ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ପୁଣି ମିଳିଛି ବଡ଼ ସଫଳତା । ଗତ ୧୨ ଘଣ୍ଟା ମଧ୍ୟରେ କଶ୍ମୀରରେ ଡବଲ ଏନକାଉଣ୍ଟର୍ ହୋଇଛି । ଫଳରେ ୫ ଜଣ ପାକିସ୍ତାନୀ ପ୍ରାୟୋଜିତ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି। ନିହତ ଆତଙ୍କବାଦୀମାନେ ପାକିସ୍ତାନରେ ସକ୍ରିୟ ଥିବା ଲସ୍କର-ଇ-ତାଏବା ଓ ଜୈଶ-ଇ-ମହମ୍ମଦର ସଦସ୍ୟ। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ କମାଣ୍ଡର ଜାହିଦ ୱାନି ଓ ଆଉ ଜଣେ ପାକିସ୍ତାନ ଆତଙ୍କୀ ରହିଥିବା ଜମ୍ମୁ-କଶ୍ମୀର ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
କଶ୍ମୀର ଜୋନ ପୁଲିସ୍ ଟ୍ୱିଟ କରି ସୂଚନା ଦେଇଛି ଯେ “୧୨ ଘଣ୍ଟା ମଧ୍ୟରେ ହୋଇଥିବା ଟ୍ୱିନ ଏନକାଉଣ୍ଟର୍ରେ ପାକିସ୍ତାନ ପ୍ରାୟୋଜିତ ଲସ୍କର ଓ ଜୈଶର ୫ ଜଣ ଆତଙ୍କୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜୈଶ କମାଣ୍ଡର ଜାହିଦ ୱାନି ଓ ଆଉ ଜଣେ ପାକିସ୍ତାନୀ ଆତଙ୍କୀ ରହିଛି। ଏହା ଆମ ପାଇଁ ବଡ଼ ସଫଳତା।”
ମିଳିଥିବା ସୂଚନା ଅନୁଯାୟୀ, କଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ନୈରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟର୍ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନଙ୍କ ଠାରୁ ବିପୁଳ ପରିମାଣର ବିସ୍ଫୋରକ ଓ ଆପତ୍ତିଜନକ ସାମଗ୍ରୀ ମିଳିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ସେହିପରି ବଡ଼ଗାମର ଚରାର-ଇ-ଶରିଫ ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀର ମୁଣ୍ଡ ଗଡ଼ିଛି। ତା’ ନିକଟରୁ ଏକେ-୫୬ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।
ନିହତ ଜୈଶ କମାଣ୍ଡ ଜାହିଦ ୨୦୧୯ ମସିହା ଫେବୃଆରୀ ମାସରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ହମଲାରେ ସାମିଲ ଥିଲା। ସେ ଏଠାରେ ଦୀର୍ଘ ବର୍ଷ ହେଲା କାମ କରୁଥିଲା। ତେଣୁ ଏନକାଉଣ୍ଟର୍ରେ ସେ ନିହତ ହେବା ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ସଫଳତା।
ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ କୁଲଗାମରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ପ୍ରଥମେ ହମଲା କରିଥିଲେ। ଏଥିରେ ଜଣେ ପୁଲିସ୍ କର୍ମୀ ସହିଦ ବି ହୋଇଥିଲେ। ସେହିପରି ପୁଲୱାମା ଜିଲ୍ଲାର ନୈରା ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼ ହୋଇଥିଲା। ଏହାପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏଥିରେ ଜାହିଦ ସମେତ ୪ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି। ସର୍ଚ୍ଚ ଅପରେସନରେ ଆର୍ମି, ସିଆରପିଏଫ ଓ ଜମ୍ମୁ-କଶ୍ମୀର ପୁଲିସ୍ ସାମିଲ ଥିଲେ ।