପରିଚିତ କରିଛି । ଅନ୍ତରୀକ୍ଷରେ ଭାରତ ସଫଳ ହୋଇଛି । ଏହା ଭାରତର ଆତ୍ମବିଶ୍ୱାସ । ସାରା ଦେଶ ଏଥି ପାଇଁ ଗର୍ବ କରୁଛି । ଅନେକ ଲୋକଙ୍କୁ ଭାରତର ଏହି ଉପଲବ୍ଧି ଛୋଟ ନଜର ଆଶୁଛି ୟ ୬୦ ଦଶକରୁ ଗରିବଙ୍କ ସହ ବେଇମାନ କରୁଥିବା ଲୋକ ଏତେ ଡରିଯାଇଛନ୍ତି କି ଦେଶର ବୈଜ୍ଞାନିକ, ସେନାଙ୍କ ସାମର୍ଥ୍ୟକୁ ନିନ୍ଦା କରୁଛନ୍ତି ୟ ଏମାନଙ୍କୁ ଦଣ୍ଡ ମିଳିବା ଦରକାର ।

ଭାରତ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କଲେ ବିରୋଧୀ ଏହାର ପ୍ରମାଣ ମାଗୁଛନ୍ତି । ଗୋଟିଏ ମାସ ହୋଇଗଲା ପାକିସ୍ତାନ ଶବ ଗଣୁଛି କିନ୍ତୁ ବିରୋଧୀ ପ୍ରମାଣ ମାଗୁଛନ୍ତି । ଭୋଟ ଦେବା ପାଇଁ ଗଲାବେଳେ ଆତଙ୍କବାଦୀଙ୍କୁ ଆକ୍ରମଣ କରିଥିବା ସରକାର ଦରକାର ନା ସେମାନଙ୍କୁ ଡରୁଥିବା ସରକାର, ନିଷ୍ପତ୍ତି ନେଉଥିବା ସରକାର ଦରକାର ବୋଲି ମୋଦୀ ଜନତାଙ୍କୁ ପ୍ରଶ୍ନ କରିଛନ୍ତି ।

ଓଡିଶା ଏବଂ ଭାରତକୁ ମଜବୁତ କରୁଥିବା ସରକାର ଦରକାର । ୨୦୧୯ ନିର୍ବାଚନ ସାଂସଦ ଏବଂ ବିଧାୟକ ନିର୍ବାଚନ ନୁହେଁ, ଏହା କେନ୍ଦ୍ର ଏବଂ ରାଜ୍ୟରେ ବିକାଶର ଡବଲ ଇଞ୍ଜିନ ଲଗାଉଥିବା ନିର୍ବାଚନ । ଏହା ୫ ବର୍ଷରେ ମଜବୁତ ଓଡିଶା ଗଠନରେ ସହାୟକ ହେବା । ଓଡିଶା ଯୁବକ, କୃଷକ, ମହିଳା ଆଗକୁ ବଢିଲେ ରାଜ୍ୟରେ ମଜବୁତ ସରକାର ହେବ । ଚିଟଫଣ୍ଡ ଘୋଟାଲା କରିଥିବା, ଗରିବଙ୍କୁ ଲୁଟିଥିବା ଓଡିଶାକୁ ମଜବୁତ କରିପାରିବେ ନାହିଁ, ରାଜ୍ୟର ଭଲ କରିପାରିବେ ନାହିଁ ।

