ଚେନ୍ନାଇର ପ୍ରଥମ ପରାଜୟ

ଚଳିତ ଆଇପିଏଲରେ ଗତବର୍ଷ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ପରାଜୟ ବରଣ କରିଛି । ପୂର୍ବ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ହିଁ ଏହି ଦଳର ବିଜୟ ଧାରାକୁ ରୋକି ଦେଇଛି । ପ୍ରଥମ ତିନିଟି ମ୍ୟାଚ୍ ଜିତି ହ୍ୟାଟ୍ରିକ ହାସଲ କରିଥିବା ଚେନ୍ନାଇ ବୁଧବାର ମୁମ୍ବାଇ ବିପକ୍ଷ ଚତୁର୍ଥ ମୁକାବିଲାକୁ ୩୭ ରନରେ ହାରିଛି । ମୁମ୍ବାଇ ୧୭୧ ରନରେ ବିଜୟ ଲକ୍ଷ୍ୟ ଦେବା ପରେ ଏହି ଦଳ ୮ ୱିକେଟ ବିନିମୟରେ ମାତ୍ର ୧୩୩ ରନ କରିପାରିଛି । ଶେଷ ୫ ଓଭରରେ ୭୭ ରନ ବ୍ୟୟ କରିବା ଶେଷରେ ଚେନ୍ନାଇ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଚେନ୍ନାଇ ଆଜିର ପରାଜୟ ପରେ ପଏଣ୍ଟ ତାଲିକାର ଦ୍ୱିତୀୟକୁ ଖସିଛି । ସେପଟେ ମୁମ୍ବାଇ ଦ୍ୱିତୀୟ ବିଜୟ ପାଇଛି । ହାର୍ଦ୍ଦକ ପାଣ୍ଡ୍ୟା ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

୧୭୧ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଚେନ୍ନାଇ ପ୍ରଥମ ଦୁଇ ଓଭରରେ ଅମ୍ବାତି ରାୟୁଡୁ (୦) ଓ ସେନ ୱାଟସନ (୫)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା । ରାୟୁଡୁ ଖାତା ଖୋଲିବା ପୂର୍ବରୁ ଜାସନ ବେହେରନଡ୍ରଫଙ୍କ ଶିକାର ହୋଇଥିଲେ । ମାତ୍ର ୪ ବଲ ପରେ ଲାସିଥ ମାଲିଙ୍ଗାଙ୍କ ଷ୍ଟମ୍ପ ବାହାରେ ଥିବା ବଲକୁ କିରଣ ପୋଲାର୍ଡଙ୍କ ହାତକୁ ଦେଇ ୱାଟସନ ପ୍ୟାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ । ଆଇପିଏଲର ସର୍ବାଧିକ ରନ ସଂଗ୍ରହକାରୀ ସୁରେଶ ରାଇନା (୧୬) ମଧ୍ୟ ବେହେରନଡ୍ରଫଙ୍କ ବଲକୁ ଛକା ମାରିବାକୁ ଯାଇ ପୋଲାର୍ଡଙ୍କ ହାତରେ ଧରା ପଡ଼ିଥିଲେ । ୩୩ ରନରେ ୩ ୱିକେଟର ପତନ ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୧୨) ଓ କେଦାର ଯାଦବ(୫୮) ବଡ଼ ଭାଗୀଦାରି କରିବା ସହ ଦଳକୁ ମଜବୁତ ପ୍ରୟାସ କରିଥିଲେ । ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଏହା କରାଇ ଦେଇନଥିଲେ ।

ଗୋଟିଏ ଓଭରରେ ଧୋନି ଓ ରବୀନ୍ଦ୍ର ଜାଡେଜା (୧)ଙ୍କ ୱିକେଟ ନେଇ ସେ ଚେନ୍ନାଇକୁ ଶକ୍ତ ଧକ୍କା ଦେଇଥିଲେ । ଧୋନିଙ୍କୁ ସର୍ଟ ବଲରେ ଚକମା ଦେବା ପରେ ଜାଡ଼େଜାଙ୍କୁ ୱିକେଟ ରକ୍ଷକ ଡି’କକଙ୍କ ହାତରେ କ୍ୟାଚ କରାଇ ପାଣ୍ଡ୍ୟା ମୁମ୍ବାଇକୁ ବଡ଼ ସଫଳତା ଦେଇଥିଲେ । ଏହାପରେ କେଦାରଙ୍କ କମାଲରେ ମାଲିଙ୍ଗା ପୂର୍ଣ୍ଣଛେଦ ଟାଣିଥିଲେ । ଡ୍ୱେନ ବ୍ରାଭୋ (୮) ଓ ଦୀପକ ଜହର (୭) ବି ଦଳକୁ ନିରାଶ କରିଥିଲେ । ଫଳରେ ଚେନ୍ନାଇ ବିଜୟ ଆଶା ମଉଲି ଯାଇଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୩ ରନ କରିପାରିଥିଲା ।

