ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ତେବେ ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଏହି ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଭୟ କରନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଦାବି କରିଥିଲେ ଯେ, ଭାରତ ଆଉ ରୁଷିଆଠାରୁ ଅଶୋଧିତ ତୈଳ କିଣିବ ନାହିଁ।
ଏହି ଦାବିକୁ ଆଧାର କରି, ରାହୁଲ ଗାନ୍ଧୀ ସରକାରଙ୍କ ସାର୍ବଭୌମତ୍ୱ ଏବଂ ସ୍ୱାଧୀନ ନିଷ୍ପତ୍ତି ନେବାର କ୍ଷମତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଭାରତ-ଆମେରିକା ଏବଂ ଭାରତ-ରୁଷିଆ ସମ୍ପର୍କ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଆହୁରି ଖୋରାକ ଯୋଗାଇଛି। ତାଙ୍କ ବିବୃତିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଭାରତ ରୁଷିଆ ତେଲ କିଣିବ ନାହିଁ ବୋଲି ନିଷ୍ପତ୍ତି ନେବା ଏବଂ ଘୋଷଣା କରିବା ପାଇଁ ପୂର୍ଣ୍ଣ ଅନୁମତି ଦେଇଛନ୍ତି।ରାହୁଲ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ, ଟ୍ରମ୍ପ୍ ପ୍ରଶାସନ ଭାରତକୁ ଅଣଦେଖା କରୁଥିବା ବେଳେ, ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ବାର୍ତ୍ତା ପଠାଉଛନ୍ତି, ଯାହାର ସଦ୍ୟତମ ଉଦାହରଣ ହେଉଛି ଇସ୍ରାଏଲ-ହମାସ ଶାନ୍ତି ଚୁକ୍ତିନାମା।





