ନୂଆ ବର୍ଷରେ ନବୀନଙ୍କୁ ଦାମ ବାଣ, ପାଣ୍ଡିଆନଙ୍କ ନାଁ ନେଇ କଲେ କଟାକ୍ଷ

ବିଜେଡିରୁ ବିଦା ହୋଇଥିବା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ କରିଛନ୍ତି ସମାଲୋଚନା । ଏଥର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ନାଁ ନେଇ କଟାକ୍ଷ କରିଛନ୍ତି ଦାମ ବାବୁ । ଦାମ ବାବୁ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନିଜ ମନ କଥାକୁ ତାମିଲ ଭାଷାରେ ଶୁଣାଉଛନ୍ତି ଆଉ ତାଙ୍କ ପାଇଁ ସ୍କ୍ରିପ୍ଟ ଲେଖୁଛନ୍ତି ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍‌ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ସେ ଓଡ଼ିଆ ଭାଷାକୁ ଇଂରାଜୀରେ ଲେଖି ଦେଉଛନ୍ତି । ସେହି ଭାଷଣକୁ ମୁଖ୍ୟମନ୍ତ୍ରୀ ପଢ଼ି ଓଡ଼ିଶାବାସୀଙ୍କୁ ଶୁଣାଉଛନ୍ତି । ୨୧ ବର୍ଷ ଧରି ଓଡ଼ିଶାରେ ରହିଲେ ମଧ୍ୟ ନବୀନ ଓଡ଼ିଆରେ ପଦେ କହିପାରିଲେ ନାହିଁ।”

ଦାମ ବାବୁ ଆହୁରି କହିଛନ୍ତି, “ବିଜୁ ଅନୁଗତମାନଙ୍କୁ ଚୋର ବୋଲି କହି ଦଳରୁ ବିଦା କରୁଛନ୍ତି । କିନ୍ତୁ ମୁଁ ତାଙ୍କୁ ଚୋର କହିବାରୁ ଦଳରୁ ବାହାରିଛି । ସେ ଚୋର ବୋଲି ମୁଁ କଣ୍ଠ ଫଟାଇ କହିବି, ଯାହା କରିବା କଥା କରନ୍ତୁ । ଦୁର୍ନୀତି, କୁଶାସନ ଓ ଭ୍ରଷ୍ଟାଚାରରୁ ମୁକ୍ତି ପାଇଁ ଲୋକେ ପାଗଳ ହେଲେଣି । ତେଣୁ ୨୦୧୯ ସାଧାରଣ ନିର୍ବାଚନରେ ଏହାର ପ୍ରତିଫଳନ ହେବ । ପ୍ରତିଦିନ ଖବର କାଗଜରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ଦିଆଯାଉଛି । କିନ୍ତୁ ଓଡ଼ିଶାରେ ରହୁଥିବା ସାଢ଼େ ୪ କୋଟି ୨୦ ଲକ୍ଷ ଓଡ଼ିଆଙ୍କ କଥା ବୁଝିବାକୁ ଓ ଶୁଣିବାକୁ ତାଙ୍କର ସାମର୍ଥ୍ୟ ନାହିଁ ।”

ଡାକ୍ତର ରାଉତ କହିଛନ୍ତି- “୨୦୧୮ ମସିହାରେ କୁନ୍ଦୁଲି ଗଣଦୁଷ୍କର୍ମ ଘଟିଥିଲା। ଯେଉଁଠି ଧର୍ଷଣକାରୀଙ୍କୁ ସୁରକ୍ଷା ଦିଆଗଲା ଓ ପୀଡ଼ିତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଗଲା। ଥୁଆମୂଳ-ରାମପୁରରେ ଏକ କନ୍ୟାଶ୍ରମରେ ଝିଅମାନଙ୍କୁ ଉପଭୋଗର ବସ୍ତୁ କରାଗଲା । ସେଠାରେ ଜଣେ ପ୍ରଧାନଶିକ୍ଷକ ଦୀର୍ଘ ୧୮ ବର୍ଷ ରହି ଝିଅମାନଙ୍କୁ ଦୁଷ୍କର୍ମ କରି ଧରାପଡ଼ିଲେ । ଏପରି ଘଟଣା ୨୦୧୯ ମସିହାରେ କେବେ ନଘଟୁ ।”

ରାଜ୍ୟରେ ଚାଷୀଙ୍କ ପ୍ରସଙ୍ଗରେ ଦାମବାବୁ କହିଛନ୍ତି,“ରାଜ୍ୟରେ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଓଡ଼ିଶାରେ ପରମ୍ପରା ରହିଛି, ଆଦିବାସୀ ଭିକ ମାଗନ୍ତି ନାହିଁ ଓ ଚାଷୀ ଆତ୍ମହତ୍ୟା କରନ୍ତି ନାହିଁ । ଆଜି ପର୍ଯ୍ୟନ୍ତ ଆଦିବାସୀ ଭିକ ମାଗି ନାହାନ୍ତି । କିନ୍ତୁ ଚାଷୀ ଆତ୍ମହତ୍ୟା କରି ଚାଲିଛନ୍ତି । ତାଙ୍କର ଦୁଃଖ ଓ ଯନ୍ତ୍ରଣା କେହି ଶୁଣୁନାହାନ୍ତି । ଦାବି ଶୁଣାଇବା ପାଇଁ ଚାଷୀମାନେ ଚାଲି ଚାଲି ଭୁବନେଶ୍ୱର ଆସିଲେ । କିନ୍ତୁ ସେମାନଙ୍କୁ ସହର ଭିତରକୁ ପଶେଇ ଦିଆଗଲା ନାହିଁ । କାରଣ ସେମାନେ(ଚାଷୀ) ଗାଁରେ ରହୁଛନ୍ତି, ଅନ୍ଧକାରରେ ଜୀବନ ବିତାଉଛନ୍ତି । ଅନ୍ୟପଟେ ଆମର ଏହି ସହର ରାସ୍ତାରେ ରଙ୍ଗ ଦିଆଯାଉଛି । ଚାଷୀମାନଙ୍କ କାଦୁଅ ପାଦ ରଙ୍ଗ ଦିଆଯାଇଥିବା ରାସ୍ତାରେ ପଡ଼ିଲେ ଅପରିଷ୍କାର ହୋଇଯିବା ଭୟରେ ସେମାନଙ୍କୁ ସହର ଭିତରେ ପଶାଇ ଦିଆଗଲା ନାହିଁ । ଏବେ ସୁଦ୍ଧା ଧାନ ମଣ୍ଡିରେ ବିକ୍ରି ହେଉନି । ଓଡ଼ିଶାର ଧାନ ଛତିଶଗଡ଼ ଯାଉଛି । କାରଣ ଓଡ଼ିଶା ଅପେକ୍ଷା ଛତିଶଗଡ଼ ସରକାର ଧାନ କ୍ୱିଣ୍ଟାଲ ପ୍ରତି ୭୫୦ ଟଙ୍କା ଅଧିକ ଦେଉଛନ୍ତି । ସେଥିପାଇଁ ଚାଷୀର ଧାନ, ମଣ୍ଡିକୁ ଯାଉନି । ବେପାରୀ ଓ ମିଲ୍‌ରମାନେ ଧାନ କିଣି ନେଉଛନ୍ତି । ଚାଷୀଙ୍କ ଆଖିରୁ ଲୁହ ଝରୁଛି । ”

Comments are closed.