
ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି । ଯଦି ପଞ୍ଜାବରେ ଆମ ଆଦମୀ ପାର୍ଟି(ଆପ୍) କ୍ଷମତାକୁ ଆସେ ତେବେ ଦଳ କେନ୍ଦ୍ର ସହ ମିଶି ଜାତୀୟ ସୁରକ୍ଷା ପ୍ରସଙ୍ଗରେ କାମ କରିବ ବୋଲି କହିଛନ୍ତି କେଜ୍ରିୱାଲ । ଏଥିସହ ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ ସ୍ଥାନୀୟ କଂଗ୍ରେସ ସରକାରକୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ। ଜାତୀୟ ସୁରକ୍ଷା ପ୍ରସଙ୍ଗ ଆସିଲେ ଆପ୍ କେବେ ସଲିସ କରିବ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି। ଅମୃତସରରେ ଗଣମାଧ୍ୟମକୁ ବିବୃତ୍ତି ଦେଇ କେଜ୍ରିୱାଲ କହିଛନ୍ତି ଯେ, ଯଦି ପଞ୍ଜାବରେ ଆପ୍ ସରକାର କ୍ଷମତାକୁ ଆସେ ଆମେ କେନ୍ଦ୍ର ସହ ମିଶି ପଞ୍ଜାବ ଏବଂ ଜାତୀୟ ସୁରକ୍ଷା ପାଇଁ କାମ କରିବୁ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ କେଜ୍ରିୱାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ରାଜନୀତି ହେବା ଉଚିତ ନୁହଁ। କିନ୍ତୁ ଉଭୟ କଂଗ୍ରେସ ଏବଂ ବିଜେପି ପକ୍ଷରୁ ରାଜନୀତି ହୋଇଥିଲା। ଏଠାରେ କଂଗ୍ରେସ ପାଇଁ ଆପ୍ ହେଉଛି ମୁଖ୍ୟ ପ୍ରତିଦ୍ୱନ୍ଦୀ ବୋଲି କେଜ୍ରିୱାଲ କହିଛନ୍ତି । ପଞ୍ଜାବ ବିଧାନ ସଭା ନିର୍ବାଚନ ପାଇଁ ପ୍ରଚାର ଅଭିମୁଖେ ଯାଇଥିବା କେଜ୍ରିୱାଲର ରାଜ୍ୟର ଦୁର୍ନୀତିଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍କ ଉଠାଇ ଶାସକ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।