
ଝାଡଖଣ୍ଡବାସୀଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ନୂଆବର୍ଷ ଅବସରରେ ସୋରେନ ଘୋଷଣା କରିଛନ୍ତି କି ରାଜ୍ୟରେ ପେଟ୍ରୋଲ ୨୫ ଟଙ୍କା ଶସ୍ତା ହେବ । ହେଲେ ଏହି ଶସ୍ତା ପେଟ୍ରୋଲ କେବଳ ବିପିଏଲ କାର୍ଡଧାରୀଙ୍କୁ ମିଳିବ । ହେମନ୍ତ ସୋରେନ ଘୋଷଣା କରିଛନ୍ତି କି ଜାନୁଆରୀ ୨୬ ତାରିଖରୁ ଝାଡଖଣ୍ଡର ସମସ୍ତ ବିପିଏଲ ଧାରକଙ୍କୁ ପେଟ୍ରୋଲ ଉପରେ ୨୫ ଟଙ୍କା ଛାଡ ମିଳିବ ।
ହେଲେ କେବଳ ୨ ଚକିଆ ଯାନ ବ୍ୟବହାରକାରୀ ବିପିଏଲ କାର୍ଡ ଧାରକଙ୍କୁ ପେଟ୍ରୋଲ ଉପରେ ୨୫ ଟଙ୍କା ଛାଡ ମିଳିବ ।
କହିରଖୁ କି ଝାଡଖଣ୍ଡର ପେଟ୍ରୋଲିୟମ ଡିଲରମାନେ ଲଗାତର ଭାବେ ରାଜ୍ୟରେ ପେଟ୍ରୋଲ ଉପରୁ ଭ୍ୟାଟ୍ କମ କରିବାକୁ ଦାବି କରି ଆସୁଥିଲେ । ଆସୋସିଏସନ ପକ୍ଷରୁ ସରକାରଙ୍କ ଠାରେ ୫ ପ୍ରତିଶତ ଭ୍ୟାଟ କମ କରିବାକୁ ଦାବି କରିଥିଲେ । ସେମାନେ କହୁଥିଲେ କି ଯଦି ରାଜ୍ୟ ସରକାର ପେଟ୍ରୋଲ ଉପରେ ଲଗାଇଥିବା ୨୨ ପ୍ରତିଶତ ଭ୍ୟାଟରୁ ୫ ପ୍ରତିଶତ କମ କରି ୧୭ ପ୍ରତିଶତ କରିଦିଅନ୍ତେ ତେବେ ଲୋକମାନଙ୍କୁ ଶସ୍ତାରେ ପେଟ୍ରୋଲ ମିଳିପାରନ୍ତା । ଅନ୍ୟପଟେ ପଡୋଶୀ ରାଜ୍ୟ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ବିହାର ସରକାର ପେଟ୍ରୋଲ ଉପରୁ ଭ୍ୟାଟ କମ କରିଛନ୍ତି । ଫଳରେ ଝାଡଖଣ୍ଡରେ ଚାଲୁଥିବା ଗାଡି ପଡୋଶୀ ରାଜ୍ୟରୁ ତେଲ ଭରି କରୁଛନ୍ତି ଓ ରାଜ୍ୟ ସରକାର କ୍ଷତିରେ ପଡୁଛନ୍ତି ।