କାହିଁକି ପଞ୍ଚାନନ ବାବୁ କହିଲେ ତାମିଲ କାଳିଆ ସାଆନ୍ତେ ଭଲ ନୁହେଁ, ଆମ କାଳିଆ ଭଲ ?

ବିନା ସନସନି ବୟାନବାଜିରେ ରାଜନୀତିରେ ଛୁଙ୍କ ଧରେନା, ଏକଥାକୁ ପୁଣି ଥରେ ପ୍ରମାଣ କରିଛନ୍ତି ବରିଷ୍ଠ ରାଜନେତା ତଥା ଏବେଏବେ କଂଗ୍ରେସରେ ଯୋଗ ଦେଇଥିବା ପଂଚାନନ କାନୁନଗୋ । ବଜେଟ୍ ଉପରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଉଦେଉ ପଂଚାନନ ବାବୁ ଟିକେ ତୃତୀୟ ମହଲାର ଦକ୍ଷିଣୀ ବାବୁଙ୍କ ଉଦ୍ଦେଶ୍ୟରେ ଭୁଲିନଥିଲେ । ନବୀନ ବାବୁଙ୍କ ସରକାର ‘କାଳିଆ’ ଯୋଜନା ଏକ ଟଙ୍କା ବଣ୍ଟା ଯୋଜନା ବୋଲି କହିବା ସହିତ, ମହାପ୍ରଭୁ କାଳିଆ ସାଆନ୍ତେଙ୍କୁ ଢାଲ କରିବାବୁ ଭୁଲି ନଥିଲେ । ଆମ ଓଡିଶାର କାଳିଆ ଠାକୁର ତାମିଲ କାଳିଆଠୁ ଭଲ ବୋଲି କହିଥିଲେ ପଂଚାନନ ବାବୁ । ନବୀନ ବାବୁଙ୍କ କାଳିଆ ଯୋଜନାରେ ଚାଷୀଙ୍କ ପାଇଁ କିଛି ନାହିଁ । ଏ ଯୋଜନା କେବଳ ଚାଷିଙ୍କୁ ଠକିବା ପାଇଁ ତଥା ବଜେଟ୍ରେ କାଳିଆ ବାବଦରେ ଯେଉଁ ଅର୍ଥ ବରାଦ ହୋଇଛି ତାହା କେବଳ ଚାଷୀକୁ ଭୁଆଁ ବୁଲାଇବା ପାଇଁ ବୋଲି କହିଥିଲେ କାନୁନଗୋ ବାବୁ । ତେବେ ପଂଚାନନ କାନୁନଗୋଙ୍କ ଭଳି ସଂଯତ ଏବଂ ମାପିଚୁପି ଗଣମାଧ୍ୟମକୁ କଥା କହୁଥିବା ଲୋକ କିଭଳି ହଠାତ ଓଡିଶା ଓ ତାମିଲ କାଳିଆ ଭିତରେ ମହାପ୍ରଭୁଙ୍କୁ ବାଣ୍ଟିଲେ ତାକୁ ନେଇ ଚର୍ଚ୍ଚା ହେଉଛି ।

ଅସଲ କଥା ହେଲା ବାବୁ ବିଜେଡି ଆଡକୁ ମନ ବଳାଉଥିଲେ ହେଲେ ତୃତୀୟ ମହଲାର ତାମିଲ ଅଫିସରଙ୍କ ପାଇଁ କୁଆଡେ ପଂଚାନନ ବାବୁଙ୍କ ବିଜେଡିରେ ଘର ବାହୁଡା ହୋଇପାରିଲା ନାହିଁ । ତେଣୁ ସେହି ରାଗକୁ କୁଆଡେ ପଂଚୁ ବାବୁ ଭୁଲି ପାରୁ ନାହାଁନ୍ତି । ଆଉ ତାର ଟିକେ ଝଲକ୍ ଦେଖିବାକୁ ମିଳିଥିଲା କଂଗ୍ରେସର ଆଜିର ସମ୍ବାଦିକ ସମ୍ମିଳନୀରେ ।

Comments are closed.