ଓଡ଼ିଶାର ବିକାଶରେ ବାଧକ ବିଜେଡି

ଓଡିଶାରେ ପଦ୍ମ ଫୁଟିବ

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଉ ହାତରେ ମାତ୍ର ୫ଦିନ ବାକି ରହିଛି । ସମସ୍ତ ଦଳ ନିଜର ପ୍ରଚାର ଅଭିଯାନକୁ ଜୋର କରିଛନ୍ତି । ଏପରିକି ଭୋଟ ହାତେଇବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ଶାସକ ବିଜେଡିକୁ ଚେକ ଦେବା ପାଇଁ ମୁଖ୍ୟ ବିରୋଧୀ ଭାବେ ଉଭା ହୋଇଥିବା ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଗତ କିଛିଦିନ ଧରି ଲଗାତାର ଓଡିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ଦେବା ପାଇଁ ଆହ୍ୱାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପୁଣି ମୋଦୀ ସୁନ୍ଦରଗଡରେ ପ୍ରଚାର କରିଛନ୍ତି । ସ୍ଥାନୀୟ ଛତାବର ପଡିଆରେ ସେ ଉଭୟ ବିଜେଡି ସରକାର ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି ।

ଉଦବୋଧନ ଆରମ୍ଭରୁ ମୋଦୀ ମା’ ଶିଖରବାସୀ, ସମଲେଶ୍ୱରୀଙ୍କୁ ପ୍ରଣାମ କରିଥିଲେ । ବୀର ସୁରେନ୍ଦ୍ର ସାଏ, ବିର୍ସା ମୁଣ୍ଡା, ନିର୍ମଳ ମୁଣ୍ଡା ଆଦି ବୀରପୁତ୍ରଙ୍କୁ ସେ ସ୍ମରଣ କରିଥିଲେ । ଏପରିକି ଯବାନଙ୍କ ବୀରତ୍ୱର ପ୍ରଶଂସା କରିଥିଲେ । ଏହାପରେ ସେ ବିଜେଡି ଏବଂ କଂଗ୍ରେସ ସରକାର ଉପରେ ବର୍ଷିଥିଲେ ।

ମୋଦୀ କହିଥିଲେ ଯେ ଦେଶର ପ୍ରଥମ ଜଣେ ପ୍ରଧାନମନ୍ତ୍ରୀ ସୁନ୍ଦରଗଡ ଆସିଛନ୍ତି । ଏହି ଜନସମୁଦ୍ର କେବେ ହେଲେ ଭୁଲିହେବନି । ସେ କୌଣସୀ ପ୍ରଧାନମନ୍ତ୍ରୀ ନୁହେଁ ପ୍ରଧାନସେବକ । ଏହି ନିର୍ବାଚନ ଦେଶ ଏବଂ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦେଶକୁ ମଜବୁତ ସରକାର ଦରକାର । ଓଡିଶା ଏବଂ କେନ୍ଦ୍ରରେ ଆଦିବାସୀ, ଦଳିତ ଆଦି ପରିବାର ପାଇଁ ଭାଇ ମାମୁଁ ଭଳି ସରକାର ଦରକାର ନାହିଁ । ଆପଣ କେନ୍ଦ୍ରରେ ୬୦ ବର୍ଷ ଧରି କଂଗ୍ରେସକୁ ଦେଖିଛନ୍ତି, ୧୯ ବର୍ଷ ଧରି ବିଜେଡି ସରକାର ଦେଖିଛନ୍ତି ।

ବିଜେପି ସରକାର ୫ ବର୍ଷ କେନ୍ଦ୍ରରେ ରହିଛି । ଆଜି ବିଜେପିର ପ୍ରତିଷ୍ଠା ଦିବସ । ୩୯ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ୱର ସବୁଠାରୁ ବଡ ରାଜନୈତିକ ସଙ୍ଗଠନ ଗଠନ ହୋଇଥିଲା । ଏହାକୁ ନେଇ ଦେଶବାସୀ ଗର୍ବ କରିଛନ୍ତି । ଏହା ବାହୁ ବଳରେ ଗଠିତ ହୋଇନାହିଁ । ଏହା କାହାର ବିଚରେଧାରର ଉଧାର ନୁହେଁ । ବିଜେପି ଦେଶର ଜନତାଙ୍କ ଆକାଂକ୍ଷାକୁ ନେଇ ସ୍ଥାପନା ହୋଇଛି । ଭାରତର ସାମର୍ଥର ଏହା ପ୍ରତିନିଧିତ୍ୱ କରେ । ଏହା ଟଙ୍କା ଏବଂ ପରିବାର ଉପରେ ଆଧାରିତ ନୁହେଁ । ଏହା କର୍ମୀଙ୍କ ବଳିଦାନର ଦଳ । ଏହା ଟଙ୍କା ନୁହେଁ କାର୍ଯ୍ୟକର୍ତାଙ୍କ ଝାଳରେ ତିଆରି ହୋଇଛି ।

