
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅପରେସନ ସିନ୍ଦୂରକୁ ସମର୍ଥନ କରିଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ । ସମସ୍ତ ବିରୋଧୀ ଦଳ ମଧ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଦେଇଛନ୍ତି ସମର୍ଥନ ଏବଂ ଭାରତ ଗର୍ବିତ ବୋଲି ଦୃଢତାର ସହ କହିଛନ୍ତି । ପହଲଗାମ ଆକ୍ରମଣର ପ୍ରତିଶୋଧ ଅପରେସନ ସିନ୍ଦୂର । ରାତି ଅଧରେ ବେଶ୍ ସଫଳତା ଏବଂ ଟାର୍ଗେଟ ଭିତ୍ତିକ କ୍ଷେପଣାସ୍ତ୍ର ଆକ୍ରମଣ କରି ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ତିନି ଅତଙ୍କବାଦୀ ସଂଗଠନର ୯ଟି ଠିକଣା ଉପରେ କରିଛି ଆକ୍ରମଣ । ଜୈଶ- ଇ- ମହମ୍ମଦ, ଲସ୍କର-ଇ-ତଇବା ଏବଂ ହିଜ୍ବୁଲ ମୁଜାହିଦ୍ଦିନର ଆଡ୍ଡା- କାର୍ଯ୍ୟାଳୟ ହୋଇଛି ଧ୍ୱଂସ । ମୃତ୍ୟୁସଂଖ୍ୟା ଅସ୍ପଷ୍ଟ ହେଲେବି ଶତାଧିକ ନିଶ୍ଚିତ । ଭାରତୀୟ ସେନାର ଏହି ସଫଳ ଆକ୍ରମଣରେ ଆଶ୍ୱସ୍ତି ସହ ଖୁସି ଜାହିର କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସେନାର ଉଚ୍ଚ ପ୍ରଶଂସା କରିଛନ୍ତି ।
ସେ X ଆକାଉଣ୍ଟରେ ଲେଖିଛନ୍ତି, “ସେନାବାହିନୀ ପାଇଁ ଗର୍ବିତ- ଜୟହିନ୍ଦ୍ “। ସେ ଆହୁରି ଲେଖିଛନ୍ତି, “ପାକିସ୍ତାନ ଏବଂ ପିଓକେରୁ ସମସ୍ତ ପ୍ରକାର ଆତଙ୍କବାଦୀଙ୍କୁ ନିପାତ ଏବଂ ନିଶ୍ଚିହ୍ନ କରିବା ହେଉଛି ଭାରତର ଏକ ଦୃଢ, ଅପରିବର୍ତ୍ତୀତ ଜାତୀୟ ନୀତି । ଆମେ ଆମ ସୁରକ୍ଷା ବାହିନୀ ପାଇଁ ବହୁତ ଗର୍ବିତ, ଯେଉଁମାନେ ପାକିସ୍ତାନ ଏବଂ ପିଓକେର ଆତଙ୍କୀ ଶିବିର ଉପରେ କରିଛନ୍ତି ସଫଳ ଆକ୍ରମଣ । ପହଲଗାମ ହମଲା ପରଠୁ କଂଗ୍ରେସ ସବୁ ସମୟରେ ଭାରତୀୟ ସେନା ଏବଂ ସରକାର ପଛରେ ଛିଡ଼ା ହୋଇଛି ଏବଂ ସମର୍ଥନ ଦେଇଛି । ସରକାର ସୀମାପାର ଆତଙ୍କବାଦର ମୂଳୋତ୍ପାଟନ କରନ୍ତୁ ।