ବ୍ୟାଙ୍କକ(ସତ୍ୟପାଠବ୍ୟୁରୋ): ମିସ ଟିନ୍ ସୁପର ଗ୍ଲୋବ୍‌ରେ ଚମକିଲେ ଓଡ଼ିଆ ଝିଅ। ସୁଦୂର ଥାଇଲାଣ୍ଡର ବ୍ୟାଙ୍କକଠାରେ ଆୟୋଜିତ ପ୍ରତିଷ୍ଠିତ ‘ମିସ ଟିନ୍ ସୁପର ଗ୍ଲୋବ’ ପ୍ରତିଯୋଗିତାରେ ନିଜର ପ୍ରତିଭା ଦେଖାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଖୋର୍ଦ୍ଧାର ଝିଅ ଆୟାନି ଆଲିଶା ଆକାଂକ୍ଷା। ସାରା ଏସିଆ ମହାଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ‘ମିସ ଏସିଆ’ ମୁକୁଟ ପିନ୍ଧିବା ସହ ଏସିଆନ୍ ଟପ୍ପର ଅାୱାର୍ଡ ହାସଲ କରିଛନ୍ତି । ଖୋର୍ଦ୍ଧା ଅଞ୍ଚଳର ଆୟାନିଙ୍କ ବୟସ ମାତ୍ର ୧୩ ବର୍ଷ। ସେ ବର୍ତ୍ତମାନ ନବମ ଶ୍ରେଣୀରେ ପଢ଼ୁଛନ୍ତି। ଛୋଟ ବେଳୁ ଗ୍ଲାମର ଦୁନିଆ ପ୍ରତି ତାଙ୍କର ବେଶ୍ ରୁଚି ରହିଥିଲା। ନିଜ ଭଉଣୀଙ୍କଠାରୁ ପ୍ରେରଣା ପାଇ ସେ ଏହି କ୍ଷେତ୍ରରେ ପାଦ ଥାପିଥିଲେ। ଯଦିଓ ୨୦୨୩ ମସିହାରେ ସେ ଏକ ପ୍ରତିଯୋଗିତାରେ ବିଫଳ ହୋଇଥିଲେ, କିନ୍ତୁ ସେ ହାର୍ ମାନିନଥିଲେ। ତାଙ୍କର କଠିନ ପରିଶ୍ରମ ଓ ଜିଦ୍ ଆଜି ତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇଛି ।
ବ୍ୟାଙ୍କକରେ ଆୟୋଜିତ ଏହି ମେଗା ଇଭେଣ୍ଟରେ ସାରା ଏସିଆ ମହାଦେଶର ବିଭିନ୍ନ ଦେଶରୁ ଶ୍ରେଷ୍ଠ ୩୦ ଜଣ ପ୍ରତିଯୋଗୀ ଫାଇନାଲ୍ ରାଉଣ୍ଡରେ ସାମିଲ ହୋଇଥିଲେ। ଓଡ଼ିଶାରୁ ମାତ୍ର ଦୁଇ ଜଣ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଆୟାନି ସମସ୍ତଙ୍କୁ ପଛରେ ପକାଇ ‘ଏମ୍ ଟି ଏସ ଜି ଏସିଆନ୍ ୨୦୨୬’ (MTSG Asian 2026) ଅୱାର୍ଡ ଏବଂ ‘ଆକିଉ ରତ୍ନ ମିସ୍ ଟିମ୍ ସୁପର ଆୱାର୍ଡ଼’ ଜିତିଛନ୍ତି ।