କଟକରୁ ଲଢିବେ ପ୍ରକାଶ ମିଶ୍ର!

ବିଜେପିରେ ଯୋଗଦେବେ

ପୂର୍ବତନ ପୋଲିସ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବେ । ସେ ଦିନେ-ଦୁଇଦିନ ମଧ୍ୟରେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବାର ସମ୍ଭାବନା ରହିଛି । ଏଥିପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ବିଜେପି ସୂତ୍ରରୁ ମିଳିଥିବା ସୂଚନାନୁସାରେ ଶ୍ରୀ ମିଶ୍ରଙ୍କୁ ବିଜେପି କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିବ । ସେଥିପାଇଁ କଟକ ଲୋକସଭା ଆସନରୁ ଆଶାୟୀ ଥିବା ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟ ଉପସଭାପତି ଭାବେ ପ୍ରତ୍ୟୁଷା ରାଜେଶ୍ୱରୀ ଓ ସୁବାସ ଚୌହାନଙ୍କ ସହ ଅବସ୍ଥାପିତ କରାଯାଇଛି । ପୀତାମ୍ବରଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇ ଶ୍ରୀ ମିଶ୍ରଙ୍କୁ ଦଳୀୟ ଟିକେଟକୁ ପକ୍କା କରାଯାଇଥିବା ଜଣାପଡ଼ିଛି ।

ଏ ସମ୍ପର୍କରେ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ତାଙ୍କୁ କଟକରୁ ଲଢିବା ପାଇଁ ଦଳ ପକ୍ଷରୁ କୁହାଯାଇଛି । ତେବେ ସେ ଦଳରେ କେଉଁଦିନ ଆନୁଷ୍ଠାନିକ ଭାବେ ସାମିଲ ହେବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।

ସୂଚନାଯୋଗ୍ୟ, ନିଜର ନିର୍ମଳ ଭାବମୂର୍ତି ଓ ସ୍ପଷ୍ଟବାଦୀ ଆଭିମୁଖ୍ୟ ପାଇଁ ପରିଚିତ ଶ୍ରୀ ମିଶ୍ର ରାଜ୍ୟର ପୋଲିସ ଡିଜି ଥିବାବେଳେ ତାଙ୍କୁ ବିଜେଡି ସରକାର ନାନା ଉପାୟରେ ହଇରାଣ କରିଥିଲା । ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ତାଙ୍କ ନାଁ ସର୍ବାଗ୍ରେ ଥିବା ବେଳେ ତାଙ୍କ ନାଁରେ ବିଜେଡି ସରକାର ଜାଣିଶୁଣି ମିଥ୍ୟା ଦୁର୍ନୀତି ଅଭିଯୋଗ ଆଣିଥିଲା, ଯାହାକି ପରେ ହାଇକୋର୍ଟରେ ଖାରଜ ହୋଇଥିଲା । କୋର୍ଟ ଏଥିପାଇଁ ସରକାର ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନାମରେ କଡ଼ା ଟିପ୍ପଣୀ ଦେଇଥିଲେ ।

Leave A Reply

Your email address will not be published.