ନବୀନ ସରକାରକୁ ଉପାଡ଼ି ଫିଙ୍ଗିଦିଅ

କେନ୍ଦୁଝରରେ ଆଜି ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଜିଲ୍ଲାର ମେଡିକାଲ କଲେଜ ପଡିଆରୁ ସେ କଂଗ୍ରେସ ଏବଂ ବିଜେଡି ସରକାର ଉପରେ ବର୍ଷିଛନ୍ତି । ନବୀନ ସରକାରକୁ ଉପାଡ଼ି ଫିଙ୍ଗି ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ଏହାସହ ବିଜେପିକୁ ଭୋଟ ଦେଇ ବିପୁଳ ପରିମାଣରେ ବିଜୟୀ କରିବାକୁ ସେ ଜନତାଙ୍କୁ ଆହ୍ୱାନ କରିଛନ୍ତି ।

ପ୍ରଥମେ ଶାହା ମା’ ତାରିଣୀ, ବଳଦେବଜୀଉଙ୍କୁ ସ୍ମରଣ କରିଥିଲେ । ଏହାପରେ ସେ କେନ୍ଦୁଝର ମାଟିର ଧରଣୀଧର ନାୟକ, ଦୈତାରୀ ନାୟକ ଆଦି ବୀର ସନ୍ତାନ ଏବଂ ପୁଲୱାମାରେ ସହିଦ ୨ ଓଡିଆ ଯବାନଙ୍କୁ ପ୍ରଣିପାତ ଜଣାଇଥିଲେ । ଏହାପରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ଦେଶରେ ସବୁଠାରେ ମୋଦୀ ଲହର ଚାଲିଛି । ଓଡିଶାରୁ ଗୁଜରାଟ ଯାଏଁ ମୋଦୀ ନାରା ଶୁଣା ଯାଉଛି । ଦେଶର ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ନିର୍ବାଚିତ କରିବାକୁ ଚାହୁଁଛନ୍ତି ।

୭୦ ବର୍ଷ ଧରି କଂଗ୍ରେସ ଶାସନ କଲା କିନ୍ତୁ ଗରିବୀ ହଟିଲାନି । ୫ ବର୍ଷର ମୋଦୀ ସରକାର ବହୁତ କାମ କରିଛନ୍ତି । ଓଡିଶାରେ ନବୀନଙ୍କୁ ବାହାର କରିବାକୁ ପଡିବ । ଏହା ଓଡିଆ ଭାଷାର ସମ୍ମାନ । ଓଡିଶା ଭାଷା ଭିତିରେ ଗଠନ ହୋଇଥିଲା । ନବୀନ ବାବୁ ୧୯ ବର୍ଷ ଶାସନ କରି ମଧ୍ୟ ଓଡିଆରେ କଥା ହୋଇପାରୁନାହାନ୍ତି । ଏପରି ମୁଖ୍ୟମନ୍ତ୍ରୀ ଦରକାର ଯେ ଓଡିଆରେ କଥା ହୋଇପାରିବ । ମୋଦୀ ସରକାର ଆସିବା ପରେ ଦେଶର ବିକାଶ ହେଲା । କେନ୍ଦୁଝରରେ ଡିଏମଏଫ ଫଣ୍ଡରେ ୧୬୦୦ କୋଟି ମିଳିଛି ।

ଏଠାରେ ଥିବା ହସ୍ପିଟାଲ ମୋଦୀଙ୍କ ଟଙ୍କାରେ ହୋଇଛି । ମୋଦୀ ଟଙ୍କା ପଠାଉଛନ୍ତି କିନ୍ତୁ ରାଜ୍ୟ ସରକାର ଏଠାରେ ଟଙ୍କାଟେ ମଧ୍ୟ ବିନିଯୋଗ କରିନାହାନ୍ତି । ମୋଦୀ ସରକାର ପୁଣି ଆସିଲେ ଏହି ମେଡିକାଲ କଲେଜରେ ଆଦିବାସୀ ଭାଇ ଭଉଣୀଙ୍କ ସେବା ହେବ । ଏନଏଚ ୨୧୫ ଏବଂ ୬କୁ ଚାରିଲାଇନ କରାଯାଇଛି । ଏଠାରେ ପ୍ରଥମ ମାଲଗାଡି ଯାତ୍ରା କରଛି । ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହେଲେ ଏଠାରେ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା ହେବ ।

