ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବିଜେଡି

ଜାତୀୟ ଦଳକୁ ମିଳିବନି ବହୁମତ

ସୁବର୍ଣ୍ଣପୁର ବୀରମହାରାଜପୁରର କୈରାଝୁଲି ନିର୍ବାଚନୀ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେଡ଼ି ସୁପ୍ରିମୋ । ଓଡ଼ିଶାବାସୀଙ୍କ ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ କାମ କରିବି ବୋଲି ଭରସା ଦେଇଛନ୍ତି ନବୀନ । ପ୍ରଚାର କରିବା ସହ ନିର୍ବାଚନୀ ସଭାରେ ଲୋକସଭା ନିର୍ବାଚନ ଫଳାଫଳ ନେଇ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ରରେ କୌଣସି ଜାତୀୟ ଦଳ ଏଥର ବହୁମତ ପାଇବେନି । ସରକାର ଗଠନରେ ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।

ଏହା ବ୍ୟତୀତ ନବୀନ କହିଛନ୍ତି ଯେ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର କାଳିଆକୁ ବନ୍ଦ କରିବା ପାଇଁ ଚକ୍ରାନ୍ତି ଚଳାଇଛି । ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ଚାହିଁଲେ ବି ବନ୍ଦ କରିପାରିବେ ନାହିଁ । ବିଜେଡ଼ି କ୍ଷମତାକୁ ଆସିବାର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ଦୁଇ କିସ୍ତିର ଟଙ୍କା ୧୦ ହାଜର ଟଙ୍କା ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ।

କେନ୍ଦ୍ରକୁ ସମାଲୋଚନା କରି ନବୀନ କହିଛନ୍ତି ଯେ ନିର୍ବାଚନ ହେଲେ ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କ ପାଦ ପଡ଼ୁଛି । ତିତଲି, ମରୁଡ଼ି, ବନ୍ୟା, ବାତ୍ୟା ବେଳେ କୌଣସି କେନ୍ଦ୍ରୀୟ ନେତା ଓଡ଼଼ିଶା ଆଡ଼େ ଆଡ଼ ଦୃଷ୍ଟିରେ ଚାହିଁଲେନି । ଆଉ ଏବେ ନିର୍ବାଚନ ପାଇଁ ଓଡ଼ିଶା ଦୌଡ଼ୁଛନ୍ତି କେନ୍ଦ୍ରୀୟ ନେତା । ଭୋଟ୍ ହାତେଇବା ପାଇଁ କେନ୍ଦ୍ରର ବିଜେପି ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ରାଜ୍ୟବାସୀଙ୍କ ହିତରେ ତାଙ୍କର କୌଣସି ମନ ନାହିଁ । ବିଭିନ୍ନ କେନ୍ଦ୍ରୀୟ ଯୋଜନାର ବିଫଳତାକୁ ନେଇ କେନ୍ଦ୍ରକୁ ନବୀନ ସମାଲୋଚନା କରିଥିବା ଦେଖାଯାଇଥିଲା ।

ମହାନଦୀ ପାଣିକୁ ଛତିଶଗଡ଼ ସରକାର ଅଟକାଇ ରଖିିଲେ । ଏନେଇ ଅଭିଯୋଗ ହେଲେ ମଧ୍ୟ କେନ୍ଦ୍ର ଓଡ଼଼ିଶାକୁ ଅଣଦେଖା କଲା । ଅଭିଯୋଗ ଶୁଣିଲାନି । ରାଜ୍ୟ ସରକାର ଜମି ଦେବା ସତ୍ୱେ ରେଳ ଲାଇନ ହେଲାନି । ଏସସି/ଏସଟି ପିଲାଙ୍କ ବୃତି କାହିଁକି ବନ୍ଦ ହେଲା? ବୀମା କରି ଚାଷୀ ହଇରାଣ ହେଉଛି? ଦୁଇଗଣା ଏମଏସପି କୁଆଡ଼େ ଗଲା? ବୁଣାକାରଙ୍କ ଉପରେ କେନ୍ଦ୍ର ସରକାର ଜିଏସଟି ଲଗାଇଲେ । କେବିକେ ଯୋଜନା କାହିଁକି ବନ୍ଦ ହେଲା? ଏନେଇ କେନ୍ଦ୍ରକୁ ପ୍ରଶ୍ନ କରିବା ପାଇଁ ଜନତାଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.