କଂଗ୍ରେସକୁ ବାଏ ବାଏ

ଦଳ ଛାଡ଼ିଲେ ସୁମିତ୍ରା ଜେନା

ମତଦାନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । ଦଳ ଭିତରେ ଚାଲିଥିବା ବିଶୃଙ୍ଖଳା ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି । ଦଳର ଟିକେଟ ସମୀକରଣ ଏବେବି ସମାଧାନ ହୋଇପାରୁ ନାହିଁ । ଶେଷ ମୂହୁର୍ତରେ ପ୍ରାର୍ଥୀମାନେ ନିର୍ବାଚନ ଲଢିବାକୁ ମନା କରୁଥିବାବେଳେ ଟିକେଟ ନ ପାଇ ବରିଷ୍ଠ ନେତ୍ରୀ ହାତ ଛାଡ଼ି ଦେଇଛନ୍ତି । ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ସୁମିତ୍ରା ଜେନା ଦଳ ଏବଂ ନିଜ ପଦରୁ ଇସ୍ତଫା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ପିସିସି ସଭାପତିଙ୍କ କାର୍ଯ୍ୟଶୈଳୀରେ ସେ ଅଣନିଶ୍ୱାସୀ ହୋଇପଡ଼ିଥିବା କହିଛନ୍ତି ।

ସୁମିତ୍ରା ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦଳରେ ବେପାରୀଙ୍କୁ ଟିକେଟ୍ ମିଳିଛି । ସେହିପରି ଯାହା ପାଖରେ ପ୍ରଚୁର ଟଙ୍କା ଅଛି, ଯେଉଁ ମହିଳା ସୁନାରେ ଛାଇ ହୋଇକି ଆସୁଛନ୍ତି, ଯାହାର ୧୦ଟା ମଦ ଦୋକାନ ଅଛି ଏବଂ ଯାହାର ସୌନ୍ଦର୍ଯ୍ୟ ଅଛି ତାଙ୍କୁ ଟିକେଟ ମିଳିଛି । ଏହା ସହିତ ସୁମିତ୍ରା ଆହୁରି କହିଛନ୍ତି ଯେ ୪ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ମହିଳା କଂଗ୍ରେସ ନିଷ୍କ୍ରିୟ ହୋଇ ରହିଥିଲା । ମୁଁ ଆଉ ମହିଳା କର୍ମୀମାନେ ତାହାକୁ ସୁଦୃଢ କଲୁ ଏବଂ ମହିଳା କଂଗ୍ରେସକୁ ଉଠାଇଥିଲୁ ।

ନିର୍ବାଚନ ପାଇଁ ମୋତେ ପ୍ରାର୍ଥୀଙ୍କ ନାଁ ମଗାଯାଇଥିଲା । ସେଥିଲାଗି ୫୨ ବିଧାନସଭା ଓ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଦେଇଥିଲି । କିନ୍ତୁ ସେ ତାଲିକାରେ ୧୦% ପ୍ରତିଶତ ପ୍ରାର୍ଥୀଙ୍କୁ ବି ସାମିଲ କଲେ ନାହିଁ । ଯେଉଁମାନଙ୍କୁ ଟିକେଟ ମିଳିଛି ସେମାନେ କଂଗ୍ରେସର ପତାକା ଦିନେ ବି ଧରି ନାହାନ୍ତି ବୋଲି ସୁମିତ୍ରା ଅଭିଯୋଗ କରିଛନ୍ତି । ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଯୋଗ୍ୟ କିମ୍ବା ଭଲ ପ୍ରାର୍ଥୀ ମିଳିଲାନି । ସେ ଭଲର ମାପକାଠି କ’ଣ ସିଏ ଦିଅନ୍ତୁ ବୋଲି ସୁମିତ୍ରା ଦାବି କରିଛନ୍ତି । ଏ ନେଇ ସଭାପତି କେବେବି ଆଲୋଚନା କଲେ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଆମେ ଅନ୍ୟାୟକୁ କେବେ ସହିବୁନି ଏବଂ ଏହା ବିରୋଧରେ ଲଢେଇ କରିବି । ମହିଳାଙ୍କ ପାଇଁ ଲଢେଇ କରିଛୁ, ଆଗକୁ ମଧ୍ୟ କରିବୁ । ତେବେ ସେ କେଉଁ ଦଳରେ ଯୋଗ ଦେବେ ତାହା ସ୍ଥିର କରି ନାହାନ୍ତି ବୋଲି କହିଛନ୍ତି ।

ସୁମିତ୍ରା ଜେନା ଭଦ୍ରକ ଆସନ ପାଇଁ ଆଶାୟୀ ଥିଲେ । ଏହା ସହିତ ୫୨ ଜଣ ମହିଳା ନେତ୍ରୀଙ୍କୁ ପ୍ରାର୍ଥୀ କରିବାକୁ ନାଁ ସୁପାରିଶ କରିଥିଲେ । ଏ ନେଇ ସେ ରାଜ୍ୟ ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ସହିତ ବାରମ୍ବାର ଆଲୋଚନା କରିଥିଲେ । ଏପରିକି ସେ ନିଜ ସମର୍ଥକଙ୍କ ସହିତ ଦଳୀୟ କାର୍ଯ୍ୟାଳୟରେ ବି ନାରାବାଜି କରିଥିଲେ । କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ତାଙ୍କ ସୁପାରିଶ ଆଧାରରେ ଦଳ କାହାକୁ ବି ପ୍ରାର୍ଥୀ କରି ନ ଥିଲା । ତେଣୁ ସେ ଦଳ ଛାଡ଼ିବାକୁ ନିଷ୍ପତି ନେଲେ ବୋଲି ସୁମିତା କହିଛନ୍ତି ।

Leave A Reply

Your email address will not be published.