ବୁଧବାର ଟସ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ମନ୍ଥର ଆରମ୍ଭ କରିଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡି’କକ୍ (୪) ଏବଂ ରୋହିତ ଶର୍ମା (୧୩) ଦଳୀୟ ସ୍କୋର ୪୫ ରନ ଭିତରେ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ଯୁବରାଜ ସିଂହ (୪) ମଧ୍ୟ ବିଶେଷ କିଛି କରିପାରିନଥିଲେ । ଦୁଇ ଯୁବତାରକା ସୂର୍ଯ୍ୟକୁମାର ଯାଦବ (୫୯ ରନ, ୪୩ ବଲ, ୮ ଚୌକା, ୧ ଛକା) ଓ କ୍ରୁନାଲ ପାଣ୍ଡ୍ୟା (୪୨ ରନ, ୩୨ ବଲ, ୫ ଚୌକା, ୧ ଛକା) ଧୀରେ ଧୀରେ ପାଳିକୁ ଆଗେଇ ନେଇଥିଲେ । ଉଭୟ ଚତୁର୍ଥ ୱିକେଟରେ ୬୨ ରନ ଯୋଡ଼ିଥିଲେ । ଯାହା ମୁମ୍ବାଇର ସର୍ବବୃହତ ଭାଗୀଦାରି ଥିଲା ।

ମୁମ୍ବାଇ ପ୍ରଥମ ୬ ଓଭର ପାୱାର ପ୍ଲେରୁ ମାତ୍ର ୪୦ ରନ କରିବା ସହ ୧୫.୪ ଓଭରରେ ୧୦୦ ରନ ଛୁଇଁଥିଲା । ହେଲେ ଶେଷ ୩/୪ ଓଭରରୁ ହାର୍ଦ୍ଦିକ ପାଣ୍ଡ୍ୟା (ଅପରାଜିତ ୨୫ ରନ, ୮ ବଲ, ୧ ଚୌକା, ୩ ଛକା) ଓ କିରଣ ପୋଲାର୍ଡ (ଅପରାଜିତ ୧୭ ରନ, ୭ ବଲ, ୨ ଛକା) ରନର ବର୍ଷା କରି ଦଳର ସ୍କୋରକୁ ୧୭୦ ରନରେ ପହଞ୍ଚାଇଥିଲେ । ଏକଦା ସଂଘର୍ଷ କରୁଥିବା ମୁମ୍ବାଇ ହାର୍ଦ୍ଦିକ ଓ ପୋଲାର୍ଡଙ୍କ ପରାକ୍ରମ ପାଇଁ ଶେଷ ୨୬ ବଲରୁ ୭୦ ରନ ସଂଗ୍ରହ କରି ନେଇଥିଲେ । ।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୭୦/୫ (ସୂର୍ଯ୍ୟ କୁମାର ଯାଦବ-୫୯, କ୍ରୁନାଲ ପାଣ୍ଡ୍ୟା-୪୨, ହାର୍ଦ୍ଦିକ ପାଣ୍ଡ୍ୟା-୨୫ ଅପରାଜିତ, କିରଣ ପୋଲାର୍ଡ-୧୭ ଅପରାଜିତ, ଦୀପକ ଚହର- ୧/୨୧, ଇମ୍ରାନ ତାହିର-୧/୨୫, ରବୀନ୍ଦ୍ର ଜାଦେଜା-୧/୧୦, ଡ୍ୱେନ ବ୍ରାଭୋ- ୧/୪୯) ।
ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୧୩୩/୫ (କେଦାର ଯାଦବ-୫୮, ସୁରେଶ ରାଇନା-୧୬, ହାର୍ଦ୍ଦିକ ପାଣ୍ଡ୍ୟା- ୩/୨୦, ଲସିଥ ମାଲିଙ୍ଗା-୩/୩୪, ଜାସନ ବେହେରନଡ୍ରଫ- ୨/୨୨ ।

Leave A Reply

Your email address will not be published.