ନୋଟିସ୍‌ ହେବାର ୧୪ ବର୍ଷ ପରେ ଜମି ଅଧିଗ୍ରହଣ, ମିଳିଲାନି କ୍ଷତିପୂରଣ, ତେଜିଲେ ଜମିହରା ଏବଂ ଉଠାଦୋକାନୀ

ଯାଜପୁର : କଳିଙ୍ଗନଗର ଶିଳ୍ପାଞ୍ଚଳରେ ରାଜପଥ ସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ନେଇ ବିବାଦ । ଜମିହରା ଓ ଉଠା ବ୍ୟବସାୟୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆ ନଯାଇ ପ୍ରଶାସନ ଜମି ଅଧିଗ୍ରହଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏନେଇ ଆଜି କଳିଙ୍ଗନଗର ଶିଳ୍ପାଞ୍ଚଳର ଡ଼ୁବୁରୀ ଛକ ଠାରେ ସ୍ଥାନୀୟ ବଣିକ ସଂଘ ଓ ଜମିହରାଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରାଯାଇଛି ।

ଅଭିଯୋଗ ମୁତାବକ ୫୩ ନଂ ଜାତୀୟ ରାଜପଥର ସଂପ୍ରସାରଣ ପାଇଁ ଗତ ୨୦୦୭ ମସିହାରେ ଡ଼ୁବୁରୀ ଛକଠାରେ ଥିବା କିଛି ଜମି ଚିହ୍ନଟ କରାଯାଇ ଜମି ମାଲିକମାନଙ୍କୁ ନୋଟିସ ଜାରି କରାଯାଇଥିଲା । ହେଲେ ଦୀର୍ଘ ୧୪ ବର୍ଷ ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜମିହରାମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ  ୨୦୦ରୁ ଉର୍ଦ୍ଧ୍ବ ଉଠା ଦୋକାନୀଙ୍କୁ ଥଇଥାନ ବ୍ୟବସ୍ଥା କରାଯାଇନାହିଁ । ଯାହାକୁ ନେଇ ତୀବ୍ର ବିରୋଧ କରାଯାଇଛି ।

୨୦୧୩ ମସିହାରେ ଲାଗୁ ହୋଇଥିବା କେନ୍ଦ୍ର ସରକାରଙ୍କ ନୂତନ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ଜମିହରାଙ୍କୁ କ୍ଷତିପୂରଣ ଦିଆଯିବା ସହ ବ୍ୟବସାୟ କରି ପେଟ ପୋଷୁଥିବା ଉଠା ଦୋକାନୀମାନଙ୍କ ପାଇଁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି । ତେବେ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ ନକଲେ ଆଗାମୀ ଅକ୍ଟୋବର ୨୬ ତାରିଖ ଦିନ ଡ଼ୁବୁରୀ ଛକଠାରେ ଗଣ ଅନଶନ କରାଯିବ ବୋଲି ସ୍ଥାନୀୟ ଜମିହରା ଓ ଉଠା ଦୋକାନୀମାନେ ଚେତାବନୀ ଦେଇଛନ୍ତି ।

Related Posts