ପଞ୍ଜାବର ସିରହିନ୍ଦ ଷ୍ଟେସନରେ ଗରିବ ରଥ ଏକ୍ସପ୍ରେସରେ ଲାଗିଲା ନିଆଁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ପଞ୍ଜାବର ସିରହିନ୍ଦ ଷ୍ଟେସନରେ ଗରିବ ରଥ ଏକ୍ସପ୍ରେସରେ ଲାଗିଲା ନିଆଁ । ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଟ୍ରେନ-12204 ସିରହିନ୍ଦ ରେଳ ଷ୍ଟେସନ ନିକଟରେ ନିଆଁ ଲାଗିଯାଇଥିଲା। ଟ୍ରେନଟି ସିରହିନ୍ଦ ଷ୍ଟେସନରୁ ପ୍ରାୟ ଅଧ କିଲୋମିଟର ଯାତ୍ରା କରିଥିଲା। ଯାତ୍ରୀମାନେ ଗୋଟିଏ କୋଚ୍‌ରୁ ଧୂଆଁ ବାହାରୁଥିବାର ଦେଖିଥିଲେ। ଟ୍ରେନ ତୁରନ୍ତ ଅଟକାଇ ଦିଆଯାଇଥିଲା।

ରେଳ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଜଣେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ସୂଚନା ପାଇବା ମାତ୍ରେ ପୋଲିସ ଏବଂ ରେଳ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ସେ କହିଛନ୍ତି ଯେ ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ। ତଥାପି ଜଣେ ମହିଳା ଯାତ୍ରୀ ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ରେଳ ଅଧିକାରୀମାନେ କହିଛନ୍ତି ଯେ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଘଟଣା ଘଟିଥିଲା। ଅଗ୍ନିକାଣ୍ଡ ଜଣାପଡ଼ିବା ମାତ୍ରେ ରେଳ କର୍ମଚାରୀମାନେ ତୁରନ୍ତ କୋଚକୁ ଖାଲି କରିଥିଲେ। ଅଗ୍ନିଶମ ଦଳଙ୍କ ସହାୟତାରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।

Related Posts