ଦିଲ୍ଲୀକୁ ହରାଇଲା ହାଇଦ୍ରାବାଦ

ଆଇପିଏଲର ୧୬ତମ ମ୍ୟାଚକୁ ଘରୋଇ ପରିବେଶରେ ଖେଳିଥିଲେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଡରିଯାଇଛି । ଗୁରୁବାର ସନରାଇଜର୍ସ ହାଇଦ୍ରାବାଦ ୫ ୱିକେଟ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦେଇଛି । ହାଇଦ୍ରାବାଦ ଚତୁର୍ଥ ମ୍ୟାଚରୁ ତୃତୀୟ ବିଜୟ ସହିତ ଶୀର୍ଷକୁ ଉଠିଥିବା ବେଳେ ଦିଲ୍ଲୀ ପଞ୍ଚମ ମ୍ୟାଚରୁ ତୃତୀୟ ପରାଜୟ ବରଣ କରିଛି । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସର ପ୍ରାରମ୍ଭିକ ଯୋଡ଼ି ପୃଥ୍ୱୀ ସ’ (୧୧, ୧୧ ବଲ) ଏବଂ ଶିଖର ଧାୱନ (୧୨, ୧୪ ବଲ) ନିରାଶ କରିଥିଲେ । ଯୁବ ପ୍ରତିଭା ଋଷବ ପନ୍ତ, ରାହୁଲ ତିୱାତିଆ , କଲିନ ଇନଗ୍ରାମ ପ୍ରତ୍ୟେକ ୫ ରନ ଲେଖାଏଁ କରିଥିଲେ ।

ଫଳରେ ଦିଲ୍ଲୀ ୭୫ ରନରେ ୫ ୱିକେଟ ହରାଇ ବ୍ୟାକଫୁଟ ଚାଲିଯାଇଥିଲା । ଅଧିନାୟକ ଶ୍ରେୟସ ଆୟର (୪୩, ୪୧ ବଲ, ୩ ଚୌକା, ୧ ଛକା) ୧୭ତମ ଓଭର ପର୍ଯ୍ୟନ୍ତ ଲଢିଥିଲେ ମଧ୍ୟ ଅନ୍ୟ କାହାରିଠାରୁ ସମର୍ଥନ ପାଇନଥିଲେ । ଶେଷ ଭାଗରେ କ୍ରିସ ମୋରିସ (୧୭, ୧୫ ବଲ) ଏବଂ ଅକ୍ଷର ପଟେଲ (୨୩ ଅପରାଜିତ, ୧୩ ବଲ, ୧ ଚୌକା, ୨ ଛକା) ଦ୍ରୁତ ଖେଳିବାରୁ ଦିଲ୍ଲୀ ସମ୍ମାନଜନକ ସ୍କୋର କରିପାରିଥିଲା ।

ଶେଷ ଓଭର ବୋଲିଂ କରିଥିବା ସିଦ୍ଧାର୍ଥ କଉଲଙ୍କ ଶେଷ ୩ ବଲରୁ ୧୪ ରନ୍ ସଂଗ୍ରହ କରିଥିଲେ ପଟେଲ । ଏଥି ସହିତ ଦିଲ୍ଲୀ ୧୨୯/୮ରେ ଅଭିଯାନ ଶେଷ କରିଥିଲା । ହାଇଦ୍ରାବାଦ ପକ୍ଷରୁ କାମଚଳା ଅଧିନାୟକ ଭୁବନେଶ୍ୱର କୁମାରଙ୍କ ସହିତ ମହମ୍ମଦ ନବି, ସିଦ୍ଧାର୍ଥ କଉଲ ୨ ଲେଖାଏଁ ଏବଂ ରସିଦ ଖାନ ଓ ସନ୍ଦୀପ ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଜବାବରେ ଡେଭିଡ ୱାର୍ନର ଏବଂ ଜନି ବେୟାରଷ୍ଟୋ ପ୍ରଥମ ୱିକେଟ ପାଇଁ ଓଭର ପିଛା ୧୦ ରନ ହାରରେ ୬୪ ରନ କରିଥିଲେ । ବିଗତ ୩ ମ୍ୟାଚର ଶତକୀୟ ଭାଗିଦାରୀ କରିଥିବା ଏହି ବିଦେଶୀ ଯୋଡ଼ି କିନ୍ତୁ ଏଥର ଏହାକୁ ଦୋହରାଇ ପାରିନଥିଲେ । ୬୪ ରନ ଭାଗିଦାରୀ ମଧ୍ୟରୁ ବେୟାରଷ୍ଟୋ (୪୮, ୨୮ ବଲ, ୯ ଚୌକା, ୧ ଛକା) ଅଧିକ ରନ କରିଥିଲେ ମଧ୍ୟ ଆଗ ଆଉଟ ହୋଇଥିଲେ ।

ଶାନ୍ତ ପଡ଼ିଯାଇଥିବା ୱାର୍ନର (୧୦, ୧୮ ବଲ) ପରବର୍ତୀ ଓଭରରେ ନିରାଶ କରିଥିଲେ । ବିଜୟ ଶଙ୍କର (୧୬), ମନୀଷ ପାଣ୍ଡେ (୧୦), ଦୀପକ ହୁଦା (୧୦) ମଧ୍ୟ ବିଶେଷ ପ୍ରଭାବ ଛାଡ଼ି ପାରିନଥିଲେ । କିନ୍ତୁ ସାମୟିକ ଚାପ ପରେ ମହମ୍ମଦ ନବି (୧୭ ଅପରାଜିତ, ୯ ବଲ, ୨ ଚୌକା, ୧ ଛକା) ଏବଂ ୟୁସୁଫ ପଠାନ (୯ ଅପରାଜିତ, ୧୧ ବଲ, ୧ ଚୌକା) ୯ ବଲ ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ ।

ସଂକ୍ଷିପ୍ତ ସ୍କୋର :
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୨୯/୮ (ଶ୍ରେୟସ ଆୟର-୪୩, ଅକ୍ଷର ପଟେଲ-୨୩ ଅପରାଜିତ, ମହମ୍ମଦ ନବି-୨/୨୧, ଭୁବନେଶ୍ୱର କୁମାର-୨/୨୭, ସିଦ୍ଧାର୍ଥ କଉଲ-୨/୩୫, ରସିଦ ଖାନ-୧/୧୮, ସନ୍ଦୀପ ଶର୍ମା-୧/୨୫) । ସନରାଇଜର୍ସ ହାଇଦ୍ରାବାଦ ୧୮.୩ ଓଭରରେ ୧୩୧/୫ (ଜନି ବେୟାରଷ୍ଟୋ-୪୮, ମହମ୍ମଦ ନବି-୧୭ ଅପରାଜିତ, ୟୁସୁଫ ପଠାନ-୯ ଅପରାଜିତ, ଈଶାନ୍ତ ଶର୍ମା-୧/୫, ଅକ୍ଷର ପଟେଲ-୧/୧୮, ରାହୁଲ ତିୱାତିଆ-୧/୧୦, କାଗିସୋ ରବାଦା-୧/୩୨, ସନ୍ଦୀପ ଲାମିଚାନ-୧/୩୨) ।

Leave A Reply

Your email address will not be published.