ଦୁର୍ନୀତି ଛଡ଼ା ନବୀନ କିଛି କରିନାହାନ୍ତି

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଅଭିଯାନକୁ ଜୋର କରିଛନ୍ତି । ଗତ ୨ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ବିଜେପି ପାଇଁ ପ୍ରଚାରକୁ ଓହ୍ଲାଇଥିବା ବେଳେ ଆଜି ଅମିତ ଶାହା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରଚାର କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି । ସ୍ଥାନୀୟ କାଶୀନଗରରେ ସେ ଦଳୀୟ କର୍ମୀଙ୍କୁ ବିଜୟର ମନ୍ତ୍ର ଦେବା ସହ ବିଜେପିକୁ ଭୋଟ ଦେବା ପାଇଁ ଆହ୍ୱାନ କରିଛନ୍ତି ।

ନିଜ ଭାଷଣ ଆରମ୍ଭରୁ ଶାହା ଆଜି ଉକ୍ରଳ ଦିବସ ଉପଲକ୍ଷେ ଓଡିଶା ମାଟିର ବୀର ସନ୍ତାନ ମଧୁସୁଦନ ଦାସ, ଗଙ୍ଗାଧର ମେହେର ଆଦିଙ୍କୁ ମନେ ପକାଇଥିଲେ । ଏହାପରେ ସେ କହିଥିଲେ ଉତ୍କଳ ଦିବସ ଏପ୍ରିଲ ୧ରେ ଓଡିଶା ଆସିଥିବାରୁ ଏହା ମୋର ସୌଭାଗ୍ୟ । ଆଜିର ଦିନରେ ଭାଷାଭିତିରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ନିର୍ମାଣ ହୋଇଥିଲା । କିନ୍ତୁ ୧୯ ବର୍ଷ ଓଡିଶା ପାଇଁ ଦୁର୍ଭାଗ୍ୟର ବିଷୟ । ଏଠାକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନ ପଢି ଓଡିଆ କହିପାରୁନାହାନ୍ତି । ବହୁତ ସମୟ ଆମେ ସହିଛୁ ।

ଏପରି ଏକ ମୁଖ୍ୟମନ୍ତ୍ରୀ ବାଛନ୍ତୁ ଯେ ଆପଣଙ୍କ ଭାଷା, ଦୁଃଖ ଏବଂ କଷ୍ଟକୁ ସହିପାରିବ । ଏହି ସଭାରୁ ଯିବା ପରେ ଏକ ସଂକଳ୍ପ ନେବାକୁ ପଡିବ କି ଇଂରାଜୀ କହୁଥିବା ଲୋକ ଚଳିବ ନାହିଁ । ୧୯ ବର୍ଷ ଶାସନ କଲେ ନବୀନ କିନ୍ତୁ ବିକାଶ ପାଇଁ କିଛି ହୋଇନାହିଁ । ଏହି ନିର୍ବାଚନ ଦେଶ ଏବଂ ଓଡିଶାର ଭାଗ୍ୟ ନିର୍ଦ୍ଧାରଣ କରିବ । ଦେଶରେ କାହାର ଏବଂ ଭୁବନେଶ୍ୱରରେ କାହାର ସରକାର ହେବ ତାହା ସ୍ଥିର କରିବ । ସମସ୍ତ ସ୍ଥାନରେ ବିଜେପି ସରକାର କରିବ ବୋଲି ଲୋକ କହୁଛନ୍ତି । ମୋଦୀଙ୍କ ନାମ ପରିବର୍ତନ ହେଉନାହିଁ ।

