ନବୀନଙ୍କ ମୁହଁରେ ମହିଳା ସଶକ୍ତିକରଣ ଲଙ୍କାରେ ହରିନାମ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ ମହିଳା ସଶକ୍ତିକରଣ କଥା ଶୁଣିଲେ ଲଙ୍କାରେ ହରିନାମ ଭଳି ଲାଗୁଛି । ଓଡିଶା କୁନ୍ଦୁଲି ମୃତ୍ୟୁ, ବେବିନାର ଦୁଃଖ କାହାଣୀ ଭୁଲିନାହିଁ । ତାଙ୍କୁ କିଏ ନ୍ୟାୟ ଦେବ? ବେବିନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତମାନଙ୍କର ମୁଖ୍ୟ ପୃଷ୍ଠପୋଷକଙ୍କୁ କାହିଁକି ତିନି ମାସ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କ ମହିଳା ଅଧିକାର ବକ୍ତବ୍ୟ ଉପରେ ଆଜି କଡା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର କହିଛନ୍ତି ଯେ ଭୁବନେଶ୍ୱରରେ ଜଣଙ୍କୁ ଟିକେଟ ଦେଇଛନ୍ତି, ଯାହାଙ୍କ କେଳାଙ୍କାରୀ ସମ୍ପର୍କରେ ରାଜ୍ୟ ଲଜ୍ଜିତ ହୋଇଥିଲା । ମହିଳା ସଶକ୍ତକରଣ କଥା କହୁଥିବା ମୁଖ୍ୟମନ୍ତ୍ରୀ ବେବିନା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଟିକେଟ ଦେଲେ । କୁନ୍ଦୁଲି ପୀଡିତା ଆତ୍ମହତ୍ୟା କରିବାର ଉତ୍ତର କିଏ ଦେବ? ଦୁଇ ଦିନ ତଳେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଅସଦାଚାରଣ ବିରୋଧରେ ନବୀନ ନିବାସରେ ଜଣେ ମହିଳା ଆତ୍ମାହୂତି ଦେବାର ପ୍ରଚେଷ୍ଟା କରିଥିଲେ ।

ବିଗତ ୩ ବର୍ଷରେ ସରକାରୀ ଆଦିବାସୀ ଛାତ୍ରୀ ନିବାସରେ ୧୨ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମହିଳା ବିରୋଧୀ ହୋଇଥିବା ବେଳେ ରାଜ୍ୟର ୨୫ଟି ଜିଲ୍ଲାରେ କୁପୋଷଣରେ ଶିଶୁଙ୍କ ଅବସ୍ଥା ଭୟଙ୍କର ହୋଇଥିବା ନେଇ ଚିଠା ଖୋଲିଛନ୍ତି ଧର୍ମେନ୍ଦ୍ର । ୨୦୩୬ ମସିହାରେ ଓଡିଶା ଭାଷାଭିତିକ ରାଜ୍ୟ ହେବାରେ ୧୦୦ ବର୍ଷ ପୂରିବ । ଆଜି ଜନ୍ମ ହେଉଥିବା ପିଲା ସେତେବେଳେ ଯୁବକ ଅବସ୍ଥାରେ ଥିବ । ତେବେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁଙ୍କ ଉପରେ ଯେଉଁ ନୀତି ଅତ୍ୟନ୍ତ ଚିନ୍ତାଜନକ ବିଷୟ ।

ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରେସନୋଟ ମାଧ୍ୟମରେ ନିଜ ଡରକୁ ପ୍ରକାଶ କରିଛନ୍ତି । ମହିଳା ନେତୃତ୍ୱ କଥା ଉଲ୍ଲେଖ କରି ନବୀନ ବାବୁ ଅନ୍ତରାଷ୍ଟ୍ରୀୟ ସ୍ତରର ନେତ୍ରୀମାନଙ୍କର ନ୍ୟୁଜିଲାଣ୍ଡ ଓ ଜର୍ମାନର ନାଁ ନେଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ ଆଜି ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କ ମଧ୍ୟରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱରେ ମହିଳା ନେତୃତ୍ୱର ନୂଆ ମାପକାଠୀ ତିଆରି କରିଛନ୍ତି । ନବୀନ ବାବୁ ଏହି ଦୁଇ ନାରୀ ନେତ୍ରୀମାନଙ୍କ ପରି ଉଦାହରଣ ଦେଇଥାନ୍ତେ ତେବେ ଭାରତୀୟ ମହିଳା ବିଶେଷତଃ ଓଡିଶାର ଭଉଣୀମାନଙ୍କୁ ପ୍ରେରଣା ମିଳିଥାନ୍ତା ।

ମହିଳାଙ୍କ ପାଇଁ ଇଜ୍ଜତସ୍ୱରୂପ ଶୌଚାଳୟ ପ୍ରଧାନମନ୍ତ୍ରୀ ନିର୍ମାଣ କଲେ । ମାତ୍ର ଆଜି ସବୁଠୁ ମନ୍ଥର ଗତିରେ ଶୌଚାଳୟ ବନାଇବାର ରାଜ୍ୟ ହେଲା ଓଡିଶା । ସେହିପରି ଉଜ୍ଜଳା ଯୋଜନାରେ ରାଜ୍ୟର ୪୦ ଲକ୍ଷ ପରିବାରରେ ଏଲପିଜି ପହଞ୍ଚାଯାଇଛି । ମାତ୍ର ଏହାକୁ ମୁଖ୍ୟମନ୍ତ୍ରୀ ସମାଲୋଚନା କରୁଛନ୍ତି । ପ୍ରଜାତନ୍ତ୍ରରେ ଲମ୍ବା ସମୟ କ୍ଷମତାରେ ରହିଲେ ଅହଙ୍କାରୀ ହେବା ସ୍ୱାଭାବିକ ।

ଓଡିଶାରେ କାହିଁକି ମହିଳା ଅସୁରକ୍ଷିତ, ପାନୀୟ ଜଳ ସମସ୍ୟା, ଶିଶୁ କନ୍ୟା ଅନୁପାତ ହ୍ରାସ, ମୁଖ୍ୟମନ୍ତ୍ରୀ ମୂଳ ପ୍ରସଙ୍ଗକୁ ଆସନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି । ସେହିପରି ମୋଦୀଙ୍କ ବିରୋଧରେ ଯେତେ ଅପପ୍ରଚାର କଲେ ବି ଓଡିଆ ଲୋକମାନେ ଏଥର ଦିଲ୍ଲୀ ଓ ଭୁବନେଶ୍ୱରରେ ଡବଲ ଇଞ୍ଜିନ ସରକାର କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.