କଂଗ୍ରେସ ଛାଡ଼ିଲେ ସୋନାଲି

ଦଳର କାର୍ଯ୍ୟଧାରାରେ ଅସନ୍ତୋଷ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ କଂଗ୍ରେସକୁ ଶକ୍ତ ଝଟକା । ଗୋଟିଏ ପଟେ ଚାଲିଛି ମତଦାନ ଆଉ ଏହି ଘଡ଼ିସନ୍ଧି ମୁହର୍ତରେ ଦଳ ଛାଡ଼ିଛନ୍ତି କଂଗ୍ରେସ ନେତ୍ରୀ । କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ମୁଖପାତ୍ର ସୋନାଲି ସାହୁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ଇସ୍ତାଫା ପତ୍ର ପଠାଇଲେ ସୋନାଲି । ଦଳର କାର୍ଯ୍ୟଧାରାରେ ଅସନ୍ତୋଷ ପ୍ରକାଶ କରି ତଥା ପାର୍ଟିର ନେତୃତ୍ୱ ଉପରେ ପ୍ରଶ୍ନ କରି ଦଳ ଛାଡ଼ିଲେ ।

ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଏପରି ନିଷ୍ପତି ନେଇଥିବା କୁହାଯାଉଛି । ସୋନାଲି ଖୋର୍ଦ୍ଧା ବିଧାନସଭା ପାଇଁ ଟିକେଟ ଆଶାୟୀ ଥିବା ବେଳେ ତାଙ୍କୁ ଟିକେଟ ପ୍ରଦାନ କରାଯାଇନଥିଲା । ତେଣୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ମିଳିଛି । ତେବେ କଂଗ୍ରେସ ଛାଡ଼ିବା ପରେ କେଉଁ ଦଳରେ ମିଶିବ ଏବଂ ଆଗାମୀ ରାଜନୈତିକ ପଦକ୍ଷେପ କ’ଣ ରହିବ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ।

ମତଦାନ ପୂର୍ବରୁ ଚାଲିଥିଲା ଦଳଡ଼ିଅାଁ ପର୍ବ । ହେଲେ ଆଜି ମତଦାନ ଚାଲିଥିବା ବେଳେ ସୋନାଲି ଦଳ ଛାଡ଼ିବା ପରେ କଂଗ୍ରେସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ନିର୍ବାଚନୀ ମହାସମର ସମୟରେ ଦଳ ଛାଡ଼ିବା କଂଗ୍ରେସ ପାଇଁ କୌଣସି ଦିଗରୁ ଶୁଭଙ୍କର ନୁହେଁ । ସୂଚନାଯୋଗ୍ୟ ରାଜ୍ୟରେ କଂଗ୍ରେସ ପ୍ରାର୍ଥୀ ଟିକେଟ ପାଇବା ପରେ ବି ଦଳ ଛାଡ଼ିଛନ୍ତି । ନିର୍ବାଚନ ପୂର୍ବରୁ ଅନେକ ନେତା ଟିକେଟ ଫେରାଇ ଅନ୍ୟ ଦଳରେ ସାମିଲ ହେବାର ନଜିର ମଧ୍ୟ ରହିଛି । ସୂଚନାଯୋଗ୍ୟ ପୂର୍ବରୁ ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ସୁମିତ୍ରା ଜେନା ମଧ୍ୟ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ ।

Leave A Reply

Your email address will not be published.