ଦିନିକିଆ ଦଳର ଅଧିନାୟକତ୍ୱ ପଦରୁ ହଟିବା ପରେ ମୁଁହ ଖୋଲିଲେ କୋହଲି

ବିସିସିଆଇ ଉପରେ ଖପ୍ପା ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରେ ସେ ଚୟନ ପାଇଁ ଉପଲବ୍ଧ ହେବେ ବୋଲି କୋହଲି ସ୍ପଷ୍ଟ ଭାବେ କହିଛନ୍ତି। ଏହାସହ କୋହଲି ମଧ୍ୟ ଦିନିକିଆ ଦଳର ଅଧିନାୟକତ୍ୱରୁ ବଞ୍ଚିତ ହେବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ଡିସେମ୍ବର ୮ରେ ଦକ୍ଷିଣ ଆଫ୍ରିକା ପାଇଁ ଭାରତ ଟେଷ୍ଟ ଦଳ ଘୋଷଣା ହେବାର ଦେଢ ଼ଘଣ୍ଟା ପୂର୍ବରୁ ତାଙ୍କୁ ଦିନିକିଆ ଦଳର ଅଧିନାୟକତ୍ୱରୁ ହଟାଇ ଦିଆଯିବା ସମ୍ପର୍କରେ ସୂଚନା ଦିଆଯାଇଥିଲା।
ଟେଷ୍ଟ ଅଧିନାୟକ ବିରାଟ କୋହଲି ଏହା ସ୍ପଷ୍ଟ କରିଛନ୍ତି ଯେ, ଯେତେବେଳେ ମୁଁ ଟି -୨୦ ଅଧିନାୟକତ୍ୱ ଛାଡିଥିଲି, କେହି ମୋତେ ରୋକି ନ ଥିଲେ। ସମସ୍ତେ ଏହାକୁ ଠିକ୍‌ ବୋଲି କହିଥିଲେ। ପରେ ବିସିସିଆଇକୁ କହିଥିଲି ମୁଁ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଜାରି ରଖିବାକୁ ଚାହୁଁଛି। କିନ୍ତୁ ଯଦି ଚୟନକର୍ତ୍ତା ଅନ୍ୟ କାହାକୁ ଉପଯୁକ୍ତ ଭାବନ୍ତି ତେବେ ସେମାନେ ନିଷ୍ପତ୍ତି ନେଇପାରନ୍ତି ବୋଲି କହିଥିଲି। କିନ୍ତୁ ଡିସେମ୍ବର ୮ରେ ହଠାତ୍‌ ଚୟନକର୍ତ୍ତା ଦିନିକିଆ ଅଧିନାୟକ ପଦରେ ମୁଁ ଆଉ ରହିବି ନାହିଁ ବୋଲି ମୋତେ କହିଥିଲେ। ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯିବା ପାଇଁ ପୂର୍ବରୁ କୁହାଯାଇ ନ ଥିଲା ବୋଲି କୋହଲି କହିଛନ୍ତି।

Related Posts