ନୂଆ ବର୍ଷ ଅବସରରେ ଛେଳି ଖାଇବା ଲୋଭ ପାଇଁ ଗଲା ଚାକିରି ।
ଛେଳି ଚୋରି ଅଭିଯୋଗରେ ସିନ୍ଧେକେଲା ଥାନା ଏଏସଆଇ ନିଲମ୍ବିତ ହୋଇଛନ୍ତି । ଏଏସ୍ଆଇ ସୁମନ ମଲ୍ଲିକଙ୍କୁ ନିଲମ୍ବନ କରିଛନ୍ତି ବଲାଙ୍ଗିର ଏସପି । ବଲାଙ୍ଗିର ସିନ୍ଧେକେଲା ପୋଲିସ ଛେଳି ଚୋରି କରି ଜୋଜି କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ସିନ୍ଧେକେଲା ଥାନା ଘେରାଉ କରିଥିଲେ ।
ସୂଚନାଯୋଗ୍ୟ, ସିନ୍ଧେକେଲା ଥାନାରେ ଏଏସ୍ଆଇ ଥିବା ସୁମନ ମଲ୍ଲିକ ଓ କିଛି କର୍ମଚାରୀ ଥାନା ପରିସରକୁ ଚରିବା ପାଇଁ ଆସିଥିବା ଦୁଇଗୋଟି ଛେଳିକୁ ଭୋଜି ଭାତ କରି ଖାଇବା ପାଇଁ କାଟୁଥିଲେ। ଏହି ସମୟରେ ମାଲିକ ସଂକୀର୍ତ୍ତନ ଗୁରୁ ଛେଳିକୁ ଖୋଜି ଖୋଜି ଥାନା ପଛପଟେ ଥିବା ଷ୍ଟାଫ କ୍ବାର୍ଟର୍ସ ଆଡ଼କୁ ଯାଇଥିଲେ। ଛେଳି ଚିତ୍କାର କରୁଥିବା ଶବ୍ଦ ଶୁଣି ଖୋଜି ଖୋଜି କଟା ଯାଉଥିବା ସ୍ଥାନରେ ପହଞ୍ଚିଥିଲେ। ଉକ୍ତ ଛେଳି ତାଙ୍କର ବୋଲି କହି ପ୍ରତିବାଦ କରିଥିଲେ। ଛେଳି ମାଲିକଙ୍କୁ ଧକ୍କା ମାରିବା ସହ ସାର୍ଟ କଲର ଧରି ଥାନାରେ ପୂରାଇ ଦେବାକୁ ଏଏସ୍ଆଇ ସୁମନ ମଲ୍ଲିକ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ସିନ୍ଧେକେଲା ଥାନା ସାମ୍ନାରେ ଉତ୍ତେଜନା ଦେଖାଦେଇଥିଲା।
ପୁଲିସର ଏ ପ୍ରକାର କାର୍ଯ୍ୟକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉତ୍ତ୍ୟକ୍ତ ଲୋକେ ଦାବି କରିଥିଲେ। ଶୁକ୍ରବାର ଆଇଆଇସି ଆଲୋକ ବେହେରା ବଲାଙ୍ଗୀର ଏସ୍ପି ଅଫିସକୁ ମିଟିଙ୍ଗ ପାଇଁ ଯାଇଥିଲେ। ଥାନା ସାମ୍ନାରେ ଉତ୍ତେଜନା ହେଉଥିବା ଜାଣି ବଣିକ ସଂଘ ସଭାପତି ସୁବାସ ଜୈନ, ପୂର୍ବତନ ସରପଞ୍ଚ ନରେଶ ଅଗ୍ରଓ୍ବାଲ, ସମାଜସେବୀ ଅନିଲ ତ୍ରିପାଠୀ, ଜିଲ୍ଲା ବିଜେପି ସମ୍ପାଦକ ଅନିଲ ନାଏକ, ଦୀନେଶ ଜୈନ ପ୍ରମୁଖ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଥାନାଧିକାରୀଙ୍କୁ ଫୋନରେ ଜଣାଇବା ପରେ ସେ ଦୋଷୀ ବିରୋଧରେ ଦୃ୍ଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିବା ପରେ ଉତ୍ତେଜନା କମିଥିଲା। ପରେ ଆଇଆଇସି ଥାନାକୁ ପହଞ୍ଚି ଛେଳି ମାଲିକ ସଂକୀର୍ତ୍ତନ ଗୁରୁ ଓ ତାଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା କରିଥିଲେ। ଦୋଷୀ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ପରିବାର ବର୍ଗ କିପରି ନ୍ୟାୟ ପାଇବାକୁ ଚାହୁଛନ୍ତି ବୋଲି ଆଇଆଇସି ପଚାରିଥିଲେ। ଛେଳି ମାଲିକଙ୍କ ପରିବାର ଲୋକେ ଛେଳିର କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ ।