କେତେ ଟଙ୍କାର ମାଲିକ ବୈଜୟନ୍ତ-ଅନୁଭବ

ରାଜ୍ୟ ରାଜନୀତିର ଫୋକସରେ ଏବେ କେନ୍ଦ୍ରାପଡା ଲୋକସଭା ଆସନ । ହେଭିୱେଟଙ୍କ ଲଢେଇର ମୂକସାକ୍ଷୀ ପାଲଟିବାକୁ ଯାଉଛି କେନ୍ଦ୍ରାପଡା । ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ରାପଡାରେ ନିର୍ବାଚନ ହେବାକୁ ଥିବା ବେଳେ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି । ଆଉ ନାମାଙ୍କନପତ୍ର ଦାଖଲ ପରେ ପ୍ରାର୍ଥୀମାନଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠ ଅନୁଯାୟୀ କେନ୍ଦ୍ରାପଡାରେ ସବୁଠୁ ଧନୀ ସାଂସଦ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ।

ସତ୍ୟପାଠ ଅନୁଯାୟୀ ବୈଜୟନ୍ତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ୪୭ କୋଟି ୭୬ ଲକ୍ଷ ୨୪ ହଜାର ୯୭୮ ଟଙ୍କା । ଯେଉଁଥିରେ ବୈଜୟନ୍ତଙ୍କ ୩୫ କୋଟି ୨୮ ଲକ୍ଷ ୭୬ ୩୧୨ କୋଟି ଟଙ୍କା ଅସ୍ଥାବର ସମ୍ପତି ରହିଥିବା ବେଳେ ୧୨ କୋଟି ୪୭ ଲକ୍ଷ ୪୮ ହଜାର ୬୬୬ ଟଙ୍କାର ସ୍ଥାବର ସମ୍ପତି ରହିଛି । ବୈଜୟନ୍ତ ସତ୍ୟପାଠରେ ତାଙ୍କ ପାଖରେ ଦେଢ ଲକ୍ଷ ଟଙ୍କାର ଏକ ଗାଡି ରହିଥିବା ଦର୍ଶାଇଥିବା ବେଳେ ୬ ଲକ୍ଷ ୪୬ ହଜାର ୧୧୦ ଟଙ୍କାର ଅଳଙ୍କାର ଓ ଅନ୍ୟାନ୍ୟ ଦାମୀ ଜିନିଷ ରହିଛି । ଏହାଛଡା ତାଙ୍କ ପାଖରେ ଏବେ ନଗଦ ୯୩ ହଜାର ୩୯୯ ଟଙ୍କା ରହିଥିବା କହିଛନ୍ତି ବୈଜୟନ୍ତ ।

ସେହିଭଳି କୋଟିପତି ବୈଜୟନ୍ତ ନିଜ ପରିବାର ମାଲିକାନାରେ ଥିବା ଇମ୍ଫା କମ୍ପାନୀରୁ ୬ ଲକ୍ଷ ଟଙ୍କାର ରଣ କରିଛନ୍ତି । ୮୧ ଲକ୍ଷ ଟଙ୍କାର ବିଭିନ୍ନ ଇଲୋକଟ୍ରୋନିକ୍ସ ସାମଗ୍ରୀ, ଘଣ୍ଟା, ଚିତ୍ରକଳା, ବ୍ୟାୟାମ ଉପକରଣ ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ବୈଜୟନ୍ତ । ସେହିଭଳି ବିଭିନ୍ନ ବ୍ୟାଙ୍କଜମା ବାବଦକୁ ୭ କୋଟି ୭ଲକ୍ଷ ୩୬ ହଜାର ୯୧ ଟଙ୍କା ରହିଥିବା ବେଳେ ବିଭିନ୍ନ କମ୍ପାନୀ ଓ ମ୍ୟୁଚୁଆଲ ଫଣ୍ଡରେ ୨୭ କୋଟି ୧୨ ଲକ୍ଷ ୭୪ ହଜାର ୭୯୦ ଟଙ୍କା ନିବେଶ କରିଛନ୍ତି ବୈଜୟନ୍ତ ।

ସେହିପରି କେନ୍ଦ୍ରାପଡା ଆସନରେ ଭାଗ୍ୟ ପରୀକ୍ଷା କରିବେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି । ହେଭିୱେଟ ବୈଜୟନ୍ତଙ୍କ ବିପକ୍ଷରେ ଫାଇଟ କରିବେ ଅନୁଭବ । ଏନେଇ ଶେଷଦିନରେ ନାମାଙ୍କନପତ୍ର ଦାଖଲ କରିଥିଲେ ଅନୁଭବ । ବିଜେଡିର ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ସହ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି । ଯେଉଁଥିରେ ଅନୁଭବଙ୍କ ବିଷୟରେ ସମସ୍ତ ତଥ୍ୟ ଉଲ୍ଲେଖ ରହିଛି । କେଉଁ କମ୍ପାନୀରେ କେତେ ସେୟାର, ନିଜ ନାଁରେ କେତୋଟି ଗାଡି ଏ ସମସ୍ତ ତଥ୍ୟ ସତ୍ୟପାଠରେ ଉଲ୍ଲେଖ ରହିଛି ।

ସତ୍ୟପାଠ ଅନୁଯାୟୀ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ୧ କୋଟି ୭୭ ଲକ୍ଷ ୪୬ହଜାର ୧୧୦ ଟଙ୍କା । ଯେଉଁଥିରେ ଅନୁଭବଙ୍କ ୧ କୋଟି ୪ ଲକ୍ଷ ୯୬ ହଜାର ୧୧୦ଟଙ୍କା ଅସ୍ଥାବର ସମ୍ପତି ରହିଥିବା ବେଳେ ୭୨ ଲକ୍ଷ ୫୦ ହଜାର ଟଙ୍କାର ସ୍ଥାବର ସମ୍ପତି ରହିଛି । ଅନୁଭବଙ୍କ ପାଖରେ ୪ଟି ଗାଡି ରହିଥିବା ବେଳେ ଏହାର ମୂଲ୍ୟ ରହିଛି ୬୦ ଲକ୍ଷ ୫୦ ହଜାର ଟଙ୍କା । ସେହିଭଳି ୧୮ ଲକ୍ଷ ୯୦ ହଜାର ଟଙ୍କାର ସୁନା ଅଳଙ୍କାର ରହିଛି ।

ଏହାଛଡା ଅନୁଭବଙ୍କ ପାଖରେ ନଗଦ ୪ ଲକ୍ଷ ଟଙ୍କା ରହିଥିବା ବେଳେ ୪୧ ଲକ୍ଷ ୩୩ ହଜାର ୫୦୬ ଟଙ୍କା ଋଣ କରିଛନ୍ତି ବିଜେଡିର ଏହି ସାଂସଦ ପ୍ରାର୍ଥୀ । ଅନୁଭବଙ୍କ ନାଁରେ କୌଣସି ଚାଷ ଜମି ନଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ବିଭିନ୍ନ ବ୍ୟାଙ୍କରେ ଜମାରାଶି ବାବଦକୁ ୬ ଲକ୍ଷ ୬୮ ହଜାର ୧୫୫ ଟଙ୍କା ଅନୁଭବଙ୍କ ନାଁରେ ଥିବା ବେଳେ ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ କମ୍ପାନୀରେ ୧୪ ଲକ୍ଷ ୯୭ ହଜାର ୯୫୫ ଟଙ୍କା ନିବେଶ କରିଛନ୍ତି ଅନୁଭବ ।

Leave A Reply

Your email address will not be published.