ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜଗନ୍ନାଥ କୋଇଲା ଖଣିକୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ।ତାଳଚେର ଜଗନ୍ନାଥ କୋଇଲା ଖଣିରେ ବେଆଇନ କୋଇଲା ଷ୍ଟକ୍ ସହ କୋଇଲାକୁ ମାଟି ଓ ପଥର ଦର୍ଶାଇ ଲୁଟ୍ କରାଯାଉଛି। ହଜାର ହଜାର କୋଟି ଟଙ୍କାର କୋଇଲାକୁ ଏପରି ନିମ୍ନମାନର ଦର୍ଶାଇ ଚଳୁ କରିଦିଆଯାଉଛି। ମୁଣ୍ଡା କୋଇଲାକୁ ଗୁଣ୍ଡ କରି ଚାଲାଣ କରାଯାଉଛି। ଭଲ କୋଇଲାକୁ ପଥର କୋଇଲା ଦର୍ଶାଇ ତାହା ଉପରେ ମାଟି ଘୋଡ଼ାଇ ଦିଆଯାଉଛି।
ଏପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ତାଳଚେର ବଲଣ୍ଡାସ୍ଥିତ ବ୍ଲାକ୍ଡାଇମଣ୍ଡ କ୍ଲବ୍ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏପରି ଅଭିଯୋଗ କରିବା ସହିତ ଖଣି କର୍ତ୍ତୃପକ୍ଷ ଓ ଅଧିକାରୀଙ୍କ ଏଥିରେ ସଂପୃକ୍ତି ଥିବା କହିଛନ୍ତି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଜଗନ୍ନାଥ କୋଇଲା ଖଣିର ୪ ନମ୍ବର ଷ୍ଟକ୍ରେ ଗୁରୁବାର ସନ୍ଧ୍ୟାରେ ଏମ୍ଏସ୍ ବିଏଲ୍ଏ ନାମକ ଠିକାସଂସ୍ଥା କୌଣସି ଅନୁମତି ନଥାଇ କୋଇଲାଗୁଡ଼ିକୁ ଡମ୍ପିଂ କରୁଥିଲା। ଏହି ଖବର ପାଇ ସେ ନିଜେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି କୋଇଲା ଖଣିର ଷ୍ଟକ୍ୟାର୍ଡ ଗୋଟିଏ ସ୍ଥାନରେ ରହିଥିବା ବେଳେ ଜଗନ୍ନାଥ ଖଣି ପ୍ରକଳ୍ପ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଖଣି ଭିତରେ ବିଭିନ୍ନ ସ୍ଥାନରେ କୋଇଲା ଗଦା କରାଯାଉଥିବା ଦେଖିବାକୁ ମିଳିଥିଲା। ପରେ ଜଗନ୍ନାଥ କୋଇଲା ଖଣିରେ ଏଭଳି ଘୋଟଲାକୁ ନେଇ ସେ ଗୋପାଳପ୍ରସାଦ ଥନାର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କ ଏତଲାକୁ ପଞ୍ଜୀକୃତ କରାଯାଇ ନଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାକୁ ନେଇ ସେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ। ତାଳଚେର ଖଣି ଉପନିର୍ଦ୍ଦେଶକ ଶୁଭେନ୍ଦୁ ସାମଲ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କିଛି କୋଇଲା ଖଣ୍ଡକୁ ପରୀକ୍ଷା କରିବା ପାଇଁ ସାଙ୍ଗରେ ନେଇଥିଲେ।





