
ରାଜ୍ୟରେ ଆଜି ଶେଷ ହୋଇଛି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ। ମୋଟ ୭୧ ପ୍ରତିଶତ ମତଦାନ ହୋଇଛି । ଆଜି ରାଜ୍ୟର ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୩୮୨ଟି ଗ୍ରାମ ପଞ୍ଚାୟତରେ ୧୭୧ଟି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୮,୪୯୫ ବୁଥରେ ମତଦାତା ମାନେ ମତଦାନ ସାବ୍ୟସ୍ତ କରିଥଲେ ।
ଅନ୍ୟପଟେ ପ୍ରଥମ ଦୁଇ ପର୍ଯ୍ୟାୟ ପରି ତୃତୀୟ ପର୍ଯ୍ୟାୟରେ ବି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଗଣମାଧ୍ୟମ ପ୍ରତିନିଧିଙ୍କ ଉପରକୁ ଆକ୍ରମଣ ହୋଇଛି । ଯାଜପୁର ବିଞ୍ଝାରପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ କମିଶନ ଦୃଢ ଭାବେ ନିନ୍ଦା କରିଛନ୍ତି । ଏହି ସମ୍ପର୍କରେ ସେ ପୋଲିସ ଡିଜି ଓ ଯାଜପୁର ଜିଲ୍ଲା ପ୍ରଶାସନଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ।
ରାଜ୍ୟରେ୭୧ପ୍ରତିଶତ_ଭୋଟିଂ
*ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରେସମିଟ୍
*ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ ହୋଇଛି
*ନିର୍ବାଚନ ବେଳେ କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି
*ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ମାଲକାନଗିରି ଜିଲ୍ଲାର ମାଥିଲି ଓ ପୋଡିଆ ବ୍ଲକ, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ମାଓ ପ୍ରବଣ ସ୍ଥାନ ହୋଇଥିଲେ ବି ସେଠାରେ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି ନିର୍ବାଚନ । ବିଶେଷ ଭାବରେ ମାଲକାନଗିରି ଜିଲ୍ଲାରେ ଗତ ଦୁଇଟି ପର୍ଯ୍ୟାୟ ଭଳି ଏ ପର୍ଯ୍ୟାୟରେ ମଧ୍ୟ ମତଦାନ ହାର ବେଶ ଉତ୍ସାହଜନକ ହୋଇଛି ।
ତେବେ ଏହି ପର୍ଯ୍ୟାୟରେ ମୋଟ ୫୬ ଲକ୍ଷ ୫୩ ହଜାରରୁ ଅଧିକ ଭୋଟର ଥିବାବେଳେ ପ୍ରାରମ୍ଭିକ ସୂଚନା ଅନୁସାରେ ରାଜ୍ୟରେ ମୋଟ ୭୧ ପ୍ରତିଶତ ମତଦାନ ହୋଇଛି । କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।