ତଥ୍ୟ ଓ ସତ୍ୟକୁ ସାମ୍ନା କର

ରାହୁଲଙ୍କ ଗସ୍ତକୁ ନେଇ ବିଜେଡି ଓ ବିଜେପି ଆତଙ୍କିତ

ଓଡ଼ିଶା ଗସ୍ତକାଳରେ କଂଗ୍ରେସର ଜାତୀୟ ସଭାପତି ରାହୁଲ ଗାନ୍ଧୀ ଦେଇଥିବା ସାଂଘାତିକ ତଥ୍ୟକୁ ନେଇ ଉଭୟ ବିଜେଡି ଓ ବିଜେପି ଆତଙ୍କିତ ହୋଇପଡିଛନ୍ତି ବୋଲି କଂଗ୍ରେସ କହିଛି । ଉଭୟ ଦଳର ନେତାମାନେ ପିଲାଳିଆମୀ ଛାଡି ତଥ୍ୟ ଓ ସତ୍ୟର ସାମ୍ନା କରିବାକୁ ପରାମର୍ଶ ଦେଇଛି ରାଜ୍ୟ କଂଗ୍ରେସ ।

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଓ ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ରାହୁଲ ଗାନ୍ଧୀଙ୍କ ବରଗଡ଼ ସମାବେଶରେ ଦେଇଥିବା ବକ୍ତବ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

ଉକ୍ରଟ ବେକାରୀ ସମସ୍ୟା, ସରକାରୀ ଚାକିରି କ୍ଷେତ୍ରରେ ଖାଲି ପଡିଥିବା ୧.୫ ଲକ୍ଷ ପଦବୀ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ପ୍ରତାରଣା, ୬୦ ହଜାର କୋଟିର ଖଣି ଦୁର୍ନୀତି ଇତ୍ୟାଦି ପ୍ରସଙ୍ଗ ଉଠାଇଥିଲେ ରାହୁଲ । ଏ ନେଇ ବିଜେଡି ଓ ଏହାର ପୂର୍ବତନ ସହଯୋଗୀ ବିଜେପି ପ୍ରତିକ୍ରିୟାଶୀଳ ହୋଇ ହୋମୱାର୍କ ଓ ଅନ୍ୟାନ୍ୟ ମନ୍ତବ୍ୟ ଦେବା ହାସ୍ୟାସ୍ପଦ ଓ ଶସ୍ତା ରାଜନୀତିର ନମୁନା ବୋଲି ସେମାନେ କହିଥିଲେ ।

ରାହୁଲଙ୍କ ବକ୍ତବ୍ୟ ସହିତ ନିଜସ୍ୱ ତଥ୍ୟ ଯୋଡ଼ି ସତ୍ୟପ୍ରକାଶ କହିଥିଲେ ଯେ ରାଜ୍ୟରେ ବର୍ତମାନ ଶିଶୁରୋଗ ବିଶେଷଜ୍ଞ ପଦବୀ ୬୮ ପ୍ରତିଶତ, ଭେଷଜ ବିଭାଗରେ ୬୭ ପ୍ରତିଶତ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ୩୫ ପ୍ରତିଶତ ଓ ରଞ୍ଜନରଶ୍ମୀ ବିଭାଗରେ ୮୯ ପ୍ରତିଶତ ପଦବୀ ଖାଲି ।

ସେହିପରି ରାଜ୍ୟରେ ୭୨୫୮୭ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୩୪୯୪୧ଟିର ନିଜସ୍ୱ ଘର ନାହିଁ । ୧୦୧୬୬ ଗାଁକୁ ଅଦ୍ୟାବଧି ରାସ୍ତା ନାହିଁ । ୧୯ ଲକ୍ଷରୁ ଅଧିକ ପକ୍କାଘର ନିର୍ମାଣ କରିଥିବା ବିଜେଡି ସରକାର ବାହାସ୍ପୋଟ ମାରୁଥିବା ବେଳେ ଅସଲରେ ୧୧ ଲକ୍ଷ ପକ୍କାଘର ତିଆରି ହୋଇଛି । ଏସବୁ ତଥ୍ୟ ପ୍ରମାଣିତ କରୁଛି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଥ୍ୟା ତଥ୍ୟର ସୌଦାଗର ବୋଲି ସେ ଅଭିଯୋଗ କରିଛନ୍ତି ।

ବରିଷ୍ଠ ନେତା ଶ୍ରୀ କାନୁନଗୋ କହିଥିଲେ ଯେ କଂଗ୍ରେସ ସରକାର ସମୟରେ ପାରାଦୀପ ବନ୍ଦର, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ସାର କାରଖାନା, ବିଭିନ୍ନ ଜାଗାରେ ଚିନିକଳ, ତେଲ କାରଖାନା, ଚୌଦ୍ୱାର ଓଟିଏମ ମିଲ, ଶୀତଳଭଣ୍ଡାର ପ୍ରତିଷ୍ଠା ଇତ୍ୟାଦି ଅନେକ କାର୍ଯ୍ୟ ହୋଇଥିଲା । ଏ ପଟେ ଓଟିଏମ କପଡ଼ା ମିଲ ବନ୍ଦ ହେବା ସହିତ ରାଜ୍ୟରେ ୧୫ ହଜାରରୁ ଅଧିକ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବନ୍ଦ ହେବା ବିଜେଡି ସରକାରଙ୍କର ଅବଦାନ ।

କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପରେ ଦେଶର ତଥ୍ୟ ପରିବର୍ତନ ଭଳି ଗୁରୁତର ଷଡ଼ଯନ୍ତ୍ର କରାଯାଉଥିବା ଦର୍ଶାଇ ଦେଶ ବିଦେଶର ୧୦୮ଜଣ ପ୍ରମୁଖ ଅର୍ଥନୀତିଜ୍ଞ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅଶୋକ ସାମଲ, ପ୍ରଶାନ୍ତ ଶତପଥୀ, ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.