ରାଜ୍ୟରେ ବଢୁଥିବା କରୋନା ସ୍ଥିତିକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ । ଅପରାହ୍ଣ ୪ଟାରେ କୋଭିଡ୍ ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଗତ ଶନିବାର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ ମୋଦୀ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି ।
ମହାରାଷ୍ଟ୍ରରେ ରେକର୍ଡ ଦୈନିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଉ କିଛି ରାଜ୍ୟରେ ମଧ୍ୟ ସ୍ଥିତିି ବିଗିଡ଼ିବାରେ ଲାଗିଛି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । କରୋନା ସଂକ୍ରମଣ ଓ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା କିପରି ନିୟନ୍ତ୍ରଣକୁ ଅଣାଯିବ, ସେନେଇ ଆଲୋଚନା କରିବେ । ଏହା ସହ ରାଜ୍ୟ ସରକାରମାନେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ସେ ନେଇ ମଧ୍ୟ ପଚାରି ବୁଝିବେ ପ୍ରଧାନମନ୍ତ୍ରୀ ।
ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧ ଲକ୍ଷ ୬୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୬୮୦୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୭୭ ଛୁଇଁଛି ।
ଏବେସୁଦ୍ଧା ଦେଶରେ ୩୫୮୭୫୭୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୮୨୧୪୪୬ ସକ୍ରିୟ ମାମଲା ରହିଛି ଏବଂ ୩୪୫୭୦୧୩୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୪୮୪୨୧୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ।





