କଂଗ୍ରେସର ଭରସା କେପି

ଢେଙ୍କାନାଳ ଲୋକସଭା

ପୁଣିଥରେ ଢେଙ୍କାନାଳ ରାଜପରିବାର ଉପରେ ଭରସା କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂଦେଓ (କେପି)ଙ୍କୁ ମିଳିଛି ଲୋକସଭା ଟିକେଟ । ନୂଆ ସମୀକରଣ ଆଶାରେ ଦୀର୍ଘ ୧୫ ବର୍ଷ ପରେ କେପି ପ୍ରତ୍ୟକ୍ଷ ରାଜନୀତିକୁ ଫେରିଥିବାବେଳେ ଢେଙ୍କାନାଳ ଲୋକସଭା ଲଢ଼େଇ ତୀବ୍ର ହେବ ବୋଲି ଚର୍ଚ୍ଚା ହେଉଛି ।

୨୦୦୪ ଲୋକସଭା ନିର୍ବାଚନରେ କଂଗ୍ରେସରୁ ସାଂସଦ ପ୍ରାର୍ଥୀ ହୋଇଥିଲେ କାମାକ୍ଷା ପ୍ରସାଦ । ହେଲେ ତାଙ୍କୁ ସଫଳତା ମିଳି ନ ଥିଲା । ଏହାପରେ ସେ ଦଳ ସହ ସଂଶ୍ଲିଷ୍ଟ ଥିଲେ ମଧ୍ୟ ନିଜକୁ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରଖିଥିଲେ । ୧୯୬୭ରେ କେପି ସ୍ୱତନ୍ତ୍ର ପାର୍ଟିରୁ ସାଂସଦ ଭାବେ ବିଜୟୀ ହୋଇଥିଲେ ।

ଏହାପରେ ୧୯୮୦, ୧୯୮୪, ୧୯୯୧, ୧୯୯୬, ୧୯୯୯ରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ବାଜିମାତ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ପି.ଭି ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳରେ ପ୍ରତିରକ୍ଷା, ସୂଚନା ପ୍ରସାରଣ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ୱରେ ରହି କେପି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ୨୦୧୯ ନିର୍ବାଚନରେ ତାଙ୍କୁ ପୁଣି ଥରେ ସୁଯୋଗ ମିଳିଥିବାରୁ ଏହା ତାଙ୍କ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି ।

ଅପରପକ୍ଷରେ ଢେଙ୍କାନାଳ ଲୋକସଭା ଆସନକୁ ଝୁଲାଇ ରଖିଛି ବିଜେଡି । ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚୂଡ଼ାନ୍ତ ନିଷ୍ପତି ହୋଇପାରୁନାହିଁ । କଂଗ୍ରେସ କେପିଙ୍କୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଗୋଟିଚାଳନା କରିଥିବାବେଳେ ବିଜେଡି ଆଶାୟୀ ଦୌଡ଼ରେ ଥିବା ତାଙ୍କ ପୁତ୍ରବଧୂ ତଥା ଜ୍ୟେଷ୍ଠ ପୁତ୍ର ଅମରଜ୍ୟୋତି ସିଂଦେଓଙ୍କ ପତ୍ନୀ ମିନାଲ କୁମାରୀଙ୍କ ପ୍ରାର୍ଥିତ୍ୱକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ବିଧାୟକ ସରୋଜ କୁମାର ସାମଲଙ୍କ ସ୍ତ୍ରୀଙ୍କୁ ବିଜେଡି ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ସହରରେ ଚର୍ଚ୍ଚା ହେଉଛି । ବିଜେଡି ମହିଳା କାର୍ଡ ଖେଳି ସମସ୍ତଙ୍କୁ ଅକଳରେ ପକାଇପାରେ ବୋଲି ଯେଉଁ ଆଲୋଚନା ହେଉଛି, ଏହି ପ୍ରସଙ୍ଗ ତାକୁ ଅଧିକ ରୋଚକ କରିଛି ।

ସେହିପରି ଭାଜପା ପକ୍ଷରୁ ପୂର୍ବତନ ରାଜ୍ୟସଭା ସଦସ୍ୟ ରୁଦ୍ରନାରାୟଣ ପାଣି ସାଂସଦ ପ୍ରାର୍ଥୀ ହୋଇଛନ୍ତି । କେପି ଏବଂ ରୁଦ୍ରନାରାୟଣ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାବେଳେ ବିଜେଡି ନୂଆ ମୁହଁ ଦେଇପାରେ ବୋଲି ଆଲୋଚନା ଜୋର ଧରିଛି । ଏହାକୁ ନେଇ ନିର୍ବାଚନ ବାତାବରଣ ବେଶ ସରଗରମ ହୋଇଛି ।

Leave A Reply

Your email address will not be published.