ବିଜେପି କାର୍ଯ୍ୟକର୍ତା ଦେଶର ରକ୍ଷା କରିଛନ୍ତି । ବିଜେପି ଆନ୍ଦୋଳନରେ ଜନସଂଘ ରୂପରେ ଲୋକତନ୍ତ୍ର ରକ୍ଷା ଏବଂ ଜରୁରୀକାଳିନ ସ୍ଥିତିରେ ମଧ୍ୟ ଲକ୍ଷାଧିକ ବିଜେପି କର୍ମୀ ଜେଲରେ ରହିଛନ୍ତି । କେରଳରେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଉଛି । ଏହାପରେ ମଧ୍ୟ ଭାରତ ମାତା କି ଜୟ ପାଇଁ କର୍ମୀମାନେ ସର୍ବଦା ସମର୍ପିତ । ଭାରତର ଚାରିକୋଣରେ ବିଜେପିର ପତାକା ଉଡୁଛି । ଜନତା ବିଜେପିକୁ ହୃଦୟରେ ରଖିଛନ୍ତି । ସବୁଠାରୁ ଅଧିକ ଦଳିତ, କୃଷକ, ଆଦିବାସୀ ବିଜେପି ସହ ଜଡିତ । କଂଗ୍ରେସ ବିରୋଧରେ ବିଜେପି ଏକ ବିକଳ୍ପ ହୋଇଛି । ବିଜେପି ଯୁବକଙ୍କ ପାର୍ଟି । ଏଥିରେ ମହିଳା, ଯୁବକ ସମସ୍ତେ ଜୋଡି ହେଉଛନ୍ତି । ବହୁତ କମ ସମୟରେ ବିଜେପି ଭଲ କରିଛି ।

ଏହାପରେ ମୋଦୀ କହିଥିଲେ ଯେ ଅଟଳ ବିହାରୀ ବାଜପେୟୀ କହିଥିଲେ କି ଅନ୍ଧାର ହଟିବ ଏବଂ ପଦ୍ମ ଫୁଟିବ । ଓଡିଶାରେ ପଦ୍ମ ଫୁଟିବା ନିଶ୍ଚିତ । ସବୁଠାରୁ ଅଧିକ ଆସନ ବିଜେପି ହାତକୁ ଯିବ । ଆମ ଯାତ୍ରାରେ ବିଜେପିର ଅନେକ ତପସ୍ୱୀ କାର୍ଯ୍ୟକର୍ତା ରହିଛନ୍ତି । ଓଡିଶାରେ ଦେବେନ୍ଦ୍ର ପ୍ରଧାନ, ବିଶ୍ୱଭୁଷଣ ହରିଚନ୍ଦନ ବିଜେପିକୁ ମଜବୁତ କରିଥିଲେ । ବିଜେପିର ୧୧ କୋଟି ସଦସ୍ୟଙ୍କୁ ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଦେଶରେ ପୁଣିଥରେ ବିଜେପିର ବହୁମତ ସରକାର ହେବା ନେଇ ସେ କହିଛନ୍ତି ।

ଗତ ୫ ବର୍ଷରେ ଆମେ ଦେଶକୁ ଦେଖାଇଛୁ କି ଭାରତ ଏବେ ଆତଙ୍କବାଦୀଙ୍କୁ ଘରେ ପଶି ମାରୁଛି । ସରକାର ପୂର୍ବରୁ ଥିଲା କିନ୍ତୁ ସର୍ଜିକାଲ ଷ୍ଟ୍ରାଇକ କଥା ଭାବୁନଥିଲେ । ଭାରତ ବଦଳୁଛି, ଦିନକୁ ଦିନ ମଜବୁତ ହେଉଛି । ଦେଶ ମଜବୁତ ହେବା ଆବଶ୍ୟକ । ମଜବୁତ ଓଡିଶା ପାଇଁ ପଦ୍ମ ଫୁଟିବା ଆବଶ୍ୟକ । ସମସ୍ତ ବିଧାନସଭାରେ ପଦ୍ମ ଫୁଟିବା ଉଚିତ । ଗୋଟିଏ ଦେଶର ମଜବୁତ ସରକାର ଚ୍ୟାଲେଞ୍ଜକୁ ହଟାଇପାରିବା ସହ ଗରିବୀ ଦୂର କରିପାରିବ । ସରକାର ଏପରି ହେବା ଦରକାର ଯେ ସବକା ସାଥ ସବକା ବିକାଶ ଧାରାରେ ଚାଲିବ । କ୍ଷେତ୍ରକୁ ନେଇ ଭେଦଭାବ କରୁନଥିବ । ଓଡିଶାରେ ବିଜେଡି ଏପରି କରୁଛି । କଂଗ୍ରେସ ସାରା ପୂର୍ବ ଭାରତ ସହ ଭେଦଭାବ କରିଛି । କିନ୍ତୁ ଏହି ଚୌକିଦାର ପୂର୍ବ ଭାରତକୁ ନୂଆ ଭାରତର ବିକାଶ ଇଞ୍ଜିନ କରିଛି । ଏହି ସଂକଳ୍ପରେ ସମସ୍ତଙ୍କୁ ସୁରକ୍ଷା, ସମ୍ମାନ ଏବଂ ସମୃଦ୍ଧି ପ୍ରଦାନ କରିଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡିଶାରେ କିଛି ଅଭାବ ନାହିଁ । କିନ୍ତୁ ଏହାକୁ ବିକଶିତ କରିପାରୁନାହାନ୍ତି ବିଜେଡି ସରକାର । ଏଠାରେ ଭଲ ନୀତି ନାହିଁ । ବିଜେଡିର ନୀତି ଠିକ ଥିଲେ କୃଷକଙ୍କୁ ଦେଢଗୁଣା ସମର୍ଥନ ମୂଲ୍ୟ ମିଳୁଥାନ୍ତା । ପ୍ରାୟ ୫୦ ଲକ୍ଷ କୃଷକଙ୍କ ଟଙ୍କା ରୋକାଯାଇନଥାନ୍ତା । ଆୟୁଷ୍ମାନ ଯୋଜନା ଲାଗୁ ହୋଇଥାନ୍ତା । ହସ୍ପିଟାଲର କାମ ମଧ୍ୟ ହୋଇଥାନ୍ତା । ଅଧିକ ଲୋକଙ୍କୁ ପକ୍କାଘର ମିଳିଥାନ୍ତା । ବିଜେପି ସରକାର ଥିଲେ ଏହା ୮ ଲକ୍ଷରୁ ଅଧିକ ହୋଇଥାନ୍ତା । ଏମସିଏଲରେ କୋଇଲା ପ୍ରକଳ୍ପ ଅଟକି ନଥାନ୍ତା । ରାଜ୍ୟ ସରକାର କେନ୍ଦ୍ରର ଅର୍ଥ ସଠିକ ଭାବେ ଖର୍ଚ୍ଚ କରିପାରୁ ନାହାନ୍ତି । ରୟାଲଟି ଟଙ୍କା ବିନିଯୋଗ ହୋଇପାରୁନାହିଁ ।