ଏଠାକାର ବନଜାତ ଦ୍ରବ୍ୟର ସମର୍ଥନ ମୂଲ୍ୟ ବିଜେପି ସରକାର ବୃଦ୍ଧି କରିଛି । ଆଇଆଇଏମ, ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ଗଢି ଉଠିଛି । ୧୦ହଜାର କୋଟିର ରୋଡ ବିଜେପି ସରକାର କରିଛି । ଝାରସୁଗୁଡାରେ ମଲ୍ଟିମଡେଲ ଲଜିଷ୍ଟିକ ପାର୍କ, ବିମାନ ବନ୍ଦର, ମହାନଦୀ ଏବଂ ବ୍ରାହ୍ମଣୀରେ ୫୦୦୦ କୋଟିରେ ୱାଟର ୱେ ହୋଇଛି । ଯାହା ଓଡିଶାକୁ ବିକାଶ ଦିଗରେ ଆଗେଇ ନେବ । ପାଇକ ବିଦ୍ରୋହରେ ସାରା ବିଶ୍ୱରେ ଇତିହାସରେ ସ୍ଥାନ ଦିଆଯାଇଛି । ଲଳିତଗିରିରେ ମ୍ୟୁଜିୟମ ହୋଇଛି ।

ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଶାହା କହିଥିଲେ ଯେ ନବୀନ କିଛି କରିନାହାନ୍ତି । ୧୯ ବର୍ଷ ହେଲା ପାଣି ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ହସ୍ପିଟାଲରେ ଡାକ୍ତର ନାହାନ୍ତି, ଯୁବକଙ୍କୁ ରୋଜଗାର ନାହିଁ । ହଜାର ହଜାର ଓଡିଆ ରୋଜଗାର ପାଇଁ ଗୁଜରାଟ ଯାଉଛନ୍ତି । କିନ୍ତୁ ସେମାନେ ପରିବାର ସହ ରହିପାରୁ ନାହାନ୍ତି । ନବୀନ ସରକାର ରାଜ୍ୟରୁ ଯିବା ପରେ ୫ ବର୍ଷରେ ଏପରି ରାଜ୍ୟ ହେବ ଯେମିତି କେହି ରୋଜଗାର ପାଇଁ ବାହାରକୁ ଯିବେନି ।

ରାଜ୍ୟରେ ଖଣି ଦୁର୍ନୀତି ହୋଇଛି । ସରକାରୀ ବାବୁ ଦୁର୍ନୀତି କରୁଛନ୍ତି । କିନ୍ତୁ ନବୀନ ଚୁପ । ଓଡିଶାରେ ବିପୁଳ ଖଣିଜ ସମ୍ପଦ ରହିଛି କିନ୍ତୁ ରାଜ୍ୟବାସୀ ଗରିବ । ଚିଟଫଣ୍ଡ ଘୋଟାଲାରେ ଲକ୍ଷଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ନବୀନ କିଛି କରିନାହାନ୍ତି । ବିଜେପି ସରକାର ଆସିଲେ ଏମାନଙ୍କୁ ଜେଲ ପଠାଯିବ । ରାଜ୍ୟରେ ୨୦ ଲକ୍ଷ ଲୋକଙ୍କ ଜମି ନାହିଁ । କିନ୍ତୁ ମୋଦୀ ସରକାର ମୁଦ୍ରା ବ୍ୟାଙ୍କ ମାଧ୍ୟମରେ ୮୪ ଲକ୍ଷ ଲୋକଙ୍କୁ ଲୋନ ଦେଉଛନ୍ତି । ବିଜେପି ସରକାର ଦେଶକୁ ସୁରକ୍ଷିତ ରଖିଛି ।

