କରୋନା ସଂକ୍ରମିତ ସରକାରୀ କର୍ମଚାରୀଙ୍କୁ ମିଳିବ ୭ଦିନର ଛୁଟି: ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି

କୋଭିଡ୍ ସଂକ୍ରମିତ ହେଲେ ମିଳିବ ୭ ଦିନ ଛୁଟି | ରାଜ୍ୟ ସରକାରଙ୍କ କୌଣସି କର୍ମଚାରୀ ଯଦି କରୋନା କବ୍ଜାରେ ଛନ୍ଦି ହୁଅନ୍ତି ତେବେ ତାଙ୍କୁ ୭ ଦିନ ଛୁଟି ମିଳିବ | ସେମାନେ ୭ଦିନ ଛୁଟିରେ ରହିପାରିବେ । କିନ୍ତୁ ଯଦି ସେମାନେ ୭ଦିନରୁ ଅଧିକ ଛୁଟିରେ ରହିଲେ ତେବେ ଏଥିପାଇଁ ତାଙ୍କୁ ମେଡିକାଲ ସାର୍ଟିଫିକେଟ ଦେବାକୁ ପଡିବ | ଏନେଇ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏଥିସହ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏବଂ ନିର୍ଦ୍ଦେଶକୁ ସଂଗେ ସଂଗେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ଯେଉଁମାନଙ୍କର କୋଭିଡ୍ ପଜିଟିଭ୍ ଆସୁଛି ସେମାନେ କୋଭିଡ୍ ନିୟମ ପାଳନ କରିବା ସହ ସ୍ୱତନ୍ତ୍ର ନିରୀକ୍ଷଣରେ ସଂଗରୋଧରେ ରହିବା ପାଇଁ କୁହାଯାଇଛି ।

ଅପରପକ୍ଷେ ଏଣିକି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବୋଲି ଏସ୍‌ଆର୍‌ସିଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ଭର୍ଚୁଆଲ/ଅନଲାଇନ୍ ମାଧ୍ୟମରେ ବୈଠକ କରିବାକୁ ଉତ୍ସା‌ହିତ କରାଯିବ । ଏହି ଗାଇଡଲାଇନ୍ ଆସିବା ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରି କୁହାଯାଇଛି ଯେ, ଫେବ୍ରୁଆରି ୧ରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ।

Related Posts