ବିଜେଡି ରାଜ୍ୟର ବିକାଶରେ ବାଧକ ସାଜିଛି । ବିଜେପିର ନୀତି ସ୍ପଷ୍ଟ । ଫଳରେ ଏତେ ବର୍ଷ ପରେ ମହିଳା ଏବଂ ଶିଶୁଙ୍କ ପାଇଁ ହେଉଥିବା ଅପରାଧର ନିୟମ କଡାକଡି ହୋଇଛି । ରାଜ୍ୟରେ ୩୫ ଲକ୍ଷ ମହିଳାଙ୍କୁ ଗ୍ୟାସ ମିଳିଛି । ଶିଶୁ, ଯୁବକ, କୃଷକ, ବୃଦ୍ଧ, ମହିଳାଙ୍କ ପାଇଁ ବହୁତ କିଛି କରାଯାଇଛି । ଭାରତର ସ୍ଥିତି ସୁଧୁରିଛି । ଖେଲୋ ଇଣ୍ଡିଆରେ ଦେଶ ବହୁତ ଆଗକୁ ଯାଇଛି । ଭାରତର ପ୍ରଦର୍ଶନ ବହୁତ ଖେଳରେ ସୁଧୁରିଛି । ଆଦିବାସୀ ବହୁଳ ଜିଲ୍ଲାକୁ ୫କୋଟି ଟଙ୍କା ଦିଆଯାଇଛି । ଏକ ଲକ୍ଷ ଏକଲବ୍ୟ ମଡେଲ ସ୍କୁଲ ଖୋଲାଯାଇଛି ।

କେବଳ ସୁନ୍ଦରଗଡ ନୁହେଁ ସାରା ଦେଶରେ ଆଦିବାସୀଙ୍କ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ସରକାର ଏବଂ କଂଗ୍ରେସ ଓବିସି କମିଶନକୁ ସଶକ୍ତ କରୁନଥିଲେ । ଏନଡିଏ ସରକାର ଏହା କରିପାରିଛି । ଓଡିଶାରୁ କଂଗ୍ରେସ ସଫା ହୋଇଯାଉଛି । କଂଗ୍ରେସ ନେତା ନିଜ ଦଳ ଉପରେ ଭରସା କରୁନାହାନ୍ତି । କଂଗ୍ରେସ ନିଜ ସ୍ୱାର୍ଥ ପାଇଁ ଦେଶକୁ ବଳି ପକାଉଛି । ମାଓବାଦୀ ଏବଂ ନକ୍ସଲଙ୍କୁ ସାହାଯ୍ୟ କରୁଛନ୍ତି । ଚୌକିଦାର ଏୟାରଷ୍ଟ୍ରାଇକ କରୁଥିବା ବେଳେ କଂଗ୍ରେସ ଯବାନଙ୍କ ବୀରତ୍ୱ ଉପରେ ପ୍ରଶ୍ନ କରୁଛି ବୋଲି ମୋଦୀ ନିଜ ଅଭିଭାଷଣରେ କହିଥିଲେ ।

Leave A Reply

Your email address will not be published.