ଜଗତସିଂହପୁରରୁ ବିଭୁ ତରାଇ

ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା

ଅବଶିଷ୍ଟ ଗୋଟିଏ ଲୋକସଭା ଓ ୨ଟି ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟି(ବିଜେପି) ଆଜି ପ୍ରାର୍ଥୀ ଘୋଷଣା କରିଛି । ଘୋଷଣା ହେବାକୁ ବାକିଥିବା ଜଗତସିଂହପୁର ଲୋକସଭା ଆସନ ପାଇଁ ଦଳ ବିଭୁ ତରାଇଙ୍କୁ ପ୍ରାର୍ଥୀ କରିଛି । ସେହିପରି ଦଳ କେନ୍ଦ୍ରାପଡ଼ା ଓ କାକଟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହା ସହିତ ବିଜେପି ରାଜ୍ୟର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ପ୍ରାର୍ଥୀ ଦେଇ ସାରିଛି ।

ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବିଭୁ ତରାଇଙ୍କୁ ଦଳ ଜଗତସିଂହପୁର ଲୋକସଭା ପାଇଁ ପ୍ରାର୍ଥୀ କରିଛି । କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ସୁନାକାର ବେହେରା ଓ କାକଟପୁରରୁ ରବି ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି । ଏହାକୁ ମିଶାଇ ବିଜେପି ସମସ୍ତ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ଶେଷ କରିଛି ।

ଉଲ୍ଲେଖଯୋଗ୍ୟ, ବିଭୁ ତରାଇ ହେଉଛନ୍ତି ପୂର୍ବତନ ଜଗତସିଂହପୁର ସାଂସଦ । ସେ ୨୦୦୯ ନିର୍ବାଚନରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ କଂଗ୍ରେସର ନୀତି ଆଦର୍ଶ ଏବଂ ଦଳୀୟ କନ୍ଦଳରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ । ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପି ୨୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଜଗତସିଂହପୁରରେ ପ୍ରାର୍ଥୀ ଦେଇନଥିଲା । ଏବେ ବିଭୁଙ୍କୁ ଦଳ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି ।

ବିଭୁ ତରାଇଙ୍କୁ ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ତିର୍ତୋଲ ଆସନରୁ ଟିକେଟ ଦିଆଯାଇଥିଲା । ମାତ୍ର ସେ ଜଗତସିଂହପୁର ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ । ଇସ୍ତଫାପତ୍ରରେ ବିଭୁ ଦର୍ଶାଇଥିଲେ ଯେ ଜଗତସିଂହପୁର ଲୋକସଭା ଆସନରୁ ପ୍ରତିମା ମଲ୍ଲିକଙ୍କୁ ଟିକେଟ ଦିଆଯାଇଛି । ମାତ୍ର ପ୍ରତିମା ତିର୍ତୋଲ ଆସନରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ । ସେହିପରି ପାରାଦୀପ ଆସନରେ ବାପି ସର୍ଖେଲଙ୍କୁ କଂଗ୍ରେସ ଟିକେଟ ଦେଇଛି । ଅପରପକ୍ଷେ ବାପିଙ୍କ ନାଁରେ ଅପରାଧିକ ମାମଲା ରହିଛି ବୋଲି ବିଭୁ ତରାଇ ଅଭିଯୋଗ ଆଣିଥିଲେ ।

ଅନ୍ୟପକ୍ଷରେ ପୂର୍ବତନ କାକଟପୁର ବିଧାୟକ ରବି ମଲ୍ଲିକ ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଏହା ପୂର୍ବରୁ କାକଟପୁରରୁ ବିଜେପି ପ୍ରାର୍ଥୀ ତୁଷାରକାନ୍ତି ବେହେରା ବିଜେଡିରେ ଯୋଗ ଦେବା ପରେ ଏଠାରେ ବିଜେପିକୁ ପ୍ରାର୍ଥୀ ଘୋଷଣା କରିବାର ଥିଲା । ଏବେ ରବି ମଲ୍ଲିକ ଦଳରେ ଯୋଗ ଦେବା ପରେ ତାଙ୍କୁ ଦଳ କାକଟପୁରର ପ୍ରାର୍ଥୀ କରାଯାଇଛି ।

Leave A Reply

Your email address will not be published.