ନୀଳଗିରି ବ୍ଲକ ୧୧ ଜୋନରେ ଅଘଟଣ: ବୁଥ୍‌ ଆଗରେ ଟଳି ପଡ଼ିଲେ ୬୫ ବର୍ଷୀୟ ବୃଦ୍ଧା

ରାଜ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଭୋଟିଂ ପକ୍ରିୟା | ସକାଳ ୭ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଥିବା ବେଳେ, ଦିନ ୧ଟା ଯାଏଁ ଚାଲିବ ଭୋଟିଂ | ସେନେଇ ସମସ୍ତ ବୁଥ୍‌ ଆଗରେ ଲାଗି ଯାଇଛି ଭୋଟରଙ୍କ ଲମ୍ବା ଧାଡ଼ି | ମତଦାନ ଚାଲିଥିବା ବେଳେ ନୀଳଗିରି ବ୍ଲକ ୧୧ ଜୋନରେ ଘଟିଛି ଅଘଟଣ । ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଯାଇଥିବା ଜଣେ ବୃଦ୍ଧା ବୁଥ୍‌ ଆଗରେ ହିଁ ଟଳି ପଡ଼ିଲେ। ମୃତା ବୃଦ୍ଧାଜଣକ ହେଲେ ବରହମପୁର ଗାଁ ର ୬୫ ବର୍ଷୀୟ ସତ୍ୟଭାମା ବାରିକ ।

ସତ୍ୟଭାମା ଆଜି ସକାଳେ ଭୋଟ ଦେବା ନିମନ୍ତେ ନିଜ ଘର ପାଖ ବୁଥ୍‌କୁ ଯାଇଥିଲେ। ଏଥିନିମନ୍ତେ ସେ ଲାଇନ୍‌ରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ଟଳି ପଡ଼ିଲେ। ଏହାଦେଖି ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ବରହମପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି |

ସୂଚନାଯୋଗ୍ୟ, ଆଜି ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୧୨୫୪ଟି ପଂଚାୟତରେ ମତଦାନ ହେଉଛି। ଏଥିପାଇଁ ମୋଟ ୧୭,୦୮୯ଟି ବୁଥ୍‌ ହୋଇଛି। ୫୧.୩୧ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୧୬୩ଟି ଜିଲ୍ଲା ପରିଷଦ ଆସନରେ ମୋଟ ୬୬୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଭୋଟ୍ ବାକ୍ସରେ ସିଲ୍ ହୋଇ ରହିଯିବ |

୧୭,୦୮୯ଟି ବୁଥରେ ମତଦାନ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ୨୫୭ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧,୪୭୩ଟି ମୋବାଇଲ ପାଟ୍ରୋଲିଂ ଟିମ୍ ମୁତୟନ ହୋଇଛନ୍ତି। ୧୭,୦୮୯ଟି ବୁଥ୍‌ରୁ ୨,୫୬୩ଟି ସମ୍ବେଦନଶୀଳ ରହିଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଏହି ସବୁ ବୁଥ୍‌ରେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି |

Related Posts