ରାଜ୍ୟ ପ୍ରାକୃତିକ ସମ୍ପଦରେ ଭରପୁର । ଏହା ଗୁଜରାଟରେ ଥିଲେ ଗୁଜରାଟ ଆହୁରି ବିକାଶ ହୋଇଥାନ୍ତା । ଏଠାରେ ଘନ ଜଙ୍ଗଲ, ହ୍ରଦ, ସମୁଦ୍ର ସମସ୍ତ ସୁଯୋଗ ଅଛି । ଯୁବକଙ୍କୁ ରୋଜଗାର ପାଇଁ ଅନେକ ସୁଯୋଗ ରହିଛି । କିନ୍ତୁ ଏଠାକାର ଲୋକ ଗରିବ । ଏହା କଂଗ୍ରେସ ଏବଂ ବିଜେଡି ସରକାର କାରଣରୁ ହୋଇଛି । ଗତ ୬୦ ବର୍ଷ ହେଲା କଂଗ୍ରେସ ଓଡିଶାକୁ ଗରିବ କରି ରଖିଛି । ଗରିବ ଏବଂ ଆଦିବାସୀଙ୍କ ନାମରେ ଯୋଜନା ହେଉଛି କିନ୍ତୁ ସୁଫଳ ମିଳୁନାହିଁ ।

ସାରା ଦେଶରେ ଟିକାକରଣ ହେଉଛି ହେଲେ ଓଡିଶାରେ ହେଉନାହିଁ। କାରଣ ଏଠାରେ କେନ୍ଦ୍ର ସହ କାନ୍ଧ ମିଳାଇ ·ଲିପାରୁଥିବା ବିଜେପି ସରକାର ନାହିଁ । ଆୟୁଷ୍ମାନ ଯୋଜନାକୁ ରାଜ୍ୟ ସରକାର ଲାଗୁ କଲେ ନାହିଁ । ୧୭ ଲକ୍ଷ ଗରିବ ରୋଗୀ ଏହାର ଲାଭ ପାଇଛନ୍ତି । ନବୀନ ଏଥିରେ ସାମିଲ ହେଉନାହାନ୍ତି । କୃଷକଙ୍କ ସହ ମଧ୍ୟ ରାଜ୍ୟ ସରକାର ଧୋକା କରିଛନ୍ତି । ପିଏମକିଷାନ ନିଧୀ ପାଇଁ ତାଲିକା ଦେଉନାହାନ୍ତି । ଦେଶର କୃଷକଙ୍କୁ ଲାଭ ମିଳୁଛି କିନ୍ତୁ ରାଜ୍ୟ ସରକାର ରାଜନୀତି କରି ଏହାକୁ ରୋକୁଛନ୍ତି । କେବଳ ଏତିକି ନୁହେଁ କାଳିଆ ଯୋଜନାରେ ମିଛ ହିତାଧିକାରୀଙ୍କୁ ସୁଯୋଗ ମିଳୁଛି ।

ରାଜ୍ୟକୁ ୬୫୦୦ କୋଟି ମିଳିଥିଲା, କିନ୍ତୁ ଏଠାକାର ସରକାର ଗରିବ ଆଦିବାସୀଙ୍କ ପାଇଁ କେବଳ ୧୦୦୦ କୋଟି ଖର୍ଚ୍ଚ କରିଛନ୍ତି । ଏହି ସରକାର ରାଜ୍ୟରୁ ଯିବା ଦରକାର, ହାରିବ ଦରକାର । ଓଡିଶାରେ ପରିବର୍ତନ ହେବା ଦରକାର । ଏନଡିଏ ସରକାରରେ ବିହାର, ୟୁପିରେ ଅନେକ ବିକାଶମୂଳକ କାର୍ଯ୍ୟ ହେଉଛି, ବିଜେପି ସରକାର ଥିଲେ ଏଠାରେ ମଧ୍ୟ ହୋଇଥାନ୍ତା । ଚଳିତ ଥର ଏହା ସମ୍ଭବ ହେବ । ଏଠାକାର ସରକାର ଜନତାଙ୍କୁ ପକେଟରେ ରଖିଥିବା ଭାବୁଛନ୍ତି । ସେମାନଙ୍କୁ ଝଟକା ଦେବା ଦରକାର । ବିଜେପିର ଡବଲ ଇଞ୍ଜିନ ଓଡିଶାକୁ ଆଗକୁ ନେବ । ଏହାସହ ମୋଦୀ ଜୟ ଜଗନ୍ନାଥ କହି ଭାଷଣ ଶେଷ କରିଥିଲେ ।

Comments are closed.