
ସତ୍ୟପାଠ 27/12 ଜଗତସିଂହପୁର: ପାରିବାରିକ କଳହକୁ ନେଇ ବୋହୂକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ ସ୍ବାମୀ ଓ ଶଶୁରକୁ ବାଲିକୁଦା ପୋଲିସ ଥାନାରେ ଅଟକ ରଖିଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା, ଅନନ୍ତପୁର ଫାଣ୍ଡି ଅଧୀନ ରାହାଣ ପଞ୍ଚାୟତ କୋସିଦା ଗ୍ରାମରେ ଘଟିଛି। ମିଳିଥିବା ସୂଚନା ମୁତାବକ ଉକ୍ତ ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ବୁଲୁ ଭୁବନେଶ୍ବର ଅଞ୍ଚଳର ରାନୀ ନାମକ ଏକ ଯୁବତୀଙ୍କୁ ୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଏବେ ତାଙ୍କର ୨ ବର୍ଷର ଶିଶୁପୁତ୍ର ଟିଏ ରହିଛି। ଆଜି ରାନୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ବାପ ଘର ଲୋକଙ୍କୁ ଜଣାଇଥିଲେ ଶାଶୂଘର ଲୋକେ। ଝିଅର ମୃତ୍ୟୁ ଖବର ପାଇ ରାନୀର ପରିବାର ଲୋକେ କୋସିଦା ଗାଁରେ ପହଞ୍ଚିବା ବେଳକୁ ଶବ ସତ୍କାର ଚାଲିଥିଲା। ଏଥିରେ ସନ୍ଦେହ ପ୍ରକାଶ କରି ରାନୀଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ପାରିବାରିକ କଳହକୁ କେନ୍ଦ୍ର କରି ରାନୀଙ୍କୁ ପିଟି ପିଟି ମାରି ଦେଇଥିବା ମୃତକଙ୍କ ମା’ ଅଭିଯୋଗ କରିଛନ୍ତି । ପୁଲିସ ରାନୀଙ୍କ ସ୍ବାମୀ ବୁଲୁ ଓ ଶଶୁର ପୂର୍ଣ୍ଣଚନ୍ଦ୍ରକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।