ନବୀନଙ୍କ ସରକାରଙ୍କୁ ଫିଙ୍ଗିବାକୁ ହେବ ଏବଂ ଅଧିକ ଆସନରେ ପଦ୍ମ ଫୁଟାଇ ଲୋକସଭାକୁ ପଠାଇବାକୁ ହେବ । ଓଡିଶାରେ ରୋଜଗାର ନପାଇ ଯୁବକମାନେ ବାହାରକୁ ଯାଉଛନ୍ତି । ବିଜେପି ସରକାର ଆସିଲେ ଓଡିଆ ଯୁବକ ବାହାରକୁ ଯିବେ ନାହିଁ । ରାଜ୍ୟରେ ମୋଦୀଙ୍କ ପ୍ରଧାନମନ୍ତ୍ରୀ ହେବା ପରେ ବହୁତ କାର୍ଯ୍ୟକ୍ରମ ହୋଇଛି । କିନ୍ତୁ ନବୀନ ସଉତୁଣୀ ଭଳି ବ୍ୟବହାର କରୁଛନ୍ତି । ଏଠାରେ ଜିଲ୍ଲାପାଳ, ଏସପି, ନେତା ଜନତାଙ୍କଠାରୁ କମିଶନ ନେଉଛନ୍ତି । ରତ୍ନଭଣ୍ଡାର ମଧ୍ୟ ସୁରକ୍ଷିତ ନୁହେଁ ।

ନବୀନଙ୍କୁ ଲାଗୁଛି ଏହା ଛୋଟ କଥା । କିନ୍ତୁ ଏହା ଓଡିଶାର ସମ୍ପତି ଏବଂ ସମୃଦ୍ଧି । ବିଜେଡି ଏଠାରେ ଶାସନ କରୁଛି । ଆଦିବାସୀ ଲୋକଙ୍କ ପଟ୍ଟା ଦେଇପାରୁ ନାହିଁ, ମହେନ୍ଦ୍ରତନୟା ଏବଂ ବଂଶଧରା ଯୋଜନା ଫେଲ ମାରିଛି, ରାୟଗଡାରୁ ପାରଳାଖେମୁଣ୍ଡି ଯାଏଁ ଜଳସେଚନ ଫେଲ ହୋଇଛି । ଗଜପତିରେ ଜନଜାତିଙ୍କୁ ମଧ୍ୟ ଉପେକ୍ଷା କରିଛି । ବିଶୁଦ୍ଧ ପାଣି ଯୋଗାଇବାରେ ମଧ୍ୟ ସରକାର ବିଫଳ ।

ଶାହା ଆହୁରି କହିଛନ୍ତି ଯେ ହସ୍ପିଟାଲରେ ଡାକ୍ତର ନାହାନ୍ତି, ୨୪ ଘଣ୍ଟା ବିଜୁଳି ନାହିଁ, ଗ୍ରାମରେ ରାସ୍ତା ନାହିଁ । ନବୀନ ଦୁର୍ନୀତି ଛଡା ଆଉ କିଛି କରିନାହାନ୍ତି । ରାହୁଲ ଗାନ୍ଧୀ ଓଡିଶାକୁ ଆସୁଛନ୍ତି । ୧୦ ବର୍ଷ ସରକାରରେ ଥିଲେ କିନ୍ତୁ କଂଗ୍ରେସ ସରକାର ଓଡିଶାକୁ ୮୦ହଜାର କୋଟି ଦେଇଥିଲା । ହେଲେ ମୋଦୀ ସରକାର ୫ ବର୍ଷରେ ୫ଲକ୍ଷ ୫୬ହଜାର ୫୬୫କୋଟି ଟଙ୍କା ଦେଇଛନ୍ତି । ରେଳବାଇ ପାଇଁ ୪୩ହଜାର କୋଟି, ଜଳମାର୍ଗ ପାଇଁ ୨୦୦୦କୋଟି, ଅମୃତ ଯୋଜନା ପାଇଁ ୧୫୯୦ ଏବଂ ସାଗରମାଳା ପାଇଁ ୨୫ହଜାର କୋଟି ଟଙ୍କା ପ୍ରଦାନ ହୋଇଛି । ଉଜ୍ଜ୍ୱଳା ଯୋଜନାରେ ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ମିଳିଛି ।

