
ପଞ୍ଚାୟତ ନିର୍ବାଚନକୁ ସରଗରମ ରହିଛି ରାଜ୍ୟ ରାଜନୀତି । ଏହାରି ମଧ୍ୟରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ମତଦାନ ସମୟରେ ଅନେକ ଗାଁରେ ଦେଖିବାକୁ ମିଳୁଛି ନିର୍ବାଚନୀ ହିଂସା । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଏହାରି ମଧ୍ୟରେ ଶାସକ ଦଳର କର୍ମୀଙ୍କ ନିର୍ବାଚନୀ ଆଇନ ଉଲ୍ଲଘଂନ କରୁଥିବା ଅଭିଯୋଗ ନେଇ ନିର୍ବାଚନ ଆୟୋଗଙ୍କୁ ଭେଟିଛି କଂଗ୍ରେସର ୩ ଜଣିଆ ପ୍ରତିନିଧି ଦଳ । ରାଜ୍ୟରେ ହେଉଥିବା ପଞ୍ଚାୟତ ନିର୍ବାଚନରେ ସ୍ବଚ୍ଛତା ଆଣିବା ପାଇଁ ସେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିବେଦନ କରିଛନ୍ତି ।
ଶାସକ ଦଳ ଆଇନ ଉଲ୍ଲଘଂନ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପରେ ଯେଉଁ ସ୍ବଚ୍ଛ ନିର୍ବାଚନ ହେବାର ପ୍ରତିଶୃତି ଦିଆଯାଇଥିଲା ତାହା କାର୍ଯ୍ୟରେ ପ୍ରତିଫଳିତ ହେଉନାହିଁ । ଏଭଳି ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର। ରାଜ୍ୟର ବିଭିନ୍ନ ସ୍ଥାନରେ ଶାସକ ଦଳର କର୍ମୀମାନେ ନିର୍ବାଚନ ଆଇନ ଉଲ୍ଲଘଂନ କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ସହ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଗୋପୀନାଥ ପୁର ପଞ୍ଚାୟତରେ ମହିଳା ସାମ୍ବାଦିକା ଏବଂ ତାଙ୍କ ଟିମ ଉପରେ ହୋଇଥିବା ଆକ୍ରମଣକୁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି। ଏ ସମସ୍ତ ଘଟଣାକୁ ଦୃଷ୍ଟି ଗୋଚର କରିବା ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଛନ୍ତି କଂଗ୍ରେସର ପ୍ରତିନିଧି ଦଳ।