୧୦ ବର୍ଷର କଂଗ୍ରେସ ସରକାର ଥିଲା ହେଲେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ହେଉଥିଲା । କିନ୍ତୁ ମୋଦୀ ସରକାର ଆସିବା ପରେ ଏୟାରଷ୍ଟ୍ରାଇକ ହୋଇଛି । ଶହଶହ ଆତଙ୍କବାଦୀ ନିହତ ହୋଇଛନ୍ତି । କିନ୍ତୁ କଂଗ୍ରେସ ଏହାର ପ୍ରମାଣ ମାଗୁଛି । ସେମାନେ ଏହାକୁ ନେଇ ନିରାଶ ହୋଇଥିଲେ ଏବଂ ଆତଙ୍କବାଦୀଙ୍କ ସହ ଆଲୋଚନା ପାଇଁ କହିଥିଲେ । ପାକିସ୍ତାନକୁ ଇଟାର ଜବାବ ପଥରରେ ଦିଆଯିବ । ଆମ ପାଇଁ ଦେଶର ସୁରକ୍ଷା ବଡ ପ୍ରସଙ୍ଗ । ଓମାର ଅବଦୁଲ୍ଲା କହୁଛନ୍ତି ଯେ କାଶ୍ମୀରରେ ୨ଟି ପ୍ରଧାନମନ୍ତ୍ରୀ ହେବା ଦରକାର । ଏହାକୁ ନେଇ ରାହୁଲ ଚୁପ ଅଛନ୍ତି । ଭୋଟବ୍ୟାଙ୍କ ପାଇଁ କଂଗ୍ରେସ ସବୁ କରୁଛି । କିନ୍ତୁ କାଶ୍ମୀର ଆମର ଅଭିଛେଦ୍ୟ ଅଙ୍ଗ । ଏହାକୁ କେହି ନେଇପାରିବେ ନାହିଁ ।

ବିଜେପିର ଘୋଷଣାପତ୍ରରେ ୨୦୨୨ ମଧ୍ୟରେ ଦେଶର ସମସ୍ତ ଗରିବଙ୍କୁ ପକ୍କା ଘର ମିଳିବ । ଯେଉଁଠି ବିଜୁଳି, ପିଇବା ପାଣି ଥିବ । କୃଷକଙ୍କୁ ୬୦୦୦ ଟଙ୍କା ପେନସନ ମିଳିବ । ଶ୍ରମିକଙ୍କୁ ମଧ୍ୟ ୬୦ ବର୍ଷ ପରେ ପେନସନ ମିଳିବ । ସମସ୍ତ କ୍ଷୁଦ୍ର ବେପାରୀଙ୍କ ଜିଏସଟି ଦେବାକୁ ପଡିବ ନାହିଁ । କୃଷକଙ୍କ ଲୋନ ଉପରେ ସୁଧ ଦେବାକୁ ପଡିବ ନାହିଁ । ଓଡିଶାରେ ଏମଏସପି ବୃଦ୍ଧି ପାଇବ । ବିଜେପି ସରକାର ଆସିଲେ ବନଜାତ ଦ୍ରବ୍ୟକୁ ରାଜ୍ୟ ସରକାର କଣିବେ । କେନ୍ଦୁପତ୍ର ଉପରେ ଜିଏସଟି ଛାଡ ହେବ ।

କେନ୍ଦୁଝରରେ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ୧୧୨ ସ୍ଥାପନା କରି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ । ଖଣି ଚୋରୀ ବନ୍ଦ କରାଯିବ । ନବୀନଙ୍କୁ ୧୯ ବର୍ଷ ଏବଂ କଂଗ୍ରେସକୁ ୪୦ ବର୍ଷ ଦିଆଯାଇଛି । ବିଜେପିକୁ ଗୋଟିଏ ସୁଯୋଗ ଦେଲେ ୫ ବର୍ଷରେ ରାଜ୍ୟ ଏକ ନମ୍ବର ହେବ । ଚଳିତ ଥର ବିଜେପିକୁ ଉଭୟ ଲୋକସଭା ଏବଂ ବିଧାନସଭାରେ ଭୋଟ ଦେଲେ ରାଜ୍ୟର ନିକମା ବିଜେଡି ସରକାର ହଟିବ ବୋଲି ଶାହା ଉଦବୋଧନରେ କହିଥିଲେ ।

Leave A Reply

Your email address will not be published.