କାହା ଭାଗ୍ୟରେ କେନ୍ଦ୍ରାପଡ଼ା

ଏପ୍ରିଲ ୨୯ରେ ହେବାକୁ ଥିବା ରାଜ୍ୟର ଶେଷ ୬ ଲୋକସଭା ଆସନ ମଧ୍ୟରୁ ସବୁଠୁ ଚର୍ଚ୍ଚାରେ ଅଛି କେନ୍ଦ୍ରାପଡ଼ା । ଏଠି ହେଉଛି ନେତା-ଅଭିନେତା-ଆଇନଜୀବୀ ମଧ୍ୟରେ କଡ଼ା ଟକ୍କର । ସବୁ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ହେଭିୱେଟ ନେତା । ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗତ ୧୦ ବର୍ଷର ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ଭୋଟ ମାଗୁଥିବାବେଳେ ପ୍ରତ୍ୟକ୍ଷ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ତଥା ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ଭରସା କେବଳ ବ୍ରାଣ୍ଡ ନବୀନ । ଆଉ ମାଟିର ପୁଅ ନାରାକୁ ଅସ୍ତ୍ର କରିଛନ୍ତି କଂଗ୍ରେସର ଧରଣୀଧର ନାୟକ । ତେବେ କେନ୍ଦ୍ରାପଡ଼ାରେ ଭୋଟ ତାରିଖ ଯେତିକି ପାଖେଇ ଆସୁଛି ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନିଜ ମୁଦ୍ଦାକୁ ଧରି ଭୋଟରଙ୍କ ମନ ଜିଣିବାକୁ ପ୍ରଚାରକୁ ସେତିକି ଘମାସାନ କରିବାରେ ଲାଗିଛନ୍ତି ।

ବିଜେପିରୁ ଏଥର ଏଠି ପ୍ରାର୍ଥୀ ହୋଇଥିବା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପ୍ରବକ୍ତା ବୈଜୟନ୍ତ ପଣ୍ଡାଙ୍କ ପାଇଁ ପ୍ରଚାର ଲାଗି ବିଜେପି ଷ୍ଟାର କ୍ୟାମ୍ପେନରଙ୍କ ଲାଇନ ଲାଗିଛି । ରେଳମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭି ଓ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବୈଜୟନ୍ତଙ୍କ ଲାଗି ଭୋଟ ମାଗି ଫେରିଥିବାବେଳେ ଶେଷରେ ଆସିବେ ଦଳର ଆଉ ଜଣେ ହେଭିୱେଟ ତଥା ରାଷ୍ଟ୍ରୀୟ ସଭାପତି ଅମିତ ଶାହ । ତେଣେ ବୈଜୟନ୍ତ ବି ପ୍ରତିଦିନ ରୋଡ ଶୋ’ ଓ ରାଲିରେ ଗାଁ ଗାଁ ବୁଲି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ।

ଦୁଇଟି ଟର୍ମରେ ହୋଇଥିବା ବିକାଶକୁ ମୁଖ୍ୟ ମୁଦ୍ଦା କରିଛନ୍ତି ବୈଜୟନ୍ତ । ସାଂସଦ ପାଣ୍ଠିରୁ ନିର୍ମାଣ ହୋଇଥିବା ୫୭ଟି ଓଭର ହେଡ ପାଣିଟାଙ୍କି, ୨୪ଟି ମିନି ଷ୍ଟାଡିୟମ, ୧୫ଟି ବହୁମୁଖୀ ଆଶ୍ରୟସ୍ଥଳ, ହରିଦାସପୁର-ପାରାଦୀପ ରେଳଲାଇନ କାର୍ଯ୍ୟ ଆରମ୍ଭ ଓ ଧାମରା ବନ୍ଦରକୁ ଜାତୀୟ ରାଜପଥ ସଂଯୋଗ ଇତ୍ୟାଦିକୁ ଫୋକସ ସହ ଆଗକୁ କେନ୍ଦ୍ରାପଡ଼ାକୁ ଶିଳ୍ପ ସମୃଦ୍ଧ କରିବାକୁ ବୈଜୟନ୍ତ ଦେଉଛନ୍ତି ପ୍ରତିଶ୍ରୁତି ।

ସେପଟେ ବିଜେଡି ପ୍ରାର୍ଥୀ ହୋଇଥିବା ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ଉଭୟ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଓ ପ୍ରତ୍ୟକ୍ଷ ରାଜନୀତି ଦୁଇଟି ଯାକ ନୂଆ ହୋଇଥିବାରୁ ତାଙ୍କ ପାଇଁ ସାହା କେବଳ ବ୍ରାଣ୍ଡ ନବୀନ ଓ ରାଜ୍ୟ ସରକାରଙ୍କ ଯୋଜନା । ଆଉ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ନିର୍ବାଚନୀ ବୈତରଣୀ ପାର ହେବାକୁ ଅମୋଘ ମାଟିର ପୁଅ ନାରାକୁ ଅସ୍ତ୍ର କରିଛନ୍ତି ।

ତେବେ ନେତା ନା ଅଭିନେତା ନା ଆଇନଜୀବୀ, କିଏ ଜିତିବ ଉପକୂଳ ଓଡ଼ିଶାର ଅଣ କଂଗ୍ରେସ ଗଡ଼ ଭାବେ ପରିଚିତ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ଭୋଟରଙ୍କ ମନ? ଏଥର ଆଞ୍ଚଳିକ ନା କୌଣସି ଜାତୀୟ ଦଳକୁ ଭରସା କରିବେ ଏଠିକାର ଭୋଟର? ତାକୁ ନେଇ ଚାଲିଛି ଚର୍ଚ୍ଚା ଓ ଆଲୋଚନା । ସେପଟେ ହାଇଭୋଲଟେଜ ଲଢ଼େଇ ଭିତରେ କେନ୍ଦ୍ରାପଡ଼ା ବାହାରେ ଏପରିକି ସୁଦୂର ଜାପାନ ଓ ଅନ୍ୟ ଦେଶ ଥିବା ଭୋଟର ବି ସୋଶାଲ ମିଡିଆରେ ଏଠାର ନିର୍ବାଚନକୁ ନେଇ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.