୪୮ଲକ୍ଷ ମହିଳାଙ୍କୁ ଓଡିଶାରେ ମାଗଣା ଗ୍ୟାସ ମିଳିଛି । ଦେଶରେ ୭କୋଟି ଗ୍ୟାସ ମିଳିଛି । ୮କୋଟି ପରିବାରରେ ଶୌଚାଳୟ କରାଯାଇଛି । ୨କୋଟି ୩୫ ଲକ୍ଷଙ୍କ ଘରେ ପହଁ·ଯାଇଛି । ଓଡିଶାକୁ ଏକ ଯୁବ ମୁଖ୍ୟମନ୍ତ୍ରୀ ଦରକାରା । ବିକାଶର ରାସ୍ତାକୁ ନେବା ଭଳି ମୁଖ୍ୟମନ୍ତ୍ରୀ ଦରକାର । କେନ୍ଦ୍ରରୁ ଟଙ୍କା ଆସୁଛି କିନ୍ତୁ ତଳସ୍ତରରେ ପହଞ୍ଚୁନାହିଁ କାରଣ ନବୀନଙ୍କ ଅଫିସର ଏହାକୁ ବାଟମାରଣା କରୁଛନ୍ତି । ଏହି ବ୍ୟବସ୍ଥା ବଦଳିବା ଦରକାର । ଦେଶ ଏବଂ ରାଜ୍ୟରେ ଡବଲ ଇଞ୍ଜିନର ବ୍ୟବସ୍ଥା କରିବା ଦରକାର ।

ସେ ଆହୁରି କହିଛନ୍ତି ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ବଳିଦାନକୁ କେହି ଭୁଲି ପାରିବେ ନାହିଁ । କଂଗ୍ରେସ ଦଳ ସମଝୋତା ଏକ୍ସପ୍ରେସକୁ ନେଇ ଯେଉଁ ରାଜନୀତି କରୁଥିଲା ତାହା ବିଫଳ ହୋଇଛି । ରାହୁଲ ଗାନ୍ଧୀ ହିନ୍ଦୁଙ୍କୁ ନେଇ ଆତଙ୍କବାଦୀ କହୁଛନ୍ତି । କଂଗ୍ରେସ ଭୋଟବ୍ୟାଙ୍କ ପାଇଁ ହିନ୍ଦୁ ସମୁଦାୟକୁ ନିନ୍ଦା କରୁଛି । ଏହାସହ ଦେଶର ସୁରକ୍ଷା ସହ କଂଗ୍ରେସ ସାଲିସ କରିଛି । ପୁଲୱାମାକୁ ନେଇ ଭାରତ ପାକ ଘରେ ପଶି ଆକ୍ରମଣ କଲା କିନ୍ତୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ପାକିସ୍ତାନ ସହ କଥା ମିଳାଇ ପ୍ରମାଣ ମାଗୁଛନ୍ତି ।

ଆତଙ୍କବାଦୀ ଗୁଳି ଚଳାଇଲେ ଆମେ ବୋମା ମାଡ କରି ଏହାର ଜବାବ ଦେବୁ । ମୋଦୀ ୨୪ ଘଣ୍ଟାରୁ ୧୮ଘଣ୍ଟା କାମ କରନ୍ତି । ସେ ଜଣେ ପ୍ରାମାଣିକ, ପାରଦର୍ଶୀ ପ୍ରଧାନମନ୍ତ୍ରୀ । ଆଜି ଭାରତର ଗୌରବ ବୃଦ୍ଧି ପାଇଛି । ବିଜେପିକୁ ଗୋଟିଏ ସୁଯୋଗ ଦିଆଯାଉ । ୫ ବର୍ଷରେ ଦେଶରେ ଏକ ନମ୍ବର ରାଜ୍ୟ ହେବ ଓଡିଶା । ଏହାସହ ସେ ଉପସ୍ଥିତ ଭୋଟର ଏବଂ କର୍ମୀଙ୍କୁ ରାଜ୍ୟ ଏବଂ ଦିଲ୍ଲୀରେ ବିଜେପି ସରକାର ଗଢିବା ପାଇଁ ନିବେଦନ କରିଥିଲେ ।

Leave A Reply

Your email address will not be published.