କେତେ ପାଠୁଆ ସ୍ମୃତି ଇରାନୀ

ତଥ୍ୟରେ ନାହିଁ ତାଳମେଳ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଉତରପ୍ରଦେଶ ଆମେଠିରୁ ଲୋକସଭା ନିର୍ବାଚନ ଆସନରୁ ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଏହିକ୍ରମରେ ରାହୁଲ ଏବଂ ସ୍ମୃତି ନିଜ ନିଜର ନାମାଙ୍କନ ଭରିଛନ୍ତି । ତେବେ ଏହି ସମୟରେ ସ୍ମୃତି ନିଜ ସତ୍ୟପାଠରେ ଦର୍ଶାଇଥିବା ଶିକ୍ଷାଗତ ଯୋଗ୍ୟତାକୁ ନେଇ ସେ ପୁଣି ଥରେ ବିରୋଧୀଙ୍କ ଟାର୍ଗେଟରେ ।

କାହିଁକି ନା ଉଚ୍ଚଶିକ୍ଷା ତଥା ନିଜକୁ ସବୁବେଳେ ଜଣେ ଡିଗ୍ରୀଧାରୀ ନେତ୍ରୀ ବୋଲି କହି ଡେଙ୍ଗୁରା ପିଟୁଥିବା ସ୍ମୃତି ଇରାନୀ ଦାଖଲ କରିଥିବା ସତ୍ୟପାଠରେ ନିଜର ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ଶ୍ରେଣୀ ପାସ ବୋଲି ଉଲ୍ଲେଖ କରିଛନ୍ତି । ଯାହାକୁ ଅସ୍ତ୍ର କରି କଂଗ୍ରେସ ସ୍ମୃତି ଇରାନୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି । ପ୍ରକୃତରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୂର୍ବରୁ ମଧ୍ୟ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିରୋଧୀମାନଙ୍କ ମଧ୍ୟରେ ଅନେକ ତର୍କ ବିତର୍କ ଦେଖିବାକୁ ମିଳିଥିଲା । ଗୁରୁବାର ସ୍ମୃତି ଇରାନୀ ଆମେଠିରୁ ଭରିଥିବା ନାମାଙ୍କନପତ୍ରରେ ଯେଉଁ ସତ୍ୟପାଠ ଦେଇଛନ୍ତି ସେଥିରେ ସେ ଦର୍ଶାଇଛନ୍ତି ଯେ ସେ ସ୍ନାତକ ଶେଷ କରିନାହାନ୍ତି । ୧୯୯୧ରେ ସେ ମାଧ୍ୟମିକ ସ୍କୁଲ ପରୀକ୍ଷାରେ ପାସ କରିଥିଲାବେଳେ ୧୯୯୩ରେ ଉଚ୍ଚ ମାଧ୍ୟମିକ ସ୍କୁଲ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ । ୧୯୯୪ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଓପନ ଲର୍ନିଂ ସ୍କୁଲରୁ ସ୍ନାତକ ଶେଷ କରି ନ ଥିବା ସ୍ମୃତି ଇରାନୀ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

କିନ୍ତୁ ୨୦୧୪ ନିର୍ବାଚନରେ ସ୍ମୃତି ଇରାନୀ ଦେଇଥିବା ସତ୍ୟପାଠରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ୧୯୯୪ରେ ସ୍ନାତକ ପାସ କରିଥିବା ଦର୍ଶାଇଥିଲେ । ସେତେବେଳେ ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଜୋର ଧରିଥିଲା ବିବାଦ । ୨୦୧୪ରେ ଗୋଟିଏ ସତ୍ୟପାଠ ଓ ୨୦୧୯ରେ ଆଉ ଗୋଟିଏ ସତ୍ୟପାଠ ଦେଇଥିବା ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ଠକାମୀ ଏବେ ଲୋକଲୋଚନକୁ ଆସିଛି ।

Leave A Reply

Your email address will not be published.